ବାଦଲ ଫଟା ବର୍ଷାରେ ଧୋଇଗଲା ଘର
ପ୍ରତିବର୍ଷ ମୌସୁମୀ ଋତୁ ପାହାଡିଆ ରାଜ୍ୟଗୁଡ଼ିକ ପାଇଁ ବିପର୍ଯ୍ୟୟ ଆଣିଥାଏ। ଏଥର ମଧ୍ୟ ମୌସୁମୀ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି। ଜମ୍ମୁ-କାଶ୍ମୀରର କିସ୍ତୱାରରେ ବାଦଲ ଫଟା ଘଟଣା ପରେ ହଠାତ ବନ୍ୟାରେ ଏପର୍ଯ୍ୟନ୍ତ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉକ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ, କଠୁଆରେ ମଧ୍ୟ ବାଦଲ ଫାଟିବା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। କୁହାଯାଉଛି ଯେ କଠୁଆରେ ବାଦଲ ଫଟା ବର୍ଷାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଘର ଧ୍ୱଂସହୋଇଯାଇଛି। କଠୁଆର ଡେପୁଟି କମିଶନର ରାଜେଶ ଶର୍ମା କହିଛନ୍ତି ଯେ କଠୁଆର ଯୋଧ ଗାଁରେ ହଠାତ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଦ୍ୱାରା ୨-୩ ଘର ପ୍ରଭାବିତ ହୋଇଛି। ୬ ଜଣ ଫସି ରହିଥିବା ସୂଚନା ମିଳିଛି; ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରବଳ ବର୍ଷା ଯୋଗୁ କିଛି ରାସ୍ତା ମଧ୍ୟ ଧୋଇ ଯାଇଛି।
ଅନ୍ୟପକ୍ଷରେ, କିସ୍ତୱାରରେ ହଠାତ ବନ୍ୟାରେ ଏପର୍ଯ୍ୟନ୍ତ ୬୦୨ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ସେହି ସମୟରେ, ଜମ୍ମୁ ଓ କଶ୍ମୀରର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ କିସ୍ତୱାର ବିପର୍ଯ୍ୟୟରେ ଗୁରୁତର ଆହତ ୨୫ ଜଣଙ୍କ ଉପରେ ବଡ଼ ଅସ୍ତ୍ରୋପଚାର କରାଯାଇଛି। ସୂଚନାଯୋଗ୍ୟ, ୧୪ ଅଗଷ୍ଟ ରାତିରେ ୬୬ ଜଣ ଗୁରୁତର ଆହତ ରୋଗୀଙ୍କୁ ଜିଏମସି ଜମ୍ମୁକୁ ଅଣାଯାଇଥିଲା। ସେହି ରାତିରେ ୨୫ ଜଣଙ୍କ ଉପରେ ବଡ଼ ଅସ୍ତ୍ରୋପଚାର କରାଯାଇଥିଲା।