ବନ୍ଦସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ: "ସ୍ୱତନ୍ତ୍ର ଚିଠି କରି ଯେଉଁଠି ଆବଶ୍ୟକ ସେଠି ସ୍କୁଲ ଖୋଲାଯାଉ'
ଭୁବନେଶ୍ୱର: ବିଜେପି ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି ୫୬୩୨ ବନ୍ଦ ସ୍କୁଲ ଓ ୨୧୫୨ ସାଟେଲାଇଟ ସ୍କୁଲକୁ ଖୋଲିବାକୁ ମନ୍ତ୍ରୀ ବିଧାନସଭାରେ ମତ ରଖିଛନ୍ତି । ସରକାରଙ୍କ ଏହି ପଦକ୍ଷେପକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରିଛି । କିନ୍ତୁ ଏଥିରେ ପିଲା ସଖ୍ୟାକୁ ଛାଡ଼ି ପଢିବାକୁ ଅପେକ୍ଷା କରିଥିବା ପିଲାମାନଙ୍କୁ ସୁଯୋଗ ଦେବାପାଇଁ ସଂଘ ଅନୁରୋଧ କରିଛି । ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୂର୍ବ ସରକାର ତରବରିଆ ଭାବରେ ଠିକ୍ ଭାବେ ବିଚାର ନକରି ଛାତ୍ରଛାତ୍ରୀ ସଂଖ୍ୟା କମ ଥିବା ସମୁଦାୟ ୫୬୩୨ଟି ସ୍କୁଲ ଏବଂ ୧୦୦ ମିଟର ବ୍ୟବଧାନରେ ଥିବା ୨୧୨୫ଟି ସାଟେଲାଇଟ୍ ସ୍କୁଲ ବି ମିଶ୍ରଣ କରାଯାଇଛି ବୋଲି କହିଛନ୍ତି । ସଂରକ୍ଷିତ ଅଞ୍ଚଳ ୨୦ ଓ ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ, ସ୍କୁଲ ଖୋଲିବାକୁ ବିଚାର କରାଯିବ । ଏହି ନିୟମ ହେବା ଦ୍ୱାରା ସବୁ ସ୍କୁଲ ବନ୍ଦ ହୋଇଗଲା, ପୁଣି ସେହି ନିୟମ ନ ରଖିବାକୁ ଦାବୀ କରିଛି ଓଡିଶା ଅଭିଭାବକ ମହାସଂଘ ।
ଏହି ଘୋଷଣା ଅତ୍ୟନ୍ତ ସୁଖ ଖବର ହିମାଞ୍ଚଳ ପ୍ରଦେଶ, ଅରୁଣାଞ୍ଚଲ ପରି ରାଜ୍ୟରେ ଅଳ୍ପ ପିଲା ଥିଲେ ମଧ୍ୟ ସ୍କୁଲ ଚାଲୁଛି । ଆମ ରାଜ୍ୟରେ ମଧ୍ୟ ଦୁର୍ଗମ ଅଂଚଳ ସହ ଅନ୍ୟାନ୍ୟ ପ୍ରାକୃତିକ ଓ ମାନବାକୃତ ପ୍ରତିବନ୍ଧକ ରହିଛି, ତେଣୁ ଏହାକୁ ଅତ୍ୟନ୍ତ ଗୁରୁତର ସହ ବିଚାର କରି ବିଭାଗ ସ୍ୱତନ୍ତ୍ର ଚିଠି କରି ତୁରନ୍ତ ଆବେଦନ,ଅଭିଯୋଗ, ପ୍ରସ୍ତାବ ଗ୍ରହଣ କରି ଯେଉଁଠି ନିହାତି ଆବଶ୍ୟକ ଓ ଖୋଲାଯାଇ ପାରିବ ସେଠି ତୁରନ୍ତ ସ୍କୁଲ ଖୋଲନ୍ତୁ, ପିଲା ସଂଖ୍ୟା ଛାଡ଼ି କେବଳ ଗାଁ ର କମିଟି ଓ ସ୍କୁଲ କମିଟି ଗଠନ କରି ସ୍କୁଲ ଖୋଲିଲେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ନ୍ୟାୟ ପାଇବା ସହିତ ଶିକ୍ଷାଦାନ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ହେବ ବୋଲି ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ମହାସଚିବ ଅଶୋକ ପାଇକରାୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।