ବଦଳୁଛି କି ବିହାର ସମୀକରଣ? ‘ଭୋଟଚୋରି’କୁ ବିଶ୍ୱାସ କରୁଛନ୍ତି ଲୋକେ

ପାଟନା : ବିହାରରେ ରାଜନୀତିକ ସମୀକରଣ ବଦଳୁଥିବା ଲକ୍ଷ୍ୟ କରାଯାଉଛି । ନୀତିଶ କୁମାରଙ୍କ ଲୋକପ୍ରିୟତା ପୂର୍ବାପେକ୍ଷା କମି ଯାଇଥିବାବେଳେ ପ୍ରଶାନ୍ତ କିଶୋରଙ୍କ ପ୍ରତି ସମର୍ଥନ ବଢୁଥିବା ଲକ୍ଷ୍ୟ କରାଯାଉଛି । ସେହିପରି ତେଜସ୍ୱୀ ଯାଦବଙ୍କ ଦବଦବା ସାମାନ୍ୟ ହ୍ରାସ ପାଇଥିଲେ ଏବେବି ସ୍ଥିତି ମଜବୁତ୍‌ ରହିଛି । ସି-ଭୋଟର ସର୍ଭେରୁ ଏହା ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ରାହୁଲ ଗାନ୍ଧୀଙ୍କ ‘ଭୋଟ୍‌ ଚୋରି’ ପ୍ରସଙ୍ଗକୁ ଜନସମର୍ଥନ ମିଳୁଥିବା ସର୍ଭେରୁ ଜଣାପଡ଼ିଛି ।

ବିହାରରେ ଏବେ ଏନଡ଼ିଏର ଶାସନ ଚାଲିଛି । ନୀତିଶ କୁମାରଙ୍କ ଦଳର ସଂଖ୍ୟା କମିଥିଲେବି ବିଜେପି ସହଯୋଗରେ ସେ ଶାସନ କରୁଛନ୍ତି । କିନ୍ତୁ ସି-ଭୋଟର ସର୍ଭେରେ ତାଙ୍କର ଲୋକପ୍ରିୟତା କମୁଥିବା ଦର୍ଶାଯାଇଛି । ଗତ ଫେବୃଆରୀରେ ତାଙ୍କୁ ୧୮% ଲୋକ ପସନ୍ଦ କରୁଥିବାବେଳେ ଏବେ ତାହା ହ୍ରାସ ପାଇ ୧୫%ରେ ପହଁଚିଛି । ତେବେ ଏନଡ଼ିଏର ସେ ବଡ଼ ଚେହେରା ପାଲଟିଛନ୍ତି । ଯେତେବେଳେକି ଚିରାଗ ପାଶ୍ୱାନଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇ ୧୦% ହୋଇଛି । ସମ୍ରାଟ ଚୌଧୁରୀଙ୍କୁ ୧୦% ଲୋକେ ପସନ୍ଦ କରୁଛନ୍ତି । ତେବେ ଏନଡ଼ିଏର ଚେହେରା ମଧ୍ୟରେ ଏବେବି ନୀତିଶ ସର୍ବାଗ୍ରେ ଅଛନ୍ତି । ଅପରପକ୍ଷରେ ଇଣ୍ଡି ମେଣ୍ଟରେ ତେଜସ୍ୱୀ ଯାଦବ ସବୁଠାରୁ ବଡ଼ ଚେହେରା । ତାଙ୍କୁ ୩୧% ସମର୍ଥନ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଉଛି ନୀତିଶ ଓ ତେଜସ୍ୱୀଙ୍କ ଲଢେ଼ଇ ମଧ୍ୟରେ ପ୍ରଶାନ୍ତ କିଶୋରଙ୍କ ପ୍ରତି ଜନସମର୍ଥନ ବଢୁଥିବା ଲକ୍ଷ୍ୟ କରାଯାଉଛି । ତାଙ୍କର ଲୋକପ୍ରିୟତା ଫେବୃଆରୀରେ ୧୫% ଥିବାବେଳେ ଏବେ ତାହା ୨୨% ହୋଇଯାଇଛି । ତେଣୁ ତାଙ୍କୁ କିଙ୍ଗମେକର ବୋଲି କୁହାଯାଉଛି । 

ସେହିପରି ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ପ୍ରସଙ୍ଗ ଲୋକଙ୍କୁ ଛୁଇଁଛି । ଲୋକେ ବି ଭୋଟ ଚୋରିକୁ ବିଶ୍ୱାସ କରୁଛନ୍ତି । ୫୯% ଲୋକ ରାହୁଲଙ୍କ ଅଭିଯୋଗର ଦମ୍‌ ରହିଛି ବୋଲି କହୁଥିବାବେଳେ ୬୭% ଲୋକ ନିର୍ବାଚନ କମିଶନ ରାହୁଲଙ୍କ ଉତ୍ତର ରଖିବା ଦରକାର ବୋଲି ମତବ୍ୟକ୍ତ କରିଛନ୍ତି ।