ପୁଲିସ ଜାଲରେ ୧୧ ଜଣିଆ ଆନ୍ତଃରାଜ୍ୟ ପାଇପ୍ ଚୋର ଗ୍ୟାଙ୍ଗ୍

ଭୁବନେଶ୍ୱର, ୩୧ା୫ : ପାଣି ପାଇପ ଚୋରି କରି ରାଜ୍ୟ ବାହାରକୁ ଚାଲାଣ କରୁଥିବା ଏକ ବଡ ରାକେଟକୁ ଧରିଛି ଭୁବନେଶ୍ୱର ପୁଲିସ୍ । ଏହି ରାକେଟର ୧୧ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ, ଯିଏ ପ୍ରାୟ ଦୁଇ ବର୍ଷ ତଳେ ସୋଶାଲ ମିଡିଆରେ ନିଜ ପ୍ରେମ କାହାଣୀ ପାଇଁ ବେଶ୍ ଚର୍ଚ୍ଚାରେ ରହିଥିଲେ । ସେହିପରି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଗ୍ୟାଙ୍ଗର ମୁଖ୍ୟ ସୁଧୀର ବେହେରା ଓ ଦୁଇ ଟ୍ରାନ୍ସପୋର୍ଟର ରମେଶଚନ୍ଦ୍ର ସାହୁ ଏବଂ ସନ୍ଦୀପ ଅଗ୍ରୱାଲ ।
ସୂଚନା ଅନୁଯାୟୀ, ଏହି ରାକେଟ ଯେଉଁ ସବୁ ସ୍ଥାନରେ କମ୍ପାନୀର ପାଣି ପାଇପ ସଂଯୋଗ କାର୍ଯ୍ୟ ଚାଲିଥାଏ, ସେହି ସ୍ଥାନଗୁଡିକୁ ଚିହ୍ନଟ କରି ପାଇପ ଗୁଡିକୁ ଚୋରି କରି ଟ୍ରକ୍ ଯୋଗେ ବାହାର ରାଜ୍ୟକୁ ନେଇ ବିକ୍ରି କରି ଦେଉଥିଲେ । କେବଳ ଭୁବନେଶ୍ୱର ନୁହେଁ, ଏମାନେ ରାୟଗଡା, କନ୍ଧମାଳ, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଆଦି ଜିଲ୍ଲାରେ ସକ୍ରିୟ ଥିଲେ । ଏସବୁ ସ୍ଥାନରେ ଏମାନଙ୍କ ନାଁରେ ୮ଟି ମାମଲା ରହିଛି । ପାଇପ୍ ଚୋରି କରିବା ପରେ ଏମାନେ ନକଲି କାଗଜପତ୍ର ତିଆରି କରି ଚାଲାଣ ତିଆରି କରୁଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯେକୌଣସି ଟ୍ରକ୍ରେ ସେଗୁଡିକୁ ଲୋଡ୍ କରି ପଠାଇ ଦେଉଥିଲେ । ରାୟପୁର ଓ ଭିଲାଇ ସମେତ ଅନ୍ୟାନ୍ୟ ସ୍ଥାନକୁ ଏମାନେ ଚୋରା ପାଇପ ପଠାଉଥିଲେ, ଯେଉଁଠାରେ ସେଗୁଡିକୁ ମେଲ୍ଟ କରି ଦିଆଯାଉଥିଲା । ସ୍କ୍ରାପ୍ ଡିଲରଙ୍କ ଜରିଆରେ ସେମାନେ ଏହି କାମ କରି ବେଶ୍ ଭଲ ପଇସା ପାଉଥିଲେ । ଏମାନେ ୧ ହଜାରରୁ ଅଧିକ ପାଇପ ଚୋରି କରିଛନ୍ତି,ଯାହାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି ।
ସେ କହିଛନ୍ତି, ଏହି ରାକେଟର ମୁଖ୍ୟ ହେଉଛି ସୁଧୀର ବେହେରା । ସେ ଚନ୍ଦକା ଅଞ୍ଚଳର ବାସିନ୍ଦା । ସେ ସମସ୍ତଙ୍କୁ ଏକାଠି କରି ପୂରା କାମ କରାଉଥିଲା । ପାଇପ କାମ ହେଉଥିବା ସ୍ଥାନଗୁଡିକୁ ସେ ହିଁ ଚିହ୍ନଟ କରେ । କେଉଁ ସ୍ଥାନରୁ ଚୋରି କରିବାକୁ ସୁବିଧା ହେବ, ତାହା ବି ସେ ସ୍ଥିର କରେ । ତା’ପରେ ଟ୍ରାନ୍ସପୋର୍ଟରଙ୍କୁ ଠିକ୍ କରୁଥିଲା । ଲେବର ଡାକୁ ଥିଲା ଓ ଗ୍ୟାଙ୍ଗ ସଦସ୍ୟଙ୍କ ସହାୟତାରେ ପାପ୍ ଚୋରି କରି ବାହାର ରାଜ୍ୟକୁ ପଠାଉଥିଲା । ଦୁଇ ଟ୍ରାନ୍ସପୋର୍ଟର ରମେଶଚନ୍ଦ୍ର ସାହୁ ଓ ସନ୍ଦୀପ ଅଗ୍ରୱାଲ ଏମାନଙ୍କ ସହିତ ମିଶି କାମ କରୁଥିଲେ । ତେଣୁ ଟ୍ରକ୍ ଆଦି ଯୋଗାଡ କରିବାରେ ଗ୍ୟାଙ୍ଗକୁ ସୁବିଧା ହେଉଥିଲା । ଆଲୋକ ଭୋଳ ଓରଫ ଟୁଙ୍ଗୁର ଭୋଳ ମଧ୍ୟ ଏହି ରାକେଟ ପାଇଁ କାମ କରୁଥିଲା । ତା’ର ଅଟୋ ଅଛି । ସେହି ଅଟୋରେ ସେ ଶ୍ରମିକମାନଙ୍କୁ ନେବାଆଣିବା କରୁଥିଲା ।
ଡିସିପି କହିଛନ୍ତି ଏହାବି କହିଛନ୍ତି ଯେ, ଏହି ରାକେଟର ଆହୁରି ୪ ଜଣ ସଦସ୍ୟ ଅଛନ୍ତି । ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି । ବାହାର ରାଜ୍ୟରେ ଥିବା ଏମାନଙ୍କର ସହଯୋଗୀଙ୍କୁ ଧରିବାକୁ ପଦକ୍ଷେପ ନିଆଯିବ । ଅଭିଯୁକ୍ତମାନେ ପାଇପ ବିକି ଅର୍ଜନ କରିଥିବା ଟଙ୍କାକୁ ଜବତ କରିବାକୁ ଚେଷ୍ଟା କରାଯିବ । ସେସବୁ ଦିଗରେ ତଦନ୍ତ ଜାରି ରହିଛି । ଦରକାର ପଡିଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରାଯିବ ।