ବାରବାଟୀ ଷ୍ଟାଡିୟମରେ ଯାଞ୍ଚ କଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ
କଟକ : ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ସେଥିପାଇଁ ଜୋର ସୋରରେ ପ୍ରସ୍ତୁତି କରାଯାଉଛି । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ । ଅଗ୍ନି ନିରାପତ୍ତା ପାଇଁ ୩୫୦ଜଣ ଅଗ୍ନିଯୋଦ୍ଧା, ୨୧ଟି ଦମକଳ ନିୟୋଜିତ କରାଯିବ । ୭ଟି ଅସ୍ଥାୟୀ ଦମକଳ କେନ୍ଦ୍ର ଏବଂ ଦୁଇଟି କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯିବ । ଦର୍ଶକମାନଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ବାରବାଟୀ ଷ୍ଟାଡିୟମ ଯାଞ୍ଚ ପରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ବାରବାଟୀ ଟି-୨୦ ମୁକାବିଲା ପୂର୍ବରୁ ନେଟ୍ ପ୍ରାକ୍ଟିସ୍ ପାଇଁ ପଡ଼ିଆକୁ ଓହ୍ଲାଇବେ ଉଭୟ ଦେଶର ଖେଳାଳି । ତା ପୂର୍ବରୁ ପ୍ରାକ୍ଟିସ୍ ପିଚ୍ ପ୍ରସ୍ତୁତ ହୋଇସାରିଲାଣି । ଏହା ବ୍ୟତୀତ ବାରବାଟୀର ମୁଖ୍ୟ ପିଚ୍ ଏବଂ ଆଉଟ୍ ଫିଲ୍ଡକୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ପିଚ୍ ସୁରକ୍ଷା ଲାଗି ୨୪ ଘଣ୍ଟିଆ ପହରା ଦେଉଛି ପୋଲିସ । ମୁଖ୍ୟ କ୍ୟୁରେଟରଙ୍କ ଉପସ୍ଥିତିରେ ଚାଲିଛି ପ୍ରସ୍ତୁତି ପର୍ବ ।
ସେପଟେ, ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ଶୁକ୍ରବାର ସନ୍ଧ୍ୟା ୬ଟା ୩୦ମିନିଟ୍ରେ ସରିଥିଲା । ମୋଟ୍ କାଉଣ୍ଟରରେ ବିଭିନ୍ନ ଗ୍ୟାଲେରୀର ୧୦ ହଜାର ୧୦ଟି ଟିକେଟ ବିକ୍ରି ହୋଇଥିଲା । ଅନେକ କ୍ରିକେଟ୍ ପ୍ରେମୀ ଟିକେଟ୍ ପାଇଁ ଅପେକ୍ଷା କରି କରି ନିରାଶ ହୋଇ ଫେରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଗୁରୁବାର ଠାରୁ ହଜାର ହଜାର ଦର୍ଶକ ଟିକେଟ୍ କାଟିବା ପାଇଁ ବାରବାଟୀ ଷ୍ଟାଡିୟମ ନିକଟର ପହଞ୍ଚିଥିଲେ । ସକାଳ ୧୦ ଠାରୁ ଆରମ୍ଭ ହୋଇଥିବା ଟିକେଟ୍ ବିକ୍ରି ରାତି ୬ଟା ୩୦ରେ ଶେଷ ହୋଇଥିଲା । ମୋଟ୍ ଅଫ୍ ଲାଇନ୍ ମୋଡ଼ରେ ୫ଟି କାଉଣ୍ଟରରେ ବିକ୍ରି କରାଯାଇଥିଲା । ଟିକେଟ୍ ବିକ୍ରି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମ୍ୟାଟ୍ ଓ ପ୍ରାକ୍ଟିସ୍ ପାଇଁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଟିକେଟ କଳା ବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଥିଲେ ।