ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ !
- ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା
- ଦୋଷୀଙ୍କୁ ଛଡାଯିବ ନାହିଁ: ମୋଦି
- ତଦନ୍ତ କରିବ ଏନଆଇଏ
ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ଯିଏ ବି ଦାୟୀ ସେମାନଙ୍କୁ କଦାପି ଛଡା ଯିବନାହିଁ । ପୀଡିତଙ୍କୁ ନ୍ୟାୟ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଦୁଇ ଦିନିଆ ଭୁଟାନ ଗସ୍ତରେ ଥିବା ମୋଦି ରାଜଧାନୀ ଥିମ୍ପୁରୁ କହିଛନ୍ତି ଯେ ବିସ୍ଫୋରଣ ପାଇଁ ଦାୟୀ ସମସ୍ତଙ୍କୁ ଦଣ୍ଡ ଦିଆଯିବ । ଆଜି ମୁଁ ବହୁତ ଭାରାକ୍ରାନ୍ତ ହୃଦୟରେ ଏଠାକୁ ଆସିଛି । ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ଘଟଣା ସମସ୍ତଙ୍କୁ ଗଭୀର ଦୁଃଖ ଦେଇଛି । ମୁଁ ପ୍ରଭାବିତ ପରିବାରର ଦୁଃଖ ବୁଝିପାରୁଛି । ଆଜି ସମଗ୍ର ଦେଶ ସେମାନଙ୍କ ସହିତ ଠିଆ ହୋଇଛି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବିସ୍ଫୋରଣ ପରଠାରୁ ସେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ଥିଲେ । ମୁଁ ଗତକାଲି ରାତି ପର୍ଯ୍ୟନ୍ତ ଏହି ଘଟଣାର ତଦନ୍ତ କରୁଥିବା ସମସ୍ତ ସଂସ୍ଥା ସହିତ ଯୋଗାଯୋଗରେ ଥିଲି । ଆମର ସଂସ୍ଥାଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ । ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ ଛଡ଼ାଯିବ ନାହିଁ । ଦାୟୀ ସମସ୍ତଙ୍କୁ ଦଣ୍ଡ ଦିଆଯିବ ।
ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ହୁଣ୍ଡାଇ ଆଇ-୨୦ ରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ହାତ ଥିବା ଜଣାପଡିଛି । ଏହାର ମାଷ୍ଟର ମାଇଣ୍ଡ ହେଉଛି ଫରିଦାବାଦ ଅଲ୍ ଫଲାହ ମେଡିକାଲର ଡାକ୍ତର ମହମ୍ମଦ ଉମର ନବୀ । ଫରିଦାବାଦର ତାଙ୍କ ଘରୁ ଗତକାଲି ୩୨ କ୍ୱିଣ୍ଟାଲ ବିସ୍ଫୋରକ ଜବତ ହେବା ପରେ ଏହାର ପ୍ରତିଶୋଧ ସ୍ୱରୂପ ଲାଲକିଲ୍ଲା ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଫରିଦାବାଦର ଏହି ହ୍ୱାଇଟ କଲାର ମଡ୍ୟୁଲରେ ୫ଜଣ ଡାକ୍ତର ସଂପୃକ୍ତ ଅଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାର ତଦନ୍ତ ଜାରି ରଖିଥିବାରୁ ସମସ୍ତ ସମ୍ଭାବ୍ୟ ଦିଗକୁ ଯାଞ୍ଚ କରାଯାଉଛି । ତଦନ୍ତକାରୀମାନେ ସମ୍ଭାବ୍ୟ ଆତଙ୍କବାଦୀ ଲିଙ୍କ୍ ସନ୍ଦେହ କରି ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ବ୍ୟବହାର କରିଛନ୍ତି । ତେବେ ଏହି ଭୟଙ୍କର ବିସ୍ଫୋରଣ ଘଟଣାର ତଦନ୍ତ ଭାର ଆଜି ଏନଆଇଏକୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ତଦନ୍ତ ଭାର ଦିଆଯାଇଛି ।