ବିଜେଡ଼ିକୁ ନୂଆପଡ଼ା, ବିଜେପିକୁ କୋମନା, କଂଗ୍ରେସକୁ ଅର୍ଥ ଟେନ୍‌ସନ୍‌

ବିଜେଡ଼ିକୁ ନୂଆପଡ଼ା, ବିଜେପିକୁ କୋମନା, କଂଗ୍ରେସକୁ ଅର୍ଥ ଟେନ୍‌ସନ୍‌

ଭୁବନେଶ୍ୱର/ନୂଆପଡ଼ା : ଧିରେଧିରେ ନୂଆପଡ଼ା ଉପନିର୍ବାଚନ ମାହୋଲ ଜମିବାରେ ଲାଗିଲାଣି । ତିନି ଦଳର ନେତାମାନେ ଏବେ ଗ୍ରାଉଣ୍ଡ ଜିରୋକୁ ଯାଇ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି । ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପଞ୍ଚାୟତମାନଙ୍କରେ କାର୍ଯ୍ୟାଳୟ ବି ଖୋଲିଗଲାଣି । ବିଧାୟକ ଓ ବରିଷ୍ଠ ନେତାମାନେ ଏବେ ସେଠାରେ ମଙ୍ଗ ଧରିଛନ୍ତି । କିଛି କିଛି ସ୍ଥାନରେ ଖନ୍ଦାଶାଳ ବି ଆରମ୍ଭ ହୋଇଗଲାଣି । ଆଉ ଦି ଚାରିଦିନ ମଧ୍ୟରେ ଗାଁ ