ଇତିହାସ ରଚିବେ ଅନୁ ଗର୍ଗ : ହେବେ ପ୍ରଥମ ମହିଳା ମୁଖ୍ୟସଚିବ
ଭୁବନେଶ୍ୱର : ନୂଆବର୍ଷରୁ କିଏ ହେବେ ମୁଖ୍ୟ ଶାସନ ସଚିବ ? ରାଜନୀତିକ ଅଳିନ୍ଦରୁ ନେଇ ପାୱାର କରିଡ଼ର ପର୍ଯ୍ୟନ୍ତ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । ଆଜି ସମସ୍ତ ଚର୍ଚ୍ଚାରେ ବିରାମ ଲଗାଇ ମୋହନ ସରକାର ଅନୁ ଗର୍ଗଙ୍କୁ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଆସନ୍ତା ୩୧ରେ ମୁଖ୍ୟସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିବାବେଳେ ନୂଆବର୍ଷରୁ ଶ୍ରୀମତୀ ଗର୍ଗ ଦାୟିତ୍ୱ ଗ୍ରହଣ କରିବା ସହ ଇତିହାସ ରଚିବେ। ସେ ହେବେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ।
୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡ଼ର ଆଇଏଏସ ଅନୁ ଗର୍ଗ ୧୯୬୯ ମସିହା ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିଲେ। ୬୦ ବର୍ଷ ଅବସର ବୟସ ହୋଇଥିବାରୁ ସରକାର ଚାହିଁଲେ ଶ୍ରୀମତୀ ଗର୍ଗ ୨୦୨୯ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ମୁଖ୍ୟସଚିବ ରହିପାରିବେ। ଅବସର ପାଇଁ ଲମ୍ବା ସମୟ ରହିଥିବାରୁ ୨୦୩୬ ସମୃଦ୍ଧ ଓଡ଼ିଶା ଭିଜନକୁ ତ୍ୱରାନ୍ୱିତ କରିବା ପାଇଁ ଅନୁ ଗର୍ଗଙ୍କୁ ହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଶାସନ ସଚିବ ଭାବେ ଚୟନ କରିଛନ୍ତି ।
ପ୍ରଥମ ମହିଳା ଉନ୍ନୟନ କମିଶନର ହେବାର ବି ସେ ସୌଭାଗ୍ୟ ଅର୍ଜନ କରିଛନ୍ତି । ଜଣେ ଦକ୍ଷ ଅଫିସର ଭାବେ ଅନୁଙ୍କର ସୁନାମ ରହିଛି । ଆଜି ବିଧିବଦ୍ଧ ଭାବେ ଅନୁଙ୍କ ନିଯୁକ୍ତିକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ନୂଆଦିଲ୍ଲୀର ଲେଡ଼ି ଶ୍ରୀରାମ କଲେଜ ଓ ଲକ୍ଷେ୍ମø ବିଶ୍ୱବିଦ୍ୟାଳୟରୁ ଏମଏ କରିବା ପରେ ୧୯୯୧ରେ ଆଇଏଏସ ହେବାର ସୌଭାଗ୍ୟ ପାଇଥିଲେ । ୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ସେ ବିଭିନ୍ନ ଜିଲ୍ଲାରେ ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୦୮ରୁ ୨୦୧୨ ମଧ୍ୟରେ ସେ ବିଭିନ୍ନ ବିଭାଗର କମିଶନର ସଚିବ ଭାବେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦିତ କରିଥିଲେ। ମୋହନ ସରକାରଙ୍କ ଅମଳରେ ଶ୍ରୀମତୀ ଗର୍ଗ ବେଶ୍ ସକ୍ରିୟ ରହିଥିଲେ । ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
Samir Kumar Rout