ଗାଁ ଗାଁରେ ଆରମ୍ଭ ହେଲାଣି ରାଜନୀତି ଉଷ୍ଣତା : ପଞ୍ଚାୟତ ନିର୍ବାଚନ ପାଇଁ ସଜ ହେଲେଣି ନେତା

 ଆସିକା: ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ନିର୍ବାଚନ ମଣ୍ଡଳୀରେ ଗାଁ ଗାଁ ରେ ଆରମ୍ଭ ହେଲାଣି ରାଜନୀତି ଉଷ୍ମତା । ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତରେ ଲାଗି ପଡିଲେଣି ନେତା । ପଞ୍ଚାୟତରେ ନିଜ ନିଜର ପତିଆରା ଦେଖାଇବା ପାଇଁ ଯୋଗାଡ଼ କରୁଛନ୍ତି ଜନତା । ତିନି ପ୍ରମୁଖ ଦଳ  କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ଦେବାକୁ ନେତା କିଭଳି ହେବ ଭୋଟର ଆକଳନ କରୁଛନ୍ତି । ଗତ ୨୦୨୨ ଫେବୃଆରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଗ୍ରାମପଞ୍ଚାୟତ ନିର୍ବାଚନ ୦୩ ବର୍ଷ ପୂର୍ତ୍ତି ୦୪ ବର୍ଷରେ ପାଦ ଦେଲାଣି । ଗତ ପଞ୍ଚାୟତ ନିର୍ବାଚନରେ ଆସିକା ବ୍ଲକ ଓ କବିସୂର୍ଯ୍ୟନଗର ବ୍ଲକର ସମସ୍ତ ଜିଲ୍ଲା ପରିଷଦ ଆସନ ବିଜେଡି ଅକ୍ତିଆର କରିଥିଲା । ସେହିଭଳି କାଁ ଭାଁ ଗୋଟିଏ ଦୁଇଟି ପଞ୍ଚାୟତ ବିଜେଡି ସମର୍ଥିତ ପାର୍ଥୀ ପରାଜୟ ହୋଇ ଥିଲେ ହେଁ ସର୍ବାଧିକ ପଞ୍ଚାୟତ ସରପଞ୍ଚ, ସମିତି ସଦସ୍ୟ,ସଦସ୍ୟା ବିଜେଡି ସମର୍ଥନରେ ବିଜୟୀ ହୋଇଥିଲେ । ଇତି ମଧ୍ୟରେ ଅନେକ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ମାନେ ନିଜ ନିଜ ଅଞ୍ଚଳରେ ଆଉ ସେ ପତିଆରା ନଥିବା ଭଳି ଲାଗୁଛି । ଭାରତୀୟ ଜନତା ପାର୍ଟିର ବିଧାୟକ ଓ ସାଂସଦ ନିର୍ବାଚିତ ହେବାର ବର୍ଷେ ମଧ୍ୟରେ କିଏ କାହା ପାଖରେ ଶରଣ ପଶି କିଭଳି ଗାଁକୁ ନିଜର ନେତାକୁ ଡାକିବ । ଗାଁ ରେ ନେତାକୁ ସମ୍ମାନିତ କରି ଭୋଟର ମାନଙ୍କ ପାଖରେ ନିଜର ହେବାକୁ ଚେଷ୍ଟା ଆରମ୍ଭ କରିଦେଲେଣି । 
ଗତ ନିର୍ବାଚନରେ ବିଜେଡି ରହି ଠିକାଦାରୀ କାମ କୁଜି ନେତା ହୋଇ ଭୋଟ କରିବା, ବିଭିନ୍ନ ସଭା ସମିତିରେ ଯୋଗ ଦେଉଥିଲେ । ଗତ କିଛି ଦିନ ତଳେ କେତେକ ସରପଞ୍ଚ ସମିତି ସଭ୍ୟ ବିଜେଡି ଛାଡି ବିଜେପିରେ ମିଶି ଛନ୍ତି । ବର୍ତ୍ତମାନ ଗାଁ ଗାଁ କୁ ଗୋଟିଏ ଗୋଷ୍ଠୀ ବିଧାୟକଙ୍କୁ ଡାକି ମନ୍ଦିର ପ୍ରତିଷ୍ଠା, ନାମ ଯଂଜ୍ଞ, ଯାନୀ ଯାତ୍ରା, ଆୟୁଷ୍ମାନ କାର୍ଡ ବଣ୍ଟନ କରି ବିଧାୟକ ହାତ ପାଣ୍ଠି ପାଇଁ କହୁଥିବା ବେଳେ ଅନ୍ୟ ଏକ ଗୋଷ୍ଠି ସାଂସଦକୁ ଡାକି ସେହି ମନ୍ଦିର ପ୍ରତିଷ୍ଠା, ପୂଜା ପର୍ବରେ ସାଂସଦକୁ ସାଥିରେ ଆଣି