ବନ୍ଧନ ବ୍ୟାଙ୍କରୁ ଋଣ ନାଁରେ ଠକେଇ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୨୬ା୧୦ : ବ୍ୟାଙ୍କରୁ ହୋଇଥିବା ବିିଭିନ୍ନ ଲୋକଙ୍କ ଲୋନକୁ କୌଶଳ କ୍ରମେ ନିଜ ପତ୍ନୀଙ୍କ ନାମକୁ ନେଇ ୧୧ଲକ୍ଷ ଟଙ୍କା ଠକେଇ କରିବା ପରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ମଞ୍ଚେଶ୍ୱର ଥାନା ପୁଲିସ । ଗିରଫ ଠକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବାଲିଚନ୍ଦପୁର ଥାନା କୋଇଲିଙ୍ଗା ଗ୍ରାମର ତାପସ ରଂଜନ ମହାପାତ୍ର(୩୩) । ତାଙ୍କୁ ଶନିବାର ଦିନ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଠକେଇ ନେଇ ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ପୁଲିସ ମାମଲା ରୁଜୁ କରିଥିବା ଜଣାପଡିଛି । ଅଭିଯୁକ୍ତ ତାପସ ଜଣଙ୍କଠାରୁ ୨ଲକ୍ଷ ୬୦ ହଜାର ଟଙ୍କା ନେଇଥିବାବେଳେ ଅନ୍ୟ ଜଣଙ୍କଠାରୁ ୩ଲକ୍ଷ ଏବଂ ଆଉ ଜଣେ ବ୍ୟକ୍ତିଙ୍କଠାରୁ ୫ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏନେଇ ବନ୍ଧନ ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ସ୍ମୃତି ମନୋରମା ମଲ୍ଲିକ(୨୯) ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଖୋଳତାଡ କରି ତାପସଙ୍କୁ ଗିରଫ କରିଥିବାବେଳେ ଏହି ଠକେଇରେ ଆଉ କେଉଁ କେଉଁମାନଙ୍କ ସଂପୃକ୍ତି ରହିଛି କି ନାହିଁ ତାର ଖୋଳତାଡ କରୁଛି କମିଶନରେଟ୍ ପୁଲିସ ।
ସୂଚନାଯୋଗ୍ୟଯେ,କଳ୍ପନା ସ୍କୋରରେ ଥିବା ବନ୍ଧନ ବ୍ୟାଙ୍କରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି ସ୍ମୃତି ମନୋରମା ମଲ୍ଲିକ । ପିପିଲିର ବୈଶାଖୀ ମହାନ୍ତି ସ୍ୱାମୀ ସୁଧାଂଶୁ ରଂଜନ ମହାନ୍ତି ଚନ୍ଦ୍ରଶେଖରପୁର ଥାନା ମାଲାବାର ଜୁଏଲରୀରେ କାର୍ଯ୍ୟ କରୁଛନ୍ତି । ବୈଶାଖୀ ତାପସ ମହାପାତ୍ରଙ୍କୁ ଧରି ବ୍ୟାଙ୍କରୁ କିଛି ଋଣ ନେବାକୁ ଆସିଥିଲେ । ହେଲେ ବୈଶାଖୀ ନାମରେ ହୋଇଥିଲା ୨ଲକ୍ଷ ୬୦ ହଜାର ଟଙ୍କାର ଲୋନ୍ । ଏହି ସମୟର ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନଜେରଙ୍କୁ ବୈଶାଖୀ ନିଜର ଆଧାର ଓ ମୋବାଇଲ ନମ୍ବର ଦେବା ପରିବର୍ତ୍ତେ ଅଭିଯୁକ୍ତ ତାପସ କୌଶଳ କ୍ରମେ ନିଜ ପତ୍ନୀଙ୍କ ଆଧାରକାର୍ଡ ଓ ମୋବାଇଲ ନମ୍ବର ଦେଇ ଦେଇଥିଲେ । ହେଲେ ଲୋନ ଟଙ୍କା ସବୁ ତାପସଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଚାଲି ଯାଇଥିଲା । ସେହିଭଳି ଅନ୍ୟ ଦୁଇ ଜଣଙ୍କ ନାମରେ କରାଯାଇଥିବା ଲୋନ ୫ଲକ୍ଷ ଓ ୩ଲକ୍ଷ ୫୦ ହଜାର ଟଙ୍କା ତାପସଙ୍କ ଆକାଉଣ୍ଟକୁ ଚାଲି ଯାଇଥିଲା । ସେ କୌଶଳ କ୍ରମେ ନିଜର ଡକୁ୍ୟମେଣ୍ଟକୁ ବ୍ୟାଙ୍କରେ ଦେଇଥିଲେ । ସମୁଦାୟ ୧୧ ଲକ୍ଷ ଟଙ୍କା ପାଇଯିବା ପରେ ତାପସ ସେଠାରୁ କୌଶଳ କ୍ରମେ ଚାଲି ଆସିଥିଲେ । ପରେ ଅଭିଯୋଗକାରୀ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବା ବେଳେ ଟଙ୍କା ସବୁ ତାପସଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟଙ୍କା ଚାଲି ଯାଇଛି । ପରେ ତାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ ମଧ୍ୟ ସେ ଆଉ ଫେରାଇନଥିଲେ । ଶେଷରେ ଆସିଷ୍ଟାଣ୍ଡ ମ୍ୟାନେଜର ସ୍ମୃତି ମନୋରମା ମଲ୍ଲିକ ନିଜ ଆଡୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଠକେଇ ମାମଲା ରୁଜୁ କରି ଅଭିଯୁକ୍ତ ତାପସକୁ ଶନିବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଠକେଇ ଘଟଣାରେ ଆଉ କେଉଁ କେଉଁମାନଙ୍କ ସଂପୃକ୍ତି ରହିଛି କି ନାହିଁ ପୁଲିସ ତାର ଖୋଳତାଡ କରୁଛି ।