୨ ଟଙ୍କା ପାଇଁ ଗୁଳି
ଚାନ୍ଦବାଲି: ସାମାନ୍ୟ ୨ ଟଙ୍କା ପାଇଁ ଯୁକ୍ତିତର୍କ ଆଉ ତା’ପରେ ସିଧା ଗୁଳି । ଏମିତି ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଗୁଳିମାଡ଼ରୁ ବାପା ପୁଅ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଗୁଳି ଫୁଟାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଏମିତି ଘଟଣା ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ନାଲଗୁଣ୍ଡା ଛକ ନିକଟରେ ଘଟିଛି । ନାଲଗୁଣ୍ଡା ଛକ ଠାରୁ କିଛି ଦୂରରେ ସାଧୁ ଚରଣ ବେହେରା ଏକ ପାନ ଦୋକାନ କରି ସେଥିରେ କୋଲଡ୍ରିଂକ୍ସ ମଧ୍ୟ ବିକ୍ରି କରିଥାନ୍ତି ।
ଆଜି ଅପରାହ୍ନ ସମୟରେ ୨ଟି ବାଇକରେ ୬ ଜଣ ଯୁବକ ଆସି ତାଙ୍କୁ ଏକ ନିର୍ଦ୍ଦିଷ୍ଟ କମ୍ପାନୀର କୋଲ ଡ୍ରିଂକ୍ସ ମାଗିଥିଲେ । କୋଲ ଡ୍ରିଂକ୍ସ ପିଇ ସାରିବା ପରେ ଦୋକାନୀ ତାଙ୍କୁ ଗୋଟାକୁ ୧୨ ଟଙ୍କା ଦେବାକୁ କହିଥିଲା । ତେବେ ୧୦ ଟଙ୍କା ପ୍ରିଣ୍ଟ ଥିବା ବେଳେ ତୁମେ କାହିଁକି ୧୨ ଟଙ୍କା ନେଉଛ ବୋଲି କହି ଯୁକ୍ତିତର୍କ ହୋଇଥିଲା । ତାପରେ ୬ ଜଣ ଯୁବକ ମିଶି ଦୋକାନୀ ଏବଂ ତାଙ୍କ ପୁଅକୁ ମାଡ଼ ମାରିଥିଲେ । ଦୁର୍ଦ୍ଦାନ୍ତ ଯୁବକମାନେ ୨ଟି ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ଜୀବନ ବିକଳରେ ବାପ ପୁଅ ଦୋକାନ ଛାଡି ଦୌଡ଼ିଥିଲେ । ଏହି ସୁଯୋଗରେ ଦୋକାନରେ ଥିବା ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇ ସେମାନେ ଚମ୍ପଟ ମାରିଥିଲେ । ଖବର ପାଇ ମତୋ ଫାଣ୍ଡି ଅଧିକାରୀ ଛତିଶ କୁମାର ଗୋଛି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।