ବିଜାପୁରରେ ଟଳିଲେ ୬ କ୍ୟାଡର ମାଓବାଦୀ
ରାୟପୁର : ବିଜାପୁର ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟରେ ଅତି କମରେ ୬ଜଣ ସିପିଆଇ (ମାଓବାଦୀ) କ୍ୟାଡର ନିହତ ହୋଇଛନ୍ତି । ବିଜାପୁର ଜିଲ୍ଲା ପୁଲିସ ଅଧିକ୍ଷକ ଜିତେନ୍ଦ୍ର ଯାଦବ କହିଛନ୍ତି ଯେ ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଓ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ର ଏକ ମିଳିତ ଦଳ ମାଓବାଦୀଙ୍କ ସହ ମୁକାବିଲା ହୋଇଥିଲା । ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଅନେକ କ୍ୟାଡର ଆହତ ହୋଇଛନ୍ତି । ସର୍ଚ୍ଚ ଅପରେସନ୍ ସମୟରେ ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ଛଅଟି ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ସ୍ୱୟଂଚାଳିତ ଇନସାସ ଆସଲ୍ଟ ରାଇଫଲ୍, ଷ୍ଟେନଗନ, ୩୦୩ ରାଇଫଲ୍, ବିସ୍ଫୋରକ ଓ ବହୁ ସାମଗ୍ରୀ ସମେତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ବସ୍ତର ରେଞ୍ଜ ପୁଲିସ ମହାନିରୀକ୍ଷକ ସୁନ୍ଦରରାଜ ପି ମାଓ ବିରୋଧୀ ଅଭିଯାନରେ ନିୟୋଜିତ ସୁରକ୍ଷା ବାହିନୀ ପାଇଁ ବିଜାପୁର ଅପରେସନକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବୋଲି ଉଲ୍ଲେଖ କରିଛନ୍ତି । ବସ୍ତର ଜୋନରେ ଥିବା ସାତଟି ମାଓ ପ୍ରଭାବିତ ଜିଲ୍ଲା ମଧ୍ୟରୁ ବିଜାପୁରକୁ ଦକ୍ଷିଣ ଛତିଶଗଡ଼ରେ ବାମପନ୍ଥୀ ଉଗ୍ରବାଦୀ ଗୋଷ୍ଠୀର କେନ୍ଦ୍ରସ୍ଥଳ ଭାବରେ ଉଲ୍ଲେଖ କରାଯାଇଛି ।