ଭୂକମ୍ପ ତାଣ୍ଡବ, ୨ ଶହ ମୃତ : ଥରିଲା ମିଅାଁମାର ଓ ଥାଇଲାଣ୍ଡ

ନୂଆଦିଲ୍ଲୀ : ମିଅାଁମାର ସମୟ ଦିନ ସାଢ଼େ ୧୨ଟା  । କିଏ ବୁଲୁଥିଲେ ତ କିଏ ସପିଂ ମଲ୍ରେ ଥିଲେ  । କିଏ ହୋଟେଲରେ ତ କିଏ  ଘରେ  । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ  । ହଠାତ୍ ଥରି ଉଠିଲା ମାଟି  । ରାସ୍ତା ଘାଟ ଅାଁ କରିଦେଲା  । ଘର କାନ୍ଥ ବି ଚଡ଼କି ଗଲା  । ଲୋକମାନେ ଡରରେ ଧାଁ ଦଉଡ଼ ଆରମ୍ଭ କରିଦେଲେ  । କେହି କିଛି ଭାବିବା ପୂର୍ବରୁ ବଡ଼ ବଡ଼ ଅଟ୍ଟାଳିକା ସବୁ ତାସ୍ ଘର ଭଳି ଭୁଷୁଡ଼ି ପଡ଼ିଲା  । ସପିଂ ମଲ, ହୋଟେଲରୁ ଲୋକମାନେ କିଲିବିଲି ହୋଇ ବାହାରକୁ ବାହାରି ଚାଲିଲେ  । କିଏ ମାଟି ତଳେ ରହିଗଲା ତ ଆଉ କାହାର ହୃଦଘାତରେ ଜୀବନ ଚାଲିଗଲା  । କେତେ ଲୋକଙ୍କ ଜୀବନ ଯାଇଛି ଏଯାବତ୍ ତାହା ସ୍ପଷ୍ଟ ହୋଇନାହିଁ  । ରିପୋର୍ଟ ଲେଖା ହେବାବେଳକୁ ୨ ଶହରୁ ଉଦ୍ଧ୍ୱର୍ ଲୋକଙ୍କ ମୃତୁ୍ୟ ହୋଇଥିବାବେଳେ ହଜାର ହଜାର ଲୋକ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜାଣିବାକୁ ମିଳିଛି  । ଥାଇଲାଣ୍ଡରେ ବି ଏହାର ଝଟକା ଅନୁଭୂତ ହୋଇଛି  । ଥରେ କି ଦିଥର ନୁହେଁ ୬ ଥର ସିରିଜ୍ ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲରେ ବଡ଼ ଭୂକମ୍ପର ତୀବ୍ରତା ୭.୭ ରହିଛି  । ଏହି ବଡ଼ ଭୂକମ୍ପ ପରେ ହୋଇଥିବା ଆଉ ଏକ ଝଟକା ବା ଆଫ୍ଟର ସକ୍ର ତୀବ୍ରତା ମଧ୍ୟ ୬.୪ ରହିଛି  । 
ମିଆଁମାରର ସାମରିକ ଶାସକ ଜୁଣ୍ଟା ପକ୍ଷରୁ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି  । ସାଗାଇଙ୍ଗ, ମାଣ୍ଡାଲ୍ୟ, ରାଜଧାନୀ ନାୟପିଟାଓ ସମେତ ୬ ସହରରେ ଜରୁରୀକାଳୀନ ସ୍ଥିତି ଲାଗିଛି  । ଅନେକ ଅଞ୍ଚଳରେ ଗମନାଗମନ ଠପ୍ ହୋଇଯାଇଛି  । ମେଟ୍ରୋ ରେଳ, ବିମାନସେବା ସବୁ ବାତିଲ୍ ହୋଇଯାଇଛି  । ସେପଟେ ହଜାର ହଜାର ରୋଗୀ ହସପିଟାଲରେ ଭର୍ତ୍ତି ହେବାରୁ ସ୍ଥାନର ଅଭାବ ପରିଲକ୍ଷିତ ହୋଇଛି  । ରକ୍ତ ନମିଳିବାରୁ ରୋଗୀମାନେ ଛଟପଟ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି  । ମିଅାଁମାର ଠାରୁ ପ୍ରାୟ ୧୭.