ଗ୍ରାମ ବୁଲାଇ ସଭା କରୁଛନ୍ତି । ସାଂସଦ ହାତ ପାଣ୍ଠି ହାତେଇବା ଆଶା ରଖିଛନ୍ତି । ଉକ୍ତ ପାଣ୍ଠି ଆସିଲା ପରେ ଗାଁ ଗାଁ ରେ ବୁଲି ବିଭିନ୍ନ ଖଟିରେ କହିବେ ଦେଖିଲେ ମୋର ହାତ ଲମ୍ଭା ରହିଛି । ତେଣୁ ବିଧାୟକ କିମ୍ବା ସାଂସଦକୁ କହି ଏହି ପାଣ୍ଠି ଆଣିଛି । ଏହି ଗ୍ରାମର କୋଠ କାମକୁ ଭାଗ ହୋଇ କାମ କରିବା ପାଇଁ ନିଷ୍ପତ୍ତି ନିଅନ୍ତି । ସେଠାରୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ମୂଳ ଦୁଆ ପକାଇଥାନ୍ତି ବୋଲି ରାଜନୀତି ସମୀକ୍ଷକ ମାନେ କହନ୍ତି । ସେହିଭଳି ବିରୋଧୀରେ ଥିବା ବିଜୁ ଜନତା ଦଳର ପୂର୍ବତନ ବିଧାୟକ, ସାଂସଦ ମାନଙ୍କୁ ଡାକି ଏକ ପ୍ରକାର ପଞ୍ଚାୟତ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛନ୍ତି । ବିଭିନ୍ନ ଯାନୀ ଯାତ୍ରା, ପ୍ରତିଷ୍ଠା, ନାମ ଯଜ୍ଞ, ପୂଜା ପର୍ବରେ ଡାକି ବିଗତ ସରକାରର ଗୁଣ ଗାନ କରି ଲକ୍ଷ ଲକ୍ଷ ଟଙ୍କା ରେ ମଠ, ମନ୍ଦିର, ସ୍କୁଲ, କଲେଜ, ରାସ୍ତା, ପୋଖରୀ, କଲ୍ୟାଣ ମଣ୍ଡପ ତିଆରିରେ ଆମ ପୂର୍ବତନ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ମାନଙ୍କ ଅବଦାନ ରହିଛି । ଗତ ନିର୍ବାଚନରେ ଯେଭଳି ଆମେ ସବୁ ମିଳିମିଶି ଭୋଟ ଦେଇ ଆମ ଅଞ୍ଚଳର ପ୍ରିୟ ନେତାକୁ ତ୍ରି ସ୍ତରୀୟ ପଞ୍ଚାୟତରେ ନିର୍ବାଚିତ କରି ବ୍ଲକ ହାତେଇଥିଲେ ସେହିଭଳି ନେତାଙ୍କ ନେତୃତ୍ୱକୁ ଭରସା କରି ଏକଜୁଟ ରହିବା ପାଇଁ ତାଳି ପକାଇବା ଆରମ୍ଭ ହୋଇଛି । 
ବହୁ ବର୍ଷ ପରେ କଂଗ୍ରେସର ଜଣେ ଯୁବ ଆଇନଜୀବୀ ସାଂସଦ ପାର୍ଥୀ ଏବଂ ଜିଲ୍ଲାର ଏକ ମାତ୍ର ବିଧାୟକ ତଥା ଓଡିଶା ପ୍ରଦେଶ କଂଗ୍ରେସର ଉପ ସଭାପତିଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ବିଜେଡି ଓ ବିଜେପି ପାଇଁ ବ୍ଲକ କିମ୍ବା ପଞ୍ଚାୟତ ଦଖଲ ସହଜ ନକରିବାକୁ ତୃଣ ମୂଳ ସ୍ତରରୁ ପୁରୁଖା ଓ ଯୁବ ନେତା ମାନଙ୍କୁ ଦଳରେ ସାମିଲ କରିବାକୁ ମଝିରେ ମଝିରେ କିଛି କଂଗ୍ରେସ କର୍ମୀ ମଧ୍ୟ ରାଜନୀତି ଝଲକ ଦେଖାଉଛନ୍ତି । ଏଭଳି ଗାଁ ଗାଁରେ ନେତା ମାନଙ୍କ ବୈଠକ, ପଟୁଆର ନିମନ୍ତେ ଭୋଟର ମଧ୍ୟରେ ଛକା ପଞ୍ଝା ଲାଗି ରହୁଥିବା ଆଭାସ ମିଳୁଛି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କେଉଁ ଦଳ କିଭଳି ଶୃଙ୍ଖଳିତ ହୋଇ ନିଜ ନିଜ କର୍ମୀ ମାନଙ୍କ ପାଇଁ କେଉଁ ରଣ ନୀତି ତିଆରି କରୁଛନ୍ତି  ଦେଖିବାକୁ ରହିଲା ।