ପିତାପଲ୍ଲୀ ଛକରୁ ଖୁଚୁରା ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଲୁଟ୍
୪ ଲୁଟେରାଙ୍କୁ ଧରିଲା ଇନଫୋଭ୍ୟାଲି ପୁଲିସ ; ୯ ଲକ୍ଷ ୬୯ ହଜାର ଜବତ
ଭୁବନେଶ୍ୱର, ୫ା୪ : ଗତ ୩୦ ତାରିଖ ଦିନ ଜଣେ ଖୁଚୁରା ବ୍ୟବସାୟୀଙ୍କ ଠାରୁ ଖୋର୍ଦ୍ଧା ପିତାପଲ୍ଲୀ ଛକରୁ କିଛି ଦୁର୍ବୃତ୍ତ ବେକରେ ଭୁଜାଲି ଲଗାଇ ଲୁଟି ନେଇଥିଲେ ୧୧ ଲକ୍ଷ ଟଙ୍କା ଓ ସ୍କୁଟି ବାଇକ । ଏନେଇ ଅଭିଯୋଗକାରୀ ଇନଫୋଭ୍ୟାଲି ଥାନାରେ ଅଭିଯୋଗ କରିଥିବା ବେଳେ, ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଘଟଣାର ୬ ଦିନ ପରେ ଆଜି ୪ ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୯ ଲକ୍ଷ ୬୯ ହଜାର ଟଙ୍କା, ୪ଟି ବାଇକ ଏବଂ ୩ଟି ମୋବାଇଲ ଜବତ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ, ଖୋର୍ଦ୍ଧା କୁମାରବସ୍ତର ସୋମନାଥ ଜେନା, ଖୋର୍ଦ୍ଧା କଦଳିବାଡିର ଦିପ୍ତି ରଞ୍ଜନ ବଳିଆରସିଂ, ନୟାଗଡ଼ର ଆଶିଷ କୁମାର ଦାସ ଏବଂ ଜଙ୍କିଆ ହଦପଦାର ସୃତିରଞ୍ଜନ ସେଠୀ । ଆଜି ସମସ୍ତଙ୍କୁ ଥାନା କେସ ନମ୍ବର ୮୮ରେ ମାମଲା ରୁଜୁକରି ଦଫା ୩୯୨ା୩୪ରେ କୋର୍ଟ ଚାଲାଣ କରାଯାଇଛି । ଏହା ଭିତରେ ଅଭିଯୁକ୍ତ ସୋମନାଥ ଜେନା ନାମରେ ପୂର୍ବରୁ ଖୋର୍ଦ୍ଧା ଥାନାରେ ହତ୍ୟା, ଲୁଟ୍, ଦାଦାବଟି ଭଳି ୩ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ଦିପ୍ତିରଞ୍ଜନ ବଳିଆରସିଂ ନାମରେ ଖୋର୍ଦ୍ଧା ସଦର ଥାନାରେ ମଧ୍ୟ ଲୁଟ୍, ଡକାୟତି, ଛିନତାଇ, ହତ୍ୟା ଉଦ୍ୟମ ଭଳି ମାମଲା ରହିଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଉଦୟ ଭାନୁ ବିଶ୍ୱାଳ ଜଣେ ଖୁଚୁରା ବ୍ୟବସାୟୀ ହୋଇଥିବା ବେଳେ ସେ ଖାରବେଳନଗର ଥାନା ଅଧିନ ଶାସ୍ତ୍ରୀନଗର ଅଞ୍ଚଳରେ ରୁହନ୍ତି । ସେ ନିଜର ବ୍ୟବସାୟ ପାଇଁ ଓ ଅନ୍ୟ କିଛି ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କର ପୁରୁଣା ଓ ୫୦୦ ଟଙ୍କିଆ ନୋଟ କଳେକ୍ସନ କରି ସେହି ଟଙ୍କାକୁ ବଦଳାଇ ଖୁଚୁରା ଟଙ୍କା ଆଣିବାକୁ ପ୍ରାୟତ ଗଞ୍ଜାମ ଜିଲ୍ଲା ଛତ୍ରପୁର ଏସବିଆଇ ବ୍ରାଞ୍ଚକୁ ଯାଇ ବାଇକରେ ଟଙ୍କା ଆଣୁଥିଲେ । ଏହିଭଳି ଗତ ୩୦ ତାରିଖରେ ମଧ୍ୟ ଶମ୍ଭୁନାଥ ଓ ଧର୍ମେନ୍ଦ୍ର ରେଡ୍ଡୀ ଗଞ୍ଜାମ ଛତ୍ରପୁର ଏସବିଆଇ ବ୍ରାଞ୍ଚରୁ ୧୧ ଲକ୍ଷ ଟଙ୍କା ବଦଳାଇ ୧୧ ଲକ୍ଷ ଟଙ୍କାର ଖୁଚୁରା ଓ ୧୦ ଜଙ୍କିଆ ୨୦ ଟଙ୍କିଆ ନୋଟ ନେଇ ଏକ ସ୍କୁଟିରେ ଦୁଇ ଜଣ ଭୁବନେଶ୍ୱର ଆସୁଥିଲେ । ଏହି ସମୟରେ ଠିକ ସନ୍ଧ୍ୟା ୫ଟା ୩୦ ସମୟରେ ଖୋର୍ଦ୍ଧା ପିତାପଲ୍ଲୀ ଠାରେ କିଛି ଲୁଟେରା ୪ଟି ବାଇକରେ ସେମାନଙ୍କ ପିଛାକରି ଅଟକାଇବା ସହ ବେକରେ ଭୁଜାଲି ଲଗାଇ ସେମାନଙ୍କ ଠାରୁ ଟଙ୍କା, ବାଇକ ନେବା ସହ ୨ ଜଣଙ୍କୁ ଅନ୍ୟ ବାଇକରେ ଅପହରଣ କରି ନେଇଯାଇଥିଲେ । କିଛିବାଟ ଗଲାପରେ ୨ ଜଣଙ୍କୁ ଏକ ନିଛାଟିଆ ସ୍ଥାନରେ ଛାଡି ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ଇନଫୋଭ୍ୟାଲି ଥାନାକୁ ଆସି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ।
କେମିତି ଲୁଟେରାଙ୍କ ପାଖରେ ପହଞ୍ଚିଲା ପୁଲିସ ; ପୁଲିସ ତଦନ୍ତ ବେଳେ ପିତାପଲ୍ଲୀ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ଏହି ୪ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏହି ଲୁଟେରା ମାନେ ଫାଇନ୍ସାସ କମ୍ପାନୀର ଗାଡି ଗୁଡ଼ିକୁ ହାଇୱେ ଉପରେ ଜଗି ବିଭିନ୍ନ ଗାଡି ମାନଙ୍କଠାରୁ ଟଙ୍କା ଆଦାୟ କରିଥାନ୍ତି । ପ୍ରାୟତ ଏମାନେ ପିତାପଲ୍ଲୀ ଛକ ନିକଟରେ ବାଇକ ଲଗାଇ ହାଇୱେରେ ଜଗିଥାନ୍ତି । ହେଲେ ଏବେ ମାର୍ଚ୍ଚ ମାସ ଯୋଗୁ କାମ ବନ୍ଦ ରହିଥିବାରୁ ଏମାନେ ନିଛାଟିଆ ଲୋକ, ଟଙ୍କା ନେଉଥିବା ଲୋକଙ୍କୁ ଟାର୍ଗେଟ କରି ଲୁଟ୍ ପାଟ୍ କରିଥାନ୍ତି । ଯାହା ସ୍ଥାନୀୟ ଲୋକେ ସବୁ ଦେଖି ମଧ୍ୟ ଚୁପ୍ ରହିଥାନ୍ତି । ଏହି ଘଟଣାକୁ ନେଇ ପୁଲିସ ପଚରା ଉଚରା ପରେ ୪ ଜଣ ଲୁଟେରାଙ୍କ ମଧ୍ୟରୁ ଜଣେ କୁମାରବସ୍ତର ସୋମନାଥ ଜେନାକୁ ଲୋକେ ଚିହ୍ନିଥିବା ବେଳେ ତାକୁ ପୁଲିସ ଚଢ଼ାଉ କରି ଗିରଫ କରିଥିଲା । ପରେ ପରେ ବାକି ୩ ଜଣ ଲୁଟେରାଙ୍କୁ ମଧ୍ୟ କାବୁ କରାଯାଇ ସେମାନଙ୍କ ଠାରୁ ୯ ଲକ୍ଷ ୬୭ ହଜାର ଟଙ୍କା ଜବତ କରାଯାଇପାରିଥିଲା ।