ବଦଳି ହେବେ ଗାଦିମଡ଼ା ରାଜସ୍ୱ ଅଧିକାରୀ
ଭୁବନେଶ୍ୱର : ଗାଦିମଡ଼ା ରାଜସ୍ୱ ଅଧିକାରୀମାନଙ୍କର ବଦଳି ହେବ । ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ଦିନ ଥିଲେ ସେମାନଙ୍କୁ ବଦଳି କରାଯିବ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଳାପାଳଙ୍କୁ ପତ୍ର ଲେଖାଯିବା ସହ କଡ଼ାକଡ଼ି ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଲୋକଙ୍କୁ ସେବା ଯୋଗାଇବାରେ ରାଜସ୍ୱ ବିଭାଗର ଏକ ପ୍ରମୁଖ ଭୂମିକା ରହିଛି । ତେବେ କେତେକ ଅଫିସର ଓ କର୍ମଚାରୀଙ୍କ ବିରୋଧରେ ବାରବାର ଅଭିଯୋଗ ଆସିବାରେ ଲାଗିଛି । ନିୟମିତ ଭାବେ କର୍ମଚାରୀଙ୍କ ବଦଳି ପାଇଁ କୁହାଯାଇଥିଲେବି ତାହାର ଅନୁପାଳନ କରାଯାଉନାହିଁ । ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଧରି ଅଧିକାରୀ ଓ କର୍ମଚାରୀ ରହୁଥିବାରୁ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ, କାର୍ଯ୍ୟରେ ଅବହେଳା ଭଳି ଅନେକ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ତେଣୁ ଜିଲ୍ଲାପାଳ, ଉପ ଜିଲ୍ଳାପାଳ, ବ୍ଳକ ଓ ତହସିଲରେ ୩ ବର୍ଷରୁ ଉଦ୍ଧ୍ୱର୍ ଦିନ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବଦଳି କରାଯିବାକୁ କୁହାଯାଇଛି । ଏବେ ବଦଳି ସିଜିନ୍ ସରି ଯାଇଥିବାବେଳେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମୋଦନ ନେବାକୁ କୁହାଯାଇଛି । ୧୫ ଦିନ ମଧ୍ୟରେ କି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି ।