ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜ୍ୟପାଳ
ଭୁବନେଶ୍ୱର : ସଂପ୍ରତି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସତର୍କ ରହିବା ଏବଂ ଶୂନ୍ୟ ଜୀବନହାନୀକୁ ସୁନିଶ୍ଚିତ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି । ଆଜି ରାଜଭବନର ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତି ଏବଂ ପ୍ରଭାବିତ ଜିଲ୍ଲାମାନଙ୍କର ବର୍ତ୍ତମାନର ସ୍ଥିତି ସଂପର୍କରେ ସମୀକ୍ଷା କରି ବନ୍ୟା ମୁକାବିଲା ଏବଂ ଜୀବନ ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ଜନସାଧାରଣଙ୍କର ଜୀବନକୁ ସୁରକ୍ଷା ଦେବା ଆମର ସର୍ବୋତ୍ତମ କାର୍ଯ୍ୟ ବୋଲି ରାଜ୍ୟପାଳ କହିବା ସହିତ ବନ୍ୟା ସମୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଆଗୁଆ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ-ତଥା-ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓ ରଂଜନ କୁମାର ସିଂହ, ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ, ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ମନୀଷ ଅଗ୍ରୱାଲଙ୍କ ସମେତ ଜଳ ସଂପଦ ବିଭାଗର ଇଂଜିନିୟର ଇନ ଚିଫ୍ ଓ ମୁଖ୍ୟ ଯନ୍ତ୍ରୀମାନେ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଭାଗୀୟ ଅଧିକାରୀମାନେ ବନ୍ୟା ପ୍ରଭାବିତ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାର ସ୍ଥିତି ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ଜାରି କରାଯାଇଥିବା ତଦାରଖ ବ୍ୟବସ୍ଥା ଓ ପରାମର୍ଶ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ନଦୀ ଅବବାହିକାର ସ୍ଥିତି, ବନ୍ୟା ଏବଂ ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତି, ଆଶ୍ରୟସ୍ଥଳର ବ୍ୟବସ୍ଥା ଏବଂ ରିଲିଫ୍ ସହାୟତା ସଂପର୍କରେ ରାଜ୍ୟପାଳ ସମୀକ୍ଷା କରିଥିଲେ । ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉସôର୍ଗୀକୃତ ପ୍ରୟାସ ଏବଂ ସଂକଟ ସମୟରେ ପ୍ରଭାବିତ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦେବାର କାର୍ଯ୍ୟାବଳୀ ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ।