ଚିଲିକାରେ କମୁଛି ମତ୍ସ୍ୟ ଉତ୍ପାଦନ

ଚିଲିକାରେ କମୁଛି ମତ୍ସ୍ୟ ଉତ୍ପାଦନ

ଏସିଆର ସର୍ବବୃହତ୍ ଲବଣ ହ୍ରଦ ଚିଲିକା ଏହାର ମନୋରମ ଦୃଶ୍ୟ ପାଇଁ ଯେଭଳି ବିଖ୍ୟାତ ଠିକ୍ ସେହିପରି ମତ୍ସ୍ୟ, କଙ୍କଡ଼ା ଆଦି କ୍ଷାରୀ ପାଣି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ସମଗ୍ର ଦେଶରେ ଏହା ବିଖ୍ୟାତ । ଚିଲିକା ଚିଙ୍ଗୁଡ଼ି କିମ୍ବା ଚିଲିକା କଙ୍କଡ଼ା କହିଲେ ସାରା ଭାରତରେ ପର୍ଯ୍ୟଟକମାନଙ୍କ ପାଟିରୁ ଲାଳ ଗଡ଼େ । ଚିଲିକାର ମତ୍ସ୍ୟ, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ଉତ୍ପାଦନ କ୍ଷେତ୍ରରେ ଏହାର ତଟବର୍ତ୍ତୀ ଲୋକମାନେ ନିଜ ନିଜ ଭିତରେ ପ୍ରତିଯୋଗିତା କରି ଏସବୁକୁ ହ୍ରଦ ମଧ୍ୟରେ ଧରନ୍ତି । ଏହି ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼, ଗୁଳିକାଣ୍ଡ ଆଦି ଅନେକ କିଛି ଘଟେ । ଅତୀତରେ ଏ ପ୍ରକାରର ଘଟଣାକୁ ନେଇ ଚିଲିକା ପାଣି ଅନେକ ବାର ରକ୍ତାକ୍ତ ହୋଇଛି । ବର୍ତ୍ତମାନ ଦେଖାଯାଉଛି ଯେ ଚିଲିକାରୁ କଙ୍କଡ଼ା ଏବଂ ଚିଙ୍ଗୁଡ଼ି ଉତ୍ପାଦନ ଦିନକୁ ଦିନ କମୁଛି । ଏଭଳି କମିବାର ନିର୍ଦ୍ଦିଷ୍ଟ କାରଣ ଅନୁସନ୍ଧାନ କରାଯିବା ପୂର୍ବରୁ ମତ୍ସ୍ୟଜୀବୀମାନେ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ପ୍ରକାଶ କରିଛନ୍ତି । ଚିଲିକାରୁ ମାଛ ଧରିବା କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ନିୟମ ରହିଛି । ଜିରୋ ନେଟିଂ ମାଧ୍ୟମରେ ଚିିଲିକାରୁ କୌଣସି ପ୍ରକାରର ଜଳଜୀବ ଧରିବା ବେଆଇନ୍ ବୋଲି ସରକାର ଘୋଷଣା କରିଛନ୍ତି । ଜିରୋ ନେଟିଂର ଅର୍ଥ ହେଲା ଜାଲକୁ ମଶାରୀ ଜାଲ ଠାରୁ ଆହୁରି ସାନ କରି ମାଛ ଯେତେ ଛୋଟ ହେଲେ ମଧ୍ୟ ତାକୁ ଧରିବାର ବ୍ୟବସ୍ଥା । ଜାଲର ରନ୍ଧ୍ର ଛୋଟ ହେଲେ ସେଥିରେ ଛୋଟ ଛୋଟ ମାଛମାନେ ଧରାପଡିଯାନ୍ତି । ଏହା ଫଳରେ ସେମାନେ ବଡ଼ ହେବା ପର୍ଯ୍ୟନ୍ତ ସୁଯୋଗ ପାଆନ୍ତି ନାହିଁ କିମ୍ବା ଭବିଷ୍ୟତରେ ପ୍ରଜନନ କରିବା ଭଳି ଅବସ୍ଥାକୁ ଆସିପାରନ୍ତି ନାହିଁ । ଏହା ଫଳରେ ସେମାନଙ୍କର ବଂଶ ଲୋପ ହୋଇଯାଏ । ଏହି ଦୃଷ୍ଟିରୁ ଜିରୋ ନେଟିଂ ମାଛମରାକୁ ସରକାରୀ ଭାବରେ ବେଆଇନ୍ ବୋଲି ଘୋଷଣା କରାଯାଇଛି । କିନ୍ତୁ ମତ୍ସ୍ୟଜୀବୀମାନେ ଏହାକୁ ମାନୁନାହାନ୍ତି । ଏହା ଫଳରେ ପ୍ରାକୃତିକ ଭାବରେ ଚିଲିକା ପାଣିରେ ବଢ଼ିବାକୁ ଥିବା ମାଛ ବଢ଼ିବା ପୂର୍ବରୁ ଧରାପଡ଼ିଯାଉଛନ୍ତି । ତେଣୁ ଆସନ୍ତା ପୀଢ଼ି ସୃଷ୍ଟି ପାଇଁ ସେମାନଙ୍କର ସୁଯୋଗ ରହୁନାହିଁ । ଚିଙ୍ଗୁଡ଼ି ଉତ୍ପାଦନ କ୍ଷେତ୍ରରେ ସମୁଦାୟ ଚିଲିକାକୁ ସରୁ ଜାଲରେ ଘେରି କରି ଦିଆଯାଇଛି । ଏହା ଫଳରେ ଏକ ନିର୍ଦ୍ଦିଷ୍ଟ କ୍ଷୁଦ୍ର ଅଞ୍ଚଳ ଭିତରେ ଯେତିକି ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ରହିଗଲେ ସେତିକିର ହିିଁ ଉତ୍ପାଦନ ହେବ । ଅର୍ଥାତ୍ ସେତିକିକୁ ଧରି ମତ୍ସ୍ୟଜୀବୀମାନେ ବିକ୍ରି କରିବେ । ଏହି ଘେରି ଭିତରେ ଥିବା ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ଚିଲିକାର ମୁକ୍ତ ପରିବେଶ ଭିତରକୁ ଯାଇନପାରି ଆବଦ୍ଧ ହୋଇ ରହିଯାଉଛନ୍ତି ଏବଂ ପ୍ରଜନନକ୍ଷମ ହେବା ପୂର୍ବରୁ ଜାଲରେ ଧରାପଡ଼ି ମରିଯାଉଛନ୍ତି । ତେଣୁ ଆଗାମୀ ପୀଢ଼ିର ଜୀବଟିଏ ସୃଷ୍ଟି ହେବା ପୂର୍ବରୁ ତାର ବିଲୁପ୍ତି ହୋଇଯାଉଛି । ଏହି କାରଣରୁ ଗତ ୩ ବର୍ଷ ହେଲା ଏଠାରେ ବିଶେଷ କରି କଙ୍କଡ଼ା ଏବଂ ଚିଙ୍ଗୁଡ଼ିର ଉତ୍ପାଦନ କମି କମି ଚାଲିଛି । ୨୦୨୧-୨୨ ଆର୍ଥôକ ବର୍ଷରେ ଚିଙ୍ଗୁଡ଼ି ଉତ୍ପାଦନ ୬୭୬୨.୦୧୫ ମେଟି୍ରକ୍ ଟନ୍ ଉତ୍ପାଦନ ଥିବା ବେଳେ ୨୦୨୨-୨୩ ଆର୍ଥôକ ବର୍ଷରେ ଏହା ୬୩୨୭.୮୦୦ ମେଟି୍ରକ ଟନ୍ ଏବଂ ୨୦୨୩-୨୪ ବର୍ଷରେ ୬୦୩୮.୯୬୦ ମେଟି୍ରକ୍ ଟନ୍ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ିଯାଉଛି ଯେ ବର୍ଷକୁ ବର୍ଷ ଚିଙ୍ଗୁଡ଼ି ଉତ୍ପାଦନ କମୁଛି । କଙ୍କଡ଼ା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ୨୦୨୧-୨୨ ଆର୍ଥôକ ବର୍ଷରେ ୪୭୮.୭୦ ମେଟ୍ରିକ୍ ଟନ୍ କଙ୍କଡ଼ା ଉତ୍ପାଦନ ହୋଇଥିଲା । ୨୦୨୨-୨୩ ଆର୍ଥôକ ବର୍ଷରେ ଏହା କମି ୪୪୫.୧୬ ମେଟ୍ରିକ୍ ଟନ୍ ଏବଂ ୨୦୨୩-୨୪ ଆର୍ଥôକ ବର୍ଷରେ ୪୨୪.୭୧ ମେଟି୍ରକ୍ ଟନ୍ ଉତ୍ପାଦିତ ହୋଇଛି । ତେବେ ମାଛ ବ୍ୟବସାୟୀମାନେ ମାଛ ଉତ୍ପାଦନ କମୁଥିବା ମଧ୍ୟ ପ୍ରକାଶ କରନ୍ତି । ସେ ଯାହା ବି ହେଉ ଚିଲିକାରୁ ଜଳଜ ଖାଦ୍ୟର ଉତ୍ପାଦନ କମିବା ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ କ୍ଷେତ୍ରରେ ଜୀବନଜୀବିକାର ଏକ ପ୍ରସଙ୍ଗ ହୋଇଥିବାରୁ ସେମାନେ ନିଜେ ସାମୂହିକ ଭାବରେ ସରକାରଙ୍କୁ ଅପେକ୍ଷା ନକରି ଏକ ନିଷ୍ପତ୍ତି ଗ୍ରହଣ କରିବା ଉଚିତ୍ ।