୨ କିଲୋମିଟର ଦୂର ମାଣ୍ଡାଲ୍ୟ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି  । ଟାଉଙ୍ଗୁରେ ଏକ ମସଜିଦ୍ ମାଟିରେ ମିଶିଯିବାରୁ ୩ ଜଣଙ୍କର ମୃତୁ୍ୟ ହୋଇଛି  । ସେହିପରି ଆଙ୍ଗ ବାନ୍ରେ ଏକ ହୋଟେଲ ଭୁଷୁଡ଼ି ପଡ଼ିବାରୁ ୨ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୨୦ ଜଣ ଗୁରୁତର ହୋଇଛନ୍ତି  । ବ୍ୟାଙ୍ଗକକରେ ଏକ ନିର୍ମାଣାଧୀନ ବହୁତଳ ଅଟ୍ଟାଳିକା ଧସିଯିବାର ୮୦ ଜଣ ମାଟି ଭିତରେ ରହି ଯାଇଛନ୍ତି  । ମିଅାଁମାରର ୫ ସହରରେ ବହୁ ଘର ମାଟିରେ ମିଶିଯାଇଥିବାବେଳେ ରେଲୱେ ବ୍ରିଜ୍ ଓ ୟାଙ୍ଗନ-ମାଣ୍ଡାଲୟ ଏକ୍ସପ୍ରେସ ୱେ ବି ନଷ୍ଟ ହୋଇଯାଛି  । ୯୦ ବର୍ଷ ତଳର ସ୍ଥାପତ୍ୟ ଆଭା ବ୍ରିଜ୍ ମାଙ୍ଗି ଇରାୱାଡ଼ି ନଦୀରେ ପଡ଼ିଯାଇଛି  । ବଡ଼ ବଡ଼ ହୋଟେଲ ଥରି ଉଠିବାରୁ ସୁଇମିଂ ପୁଲରୁ ପାଣି ତଳକୁ ଖସି ପଡ଼ିଥିଲା  । କିଛି ସମୟ ପାଇଁ ଏହା ଜଳପ୍ରପାତ ଭଳି ପ୍ରତୀୟମାନ ହୋଇଥିଲା  । ହୋଟେଲରେ ଗାଧୋଉଥିବା ଅନେକ ଲୋକ ଭୂକମ୍ପ ପରେ ସୁଇମିଂ ଡ୍ରେସ ପିନ୍ଧି ବି ସଡ଼କ ଉପରକୁ ଚାଲି ଆସିଥିଲେ । ଥାଇଲାଣ୍ଡର ଷ୍ଟକ ଏକ୍ସଚେଞ୍ଜ ବି ବନ୍ଦ ହୋଇଯାଇଛି  । ଖାଲି ମିଅାଁମାର ଓ ଥାଇଲାଣ୍ଡ ନୁହେଁ ଭାରତ, ବାଂଲାଦେଶ, ଚୀନରେ ବି ଏହାର ପ୍ରଭାବ ଅନୁଭୂତ ହୋଇଛି  । 
ଭାରତର ମଣିପୁର, କୋଲକାତା, ଇମ୍ପାଲ, ମେଘାଳୟରେ ବି ଝଟକା ଅନୁଭୂତ ହୋଇଛିୀ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଦୁଃଖଦ ମୁହୂର୍ତ୍ତରେ ମିଅାଁମାରକୁ ସହାୟତାର ହାତ ବଢ଼ାଇଛନ୍ତି  । ମିଆଁମାର ସରକାର ବି ଏନେଇ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି  । ମିଆଁମାର ମାଟି ତଳେ ସଗାଇଙ୍ଗ ଫଲଟ ରହିଛି  । ୧୨ ଶହ କିଲୋମିଟର ଲମ୍ବିଥିବା ଏହି ଅଞ୍ଚଳ ଭୂକମ୍ପ ପ୍ରବଣ  । ଯେଉଁଥିପାଇଁ ପ୍ରତି ବର୍ଷ ଏଠାରେ ଛୋଟ ବଡ଼ ଭୂକମ୍ପ ହୋଇଥାଏ  । ତେବେ ଆଜି ଭୂକମ୍ପର ତୀବ୍ରତା ଅଧିକ ଥିବାରୁ ବହୁ ଜନଜୀବନ କ୍ଷତି ଘଟିଛି  ।