ବିକଶିତ ଗାଁ ବିକଶିତ ଓଡ଼ିଶାରେ ଆମ ଭାଗ କେତେ? ବିଧାୟକ, ବିଡ଼ିଓ ଓ ଜନପ୍ରତିନିଧିଙ୍କ ରୁଦ୍ଧଦ୍ୱାର ବୈଠକ 


ଖୋର୍ଦ୍ଧାରୁ ସ୍ୱତନ୍ତ୍ର ପ୍ରତିନିଧି
ାା ଗୋବିନ୍ଦ ଚନ୍ଦ୍ର ପଣ୍ଡା ।ା

ବିକଶିତ ଗାଁ ବିକଶିତ ଓଡିଶାକୁ ନେଇ ଏବେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ଭିତରେ ତୁ ତୁ ମେଁ ମେଁ ପରିସ୍ଥିତି ଆରମ୍ଭ ହେଲାଣି  । କିଏ କେତେ ପ୍ରତିଶତ କାର୍ଯ୍ୟ କରିବ କାହା କର୍ମୀ ପାଖକୁ ଅଧିକ ଟଙ୍କାର କାର୍ଯ୍ୟ ଯିବ ତାକୁ ନେଇ ଏବେ ଦୁଇ ଦଳ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଛି  । ସେହିଭଳି ମଙ୍ଗଳବାର ବୋଲଗଡ ବ୍ଲକରୁ ଆରମ୍ଭ ହୋଇଛି ବିକଶିତ ଗାଁ ବିକଶିତ ଓଡିଶାର କାର୍ଯ୍ୟ କିଏ କରିବ ତାକୁ ନେଇ ବୈଠକ  । ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁଙ୍କ ନେତୃତ୍ୱରେ ଆଜି ବୋଲଗଡ ବ୍ଲକ ଅଧକ୍ଷା, ଉପାଧକ୍ଷ, ସମସ୍ତ ଜିଲ୍ଲାପରିଷଦଙ୍କ ସହ ନିର୍ବାଚିତ ପ୍ରତିନିଧିମାନେ ବୋଲଗଡ ବିଡିଓଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ  । ବୈଠକରେ କିଏ କେତେ ପ୍ରତିଶତ କାର୍ଯ୍ୟ କରିବ ତାହାର ହିସାବ ମାଗିଥିଲେ  । ୬୦ ପ୍ରତିଶତ ପଞ୍ଚାୟତ ସମିତିର, ୨୦ ପ୍ରତିଶତ ବିଧାୟକଙ୍କର ଏବଂ ଅନ୍ୟ ୨୦ ପ୍ରତିଶତ ଜିଲ୍ଲାପାଳଙ୍କ ବୋଲି ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି  । ସେପଟେ କିନ୍ତୁ ଶାସନରେ ଥିବା ବିଜେପି ୨୦ ପ୍ରତିଶତ ନେବାକୁ ଅମଙ୍ଗ ଥିବା ଜଣାପଡିଥିବା ବେଳେ ୪୦ ପ୍ରତିଶତ କାର୍ଯ୍ୟ କରିବାକୁ ଦାବି କରିଛି  । ନଚେତ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ମନେରେଗା ଯୋଜନା କାର୍ଯ୍ୟରେ ଯେଭଳି ରୋକ ଲାଗିଲା ଭବିଷ୍ୟତରେ ସେହିଭଳି ପରିସ୍ଥିତି ଉପୁଜିବ ବୋଲି ପରୋକ୍ଷରେ ସୂଚନା ମିଳିଛି  । ଯାହାକୁ ନେଇ ବିଡିଓ ମାଡାମ ହରଡଘଣାରେ ପଡିଥିବା ବେଳେ ଦୁଇ ଦଳକୁ କିପରି ମାନେଜ କରିବେ ତାକୁ ନେଇ ଚିନ୍ତାରେ ଥିବା ଚର୍ଚ୍ଚା ହେଉଛି  । ସେହିଭଳି ଅପରାହ୍ନରେ ଖୋର୍ଦ୍ଧା ବିଧାୟକଙ୍କ କର୍ମକର୍ତ୍ତା ଘଟଣା ସମ୍ପର୍କରେ ଜାଣିପାରି ବିଡ଼ିଓ ମାଡାମଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି  । ତେବେ ବିଡ଼ିଓ ମାଡାମ କଣ କରିବେ ତାକୁ ନେଇ ଉଭୟ ଦଳର କର୍ମୀ ଓ ନେତାଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଛି  । ତେବେ ଆମ ଓଡିଶା ନବୀନ ଓଡିଶାର ନୂତନ ରୂପ ହେଉଛି ବିକଶିତ ଗାଁ ବିକଶିତ ଓଡିଶା  । ବିକଶିତ ଗାଁ ବିକଶିତ ଓଡିଶାରେ କିଏ କେତେ ଲାଭ ପାଇବ ସେକଥା ତ ସମୟ କହିବ କିନ୍ତୁ ପୂର୍ବ ସରକାର ଯେପରି କାମ ଦେଇ କର୍ମୀଙ୍କୁ ସନ୍ତୋଷ କରିବାରେ ଲାଗିପଡ଼ିଥିଲା ଠିକ ସେଇଭଳି ସରକାରୀ ଦଳ କରିବାକୁ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ଓ ଆଲୋଚନା ହେଉଛି  । କିଏ ବୈଠକ କରି ସରପଞ୍ଚ ସମିତି ସଭ୍ୟମାନଙ୍କୁ ଏକାଠି କରୁଛି ତ କିଏ ସରକାରରେ ଥାଇ ସବୁ ଅଙ୍କ ଗୋଳମାଳ କରିବା ସହ କର୍ମୀ ସନ୍ତୋଷ ପାଇଁ ଲାଗିଛନ୍ତି  । ଏହା ଭିତରେ ବୋଲଗଡରୁ ଆରମ୍ଭ ହୋଇଥିବା ପ୍ରତିବାଦ ବେଗୁନିଆକୁ ବ୍ୟାପିବା ସହିତ ପ୍ରକଳ୍ପଗୁଡିକ କିଭଳି କାର୍ଯ୍ୟ ହେବ କିଏ କରିବ ତାକୁନେଇ ଚର୍ଚ୍ଚା ଲାଗି ରହିଛି  । ଯଦିଓ ପ୍ରକଳ୍ପ ଗୁଡିକ ବିଭାଗୀୟ ତଥାପି କାର୍ଯ୍ୟକୁ କେଉଁ ଦଳର କର୍ମୀ କରିବେ ଏବଂ ଏଥିରୁ ଆଗାମୀ ପଞ୍ଚାୟତ ନିର୍ବାଚନରେ କେଉଁ ଦଳ କେତେ ଫାଇଦାରେ ରହିବ ତାଙ୍କୁ ନେଇ ଆରମ୍ଭ ହୋଇ ଗଲାଣି ଅଙ୍କକଷା  । ତେବେ ବାସ୍ତବରେ ବିକଶିତ ଗାଁ ବିକଶିତ ଓଡିଶା ଗାଁ ବିକାଶରେ ସହଯୋଗ ହେବ ନା କର୍ମୀ ବିକାଶରେ ଉପଯୋଗ ହେବ ତାହା ଆଗାମୀ ଦିନରେ ଜଣାପଡିବ  ।