ଜ୍ୟୋତି ଠାରୁ ଦେବେନ୍ଦ୍ର ପର୍ଯ୍ୟନ୍ତ ୩ ଦିନରେ ୧୧ ଗୁପ୍ତଚର ଗିରଫ


 ନୂଆଦିଲ୍ଲୀ: ଜ୍ୟୋତି ମାଲହୋତ୍ରାଙ୍କ ଠାରୁ ଆରମ୍ଭ କରି ଦେବେନ୍ଦ୍ର ସିଂଙ୍କ ପର୍ଯ୍ୟନ୍ତ । ପାକିସ୍ତାନ ପାଇଁ ଗୁପ୍ତଚର ଧନ୍ଦା କରି ଗତ ତିନିଦିନ ମଧ୍ୟରେ ଧରାହେଲେଣି ୧୧ ଅପରାଧୀ । ଜାତୀୟ ନିରାପତ୍ତା ଦୃଷ୍ଟିରୁ ଏମାନଙ୍କ ନାଁରେ ଏବେ ଦେଶଦ୍ରୋହ ମାମଲା ଚାଲିଥିବା ବେଳେ ପହେଲଗାମ ଆକ୍ରମଣ ପରଠାରୁ ଏମାନଙ୍କ ସମ୍ପୃକ୍ତି ବେଶ ସକ୍ରିୟ ଥିଲା ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ କରି ପହେଲଗାମ ଆକ୍ରମଣ ପୂର୍ବରୁ ଏହି ଭାରତୀୟମାନେ ପାକିସ୍ତାନ୍କୁ ଦେଶର ଗୁପ୍ତତଥ୍ୟ ଦେଇ ଏନ୍ଆଇଏ ରାଡାର ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ୧୧ଜଣଙ୍କ ମଧ୍ୟରେ ଛାତ୍ର, ବ୍ଲଗର୍, ସିକୁ୍ୟରିଟିଗାର୍ଡ, ସାଧାରଣ ଜନତା ଏବଂ ଆପ୍ ଡେଭଲପର୍ ରହିଥିବା ବେଳେ ଏମାନଙ୍କର ବୟସ ୨୦ରୁ ୩୦ ମଧ୍ୟରେ ବୋଲି ଜଣାପଡ଼ିଛି । ସୋସିଆଲ୍ ମିଡିଆରେ ତଥ୍ୟ ପ୍ରଦାନ କରିବା, ଅବୈଧ ଅର୍ଥକାରବାର, ମିଥ୍ୟା ପ୍ରତିଶ୍ରୁତି, ମେସେଜିଂ ଆପ୍ ଏବଂ ବ୍ୟକ୍ତିଗତ ଭାବେ ପାକିସ୍ତାନ ଭ୍ରମଣ କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଗୁଇନ୍ଦା ତଥ୍ୟ ଆଧାରରେ ଏମାନଙ୍କ ଉପରେ କଡ଼ା ନିରୀକ୍ଷଣ କରିବା ପରେ ବେଆଇନ ଭାବେ ଏମାନେ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଜଣାପଡ଼ିଥିଲା । ସେହି ୧୧ ଜଣ ହେଉଛନ୍ତି ଗଜଲା (ମହିଳା), ୟାମିନୀ ମହମ୍ମଦ, ଜ୍ୟୋତି ମାଲହୋତ୍ରା, ଦେବେନ୍ଦ୍ର ସିଂ, ଅରମାନ, ତାରିଫ, ନୋମାନ ଇହ୍ଲାଇ, ମହମ୍ମଦ ମୁର୍ତାଜ ଅଲ୍ଲୀ, ଶେହଜାଦ, ସୁଖପ୍ରୀତ ସିଂ ଏବଂ କରନବୀର ସିଂ । ଏମାନେ ସମସ୍ତେ ହରିଆନା, ଉତ୍ତରପ୍ରଦେଶ ଏବଂ ପଞ୍ଜାବର ବାସିନ୍ଦା ବୋଲି ଜଣାପଡ଼ିଛି ।
ଗଜଲା (୩୨) ପଞ୍ଜାବ ରାଜ୍ୟର ମାଲେର କୋଟଲାର ହୋଇଥିବା ବେଳେ ପାକିସ୍ତାନୀ ଏଜେଣ୍ଟଙ୍କୁ ତଥ୍ୟ ପ୍ରଦାନ ବିନିମୟରେ ଅର୍ଥ ପାଉଥିଲେ । ଗଜଲାଙ୍କ ସହିତ ଜ୍ୟୋତି ମାଲହୋତ୍ରାଙ୍କ ସମ୍ପୃକ୍ତି ମଧ୍ୟ ରହିଛି । ସେହିପରି ୟାମିନୀ ମହମ୍ମଦ, ଗଜଲା ଏବଂ ଜ୍ୟୋତି ମିଳିତ ଭାବେ ପାକିସ୍ତାନର କର୍ତ୍ତାରପୁର ଗସ୍ତ କରି ସେଠାରେ ପାକ୍ ନାଗରିକ ଡ୍ୟାନିସ୍ଙ୍କ ସହ ଭେଟ କରିଥିଲେ । ଏହାସହ ଭାରତ ଗୁପ୍ତତଥ୍ୟ ସେୟାର କରିଥିଲେ । ସେହିପରି ଜ୍ୟୋତି ମଧ୍ୟ ପହେଲଗାମ ଆକ୍ରମଣ ପୂର୍ବରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପାକିସ୍ତାନ ଏବଂ କାଶ୍ମୀର ଗସ୍ତ କରିଥିଲେ । ୨୫ ବର୍ଷୀୟ ଦେବେନ୍ଦ୍ର ସିଂ ପଞ୍ଜାବ ପଟିଆଲା ଖାଲସା କଲେଜର ଜଣେ ବିଜ୍ଞାନ ଛାତ୍ର । ଆଇଏସ୍ଆଇ ଏଜେଣ୍ଟ ସହିତ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ବିନିମୟରେ ତାଙ୍କୁ ହରିଆନାରୁ ଗିରଫ କରାଯାଇଛି । ସେହିପରି ୨୬ ବର୍ଷୀୟ ଅରମାନ ଜ୍ୟୋତି ମାଲହୋତ୍ରା ସହାୟତାରେ ପାକିସ୍ତାନ୍କୁ ହ୍ୱାଟ୍ସଆପ୍ ଜରିଆରେ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ପ୍ରଦାନ ଅଭିଯୋଗରେ ଗିରଫ ହୋଇଛନ୍ତି । ଏହାସହ ତାରିଫ୍ଙ୍କ ସମେତ ଅନ୍ୟମାନେ ମଧ୍ୟ ସମାନ ଅଭିଯୋଗରେ ଗିରଫ ହୋଇଛନ୍ତି ।