ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ
Mamata Banarjee

ଭୁବନେଶ୍ୱର : ଶେଷରେ ମୁଣ୍ଡ ନୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘଦିନ ଧରି ନିଜ ଜିଦରେ ଅଟଳ ଥିବା ମୁଖ୍ୟମନ୍ତ୍ରୀ ନରମିବାକୁ ବାଧ୍ୟ ହୋଇଛନ୍ତି । ଆମେ କହୁଛୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା । ପଶ୍ଚିମବଙ୍ଗରେ ଏବେ ଡାକ୍ତରମାନେ ଜୋରଦାର ଆନ୍ଦୋଳନ ଜାରି ରଖିଛନ୍ତି । ସେମାନେ କେତେକ ଦାବି କରିଥିଲେ ବି ମମତା ସରକାର ତାହାକୁ ନଜର ଅନ୍ଦାଜ କରିଥିଲେ । ଖାଲି ସେତିକିନୁହେଁ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇ ଡରାଇବାକୁ ଚାହିଁଥିଲେ । କିନ୍ତୁ ଡାକ୍ତର ଓ ଜୁନିୟର ଡାକ୍ତରମାନେ ମମତା ସରକାରଙ୍କ ଧମକକୁ ଖାତିର କରିନଥିଲେ । ହଜାର ହଜାର ଡାକ୍ତର ଓ ଜୁନିଅର ଡାକ୍ତର ଆନ୍ଦୋଳନ କରୁଥିବାରୁ ରାଜ୍ୟରେ ସ୍ୱାସ୍ଥ୍ୟସେବା ଠପ୍ ହୋଇଯାଇଥିଲା । ଆଲୋଚନା ପାଇଁ ମମତା ସେମାନଙ୍କୁ ଡକାଇଥିଲେ ସେମାନେ ଯାଇନଥିଲେ । ଫଳରେ ଆଜି ମମତା ନିଜେ ସ୍ୱାସ୍ଥ୍ୟଭବନ ବାହାରେ ଜୁନିଅର ଡାକ୍ତରଙ୍କୁ ଭେଟିଛନ୍ତି । କାର୍ଯ୍ୟରେ ଯୋଗଦେବାକୁ ନିବେଦନ ବି କରିଛନ୍ତି । ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କ ସବୁ ଦାବି ପୂରଣ ହେବ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି ।