ବିକ୍ରିଧାନ ଗଜା, ଜିଲ୍ଲାପାଳ ଅଫିସ୍ ଘେରିଲେ ଚାଷୀ

 ବରଗଡ଼ : ଓଡିଶାର ଭାତ ହାଣ୍ଡି ବରଗଡ଼ ଜିଲ୍ଲାରୁ ଜିଲ୍ଲାପାଳ ସମ୍ମୁଖରେ ଉଠିଲା ଧାନ କିଣା ବିକା ସମସ୍ୟାର ସ୍ୱର । ରେଶମ, ସିହେନ ପାଳି, ପଧାନପାଲି, ସାଲ୍ହେପାଲି, ଅରେଇଗୁଡ଼ି, ଗୁଦରାମୁଣ୍ଡା, ଇଛାପଦାରର ଟୋକନ ଧାରୀ ଶହ ଶହ ଚାଷୀ ଆଜି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛନ୍ତି । ଧାନମଣ୍ଡିରୁ ଧାନ ନ ଉଠିବା ଏବଂ ଘରେ ପଡ଼ି ବିକ୍ରି ହେବାକୁ ଥିବା ଧାନ ଗଜା ହେବାରୁ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି ଚାଷୀ । ରେଶମ ଏବଂ ଅରେଇଗୁଡ଼ି ପଞ୍ଚାୟତ ଅଧୀନରେ ଥିବା ମାର୍କେଟ ୟାଡ଼ ମାନଙ୍କରେ ହଜାର ହଜାର ବସ୍ତା ଧାନ ପଡ଼ିଥିଲେ ମଧ୍ୟ ଧାନ ଉଠୁନାହିଁ । ଆଜି ସୁଦ୍ଧା ୩୧୫ କ୍ୱିଣ୍ଟାଲ ଧାନ କେବଳ ରେଶମ ମଣ୍ଡିରୁ ୮ ଜଣ ଚାଷୀଙ୍କ ଧାନ କିଣା ଯାଇଛି । ସେଥିପାଇଁ ଏହାର ତୁରନ୍ତ ସମାଧାନ ପାଇଁ ଚାଷୀ ଦାବି କରିଛନ୍ତି ।
ଆଜି ଚାଷୀମାନେ ପ୍ରଥମେ ଗାନ୍ଧୀ ଛକ ଜମା ହୋଇ ବିଭିନ୍ନ ସ୍ଲୋଗାନ ଦେଇ ରାଲି ମାଧ୍ୟମରେ ଜିଲ୍ଲାପାଳ ଅଫିସରେ ପହଞ୍ଚôଥିଲେ । ସେଠାରେ ଚାଷୀମାନେ ପ୍ରତିବାଦ ସଭା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଆସି ଧାରଣାରତ ଚାଷୀଙ୍କ ସହିତ କଥା ହୋଇଥିଲେ । ହେଲେ ଚାଷୀମାନେ ନିଜ ଜିଦ୍ରେ ଅଟଳ ରହିବାରୁ ଯୋଗାଣ ଅଧିକାରୀ ଆଚାର୍ଯ୍ୟ ଆସି ଦାବିଗୁଡିକ ଯଥାର୍ଥ ଏବଂ ଆମେ ସରକାରୀ ଧାନ କିଣା ନୀତିକୁ ଠିକ ଭାବରେ କାର୍ଯ୍ୟକାରୀ କରିବୁ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ । ନବଗଠିତ ମିଳିତ ମାର୍କେଟ କମିଟି ମଞ୍ଚର ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ନିର୍ମଳ ପଧାନ, ସୁବ୍ରତ ପଧାନ, ମହେଶ ପଧାନ, ଜିତେନ୍ ପୋଡ଼, ରଘୁନାଥ ପରଡିଆଙ୍କ ସମେତ ଅନ୍ୟମାନେ ଏହି ଧାରଣା ଦେଇଥିଲେ ।