କମିଶନରେଟ୍ ପୁଲିସ କବଜାରେ କାଜଲ-ବିଟୁ-ମଧୁ ଗ୍ୟାଙ୍ଗ୍
ଭୁବନେଶ୍ୱର, ୧୩ା୪ : କମିଶନରେଟ୍ ପୁଲିସ କବଜାରେ କାଜଲ-ବିଟୁ-ମଧୁ ଗ୍ୟାଙ୍ଗ୍ । ଜେଲରେ ରହି ସ୍ଥାନୀୟ ଲୁଟେରାଙ୍କ ସହ ମିଶି କରିଥିଲେ ରାଜଧାନୀର ମାଷ୍ଟର ପ୍ଲାନ୍ । ପରେ ଜେଲରୁ ବାହାରି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି କରିଥିଲେ ବଡ଼ଧରଣର ଲୁଟ୍ ଓ ଡକାୟତି । ବିଭିନ୍ନ ଜିଲ୍ଲା ସମେତ ରାଜଧାନୀରେ ରହିଛି ଏମାନଙ୍କ ନାମରେ ୩୧ଟି ମାମଲା ରହିଥିବା ବେଳେ, ୫ଟି ଜିଲ୍ଲା ପାଇଁ ଏମାନେ ଥିଲେ ମୋଷ୍ଟୱାଣ୍ଟେଡ୍ । ଜେଲରୁ ବାହାରି ଗତ ୨ମାସ ହେଲା ଭୁବନେଶ୍ୱର ସହିତ ଭଦ୍ରକ ଓ ପୁରୀ ଆଦି ସ୍ଥାନରେ ଏହି କାଜଲ-ବିଟୁ-ମଧୁ ଗ୍ୟାଙ୍ଗ୍ ସକ୍ରୀୟ ରହିଥିଲେ । ଏହି ୩ ଜଣିଆ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ମିଳିତ ଭାବେ ଶୁକ୍ରବାର ରାତିରେ ଗିରଫ କରିଛି, କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ । ସେମାନଙ୍କଠାରୁ ୧କେଜି ସୁନାଗହଣା, ୧କେଜି ୩୦୦ ଗ୍ରାମ ରୂପା ଅଳଙ୍କାର, ନଗଦ ୩ ଲକ୍ଷ ୨୫ ହାଜର ଟଙ୍କା, ୩ଟି ମୋବାଇଲ ଓ ଏକ ବାଇକ ଜବତ କରାଯାଇଛି । ଗିରଫ ତିନି ଅଭିଯୁକ୍ତ ହେଲେ, ଜଗତସିଂହପୁର ଶୁଭ୍ରକାନ୍ତ ବେହେରା ଓରଫ କାଜଲ, ଯାଜପୁର ଜିଲ୍ଲା ମଙ୍ଗଳପୁରର ବିଶ୍ୱଜିତ ଦାସ ଓରଫ ବିଟୁ ଓ ଜଗତସିଂହପୁରର ମଧୁସୂଦନ ମହାନ୍ତି ଓରଫ ମଧୁ ଓ ପାରାଦୀପ ତିରତୋଲର ଜଗନ୍ନାଥ ଜୁଏଲାରୀ ମାଲିକ ସୁଦାମ ଚରଣ ସାହୁ । ୩ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ବେଳେ, ଶୁଭ୍ରକାନ୍ତ ଓରଫ କାଜଲ ନାଁରେ ବିଭିନ୍ନ ଥାନାରେ ୩୧ଟି ମାମଲା, ବିଶ୍ୱଜିତ ଓରଫ ବିଟୁ ନାଁରେ ୩୮ଟି ଓ ମଧୁସୂଦନ ନାଁରେ ୧୨ଟି ମାମଲା ରହିଛି । ମଧୁସୂଦନ ନାଁରେ ହତ୍ୟା ମାମଲା ମଧ୍ୟ ଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଲୋକାଲ ଇନଫର୍ମର ରଖି କେଉଁ ଘର ଖାଲି ପଡୁଛି, ତା'ର ଖବର ନେଉଥିଲେ । ପରେ ଇନଫର୍ମରମାନେ ଫୋନ୍ ଯୋଗେ ସେମାନଙ୍କ ସହିତ ଯୋଗାଯୋଗ କରି ବିଭିନ୍ନ ଘରୁ ଲୁଟ୍ କରି ବାଇକରେ ଚମ୍ପଟ ମାରୁଥିଲେ । ଏହି ଲୁଟ୍ ସମୟରେ ସବୁବେଳେ ପାଖରେ ଏମାନେ ମାରଣାସ୍ତ୍ର ରଖୁଥିଲେ । ଆବଶ୍ୟକ ପଡ଼ିଲେ ଘରେ ଥିବା ଲୋକଙ୍କୁ ବାନ୍ଧି ଲୁଟ୍ କରିବା ସମୟରେ ଜଦି କେହି ଏଥିରେ ବାଧା ସୃଷ୍ଟିକରେ ସେମାନଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉନଥିଲେ । ଗତ ଦୁଇମାସ ହେଲାଣି ଭୁବନେଶ୍ୱର, ପୁରୀ, ଭଦ୍ରକ, ନୟାଗଡ଼ ଓ ଯାଜପୁର ଅଞ୍ଚଳରେ ସେମାନେ ପ୍ରାୟତ ସକ୍ରିୟ ରହିଥିଲେ । କିଛିଦିନି ତଳେ ପୁରୀ ବଳଙ୍ଗାରେ ଲୋକାଲ ଡକାୟତଙ୍କ ସହ ମିଶି ଏକ ଡାକ୍ତର ଦମ୍ପତିଙ୍କୁ ହାତଗୋଡ ବାନ୍ଧି ଏହି ଗ୍ୟାଙ୍ଗ ଡକାୟତି କରିଥିଲେ । ସେହିଭଳି ଗତ ୩୦ ତାରିଖରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଧିନ କାନନ ବିହାରର ଏକ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇଥିଲେ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇବା ସହ ମାମଲାକୁ ସ୍ପେଶାଲ ସ୍କ୍ୱାଡ ହାତକୁ ହସ୍ତାନ୍ତର କରାଯାଇଥିଲା । ଫଳରେ ଉଭୟେ ଟିମ ମିଳିତ ଭାବେ ତଦନ୍ତ ଚଳାଇ ଆଜି ଏହି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।
ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଗତ ୨ ମାସ ହେଲା ସେମାନେ ସକ୍ରିୟ ଥିଲେ ଏହି ଗ୍ୟାଙ୍ଗ୍ । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ପଟିଆ, ଇନଫୋସିଟି ଓ ନନ୍ଦନକାନନ ଅଞ୍ଚଳରେ ସେମାନେ ୫ଟି ଚୋରି ମାମଲାରେ ସଂପୃକ୍ତ ରହିଛନ୍ତି । ଏହା ବ୍ୟତୀତ ଏହି ୨ ମାସ ଭିତରେ ସେମାନେ ପୁରୀରେ ୩ଟି ଓ ଭଦ୍ରକରେ ୨ଟି ଡକାୟତି ମାମଲାରେ ଜଡ଼ିତ ଅଛନ୍ତି । ୨୦୨୩ ଜୁନ୍ ମାସରେ ଭୁବନେଶ୍ୱର ପୁଲିସ ସେମାନଙ୍କୁ ଗିରଫ କରି ଜେଲ ପଠାଇଥିଲା । ଜେଲ ଭିତରେ ଏମାନେ ମାଷ୍ଟର ପ୍ଲାନ୍ ତିଆରି କରି ଜେଲକୁ ଯାଉଥିବା ଅନ୍ୟ ଲୁଟେରା, ଡକାୟତଙ୍କଠାରୁ ପ୍ଲାନ୍ ତିଆରି କରି ପୁରା ରାଜଧାନୀକୁ କରିଥିଲେ ଟାର୍ଗେଟ । ପରେ ଗତ ଫେବ୍ରୁଆରୀ ମାସରେ ସେମାନେ ଜେଲରୁ ବାହାରିବା ପରେ ପୁଣି ଏକାଠି ହୋଇ ଡକାୟତି ଓ ଚୋରି ଆରମ୍ଭ କରି ଦେଇଥିଲେ । ଏମାନଙ୍କ ସହ ଜଣେ ସୁନା ଦୋକାନୀ ମଧ୍ୟ ରହିଛି । ଯିଏ କି ଚୋରା ସୁନାକୁ ରଖି ଏମାନଙ୍କୁ ଟଙ୍କା ଦେଉଥିଲା ।