କାର୍ଯ୍ୟରେ ଆସୁନି ବସଷ୍ଟାଣ୍ଡ ଶୌଚାଳୟ
ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ପୁରୁଣା ବସଷ୍ଟାଣ୍ଡ ପରିସରରେ ନୂତନ କରି ନିର୍ମାଣ ଶେଷ ହୋଇଥିବା ଗୋଷ୍ଠୀ ଶୌଚାଳୟ ଓ ସ୍ନାନାଗାରଟିରେ ସଦାସର୍ବଦା ତାଲା ଝୁଲୁଥିବା ଜଣାପଡିଛି । ଫଳରେ ସର୍ବସାଧାରଣଙ୍କ ସେବାରେ ଗୋଷ୍ଠୀ ଶୌଚାଳୟଟି ଆସୁନଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦୈନିକ ଉକ୍ତ ସ୍ଥାନରୁ ଯାତ୍ରିବାହୀ ବସ ଯୋଗେ ଜନସାଧାରଣ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ବେଳେ ବିଶେଷ କରି ମହିଳା ଯାତ୍ରୀମାନେ ସମୟ,ଅସମୟରେ ଶୌଚାଳୟ ଯିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ତେଣୁ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉକ୍ତ ଶୌଚାଳୟ ଓ ସ୍ନାନାଗାରଟିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦିଗରେ ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । ସେହିପରି ଖଣ୍ଡପଡ଼ା ସହରର ପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୌଚାଳୟ, ସ୍ନାନାଗାର ସମେତ ୫ ନଂ ୱାର୍ଡ ଅଧିନ ନିଳାଚଳ ସାହିରେ ନୂତନ କରି ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀ ଦାବି କରିଛନ୍ତି ।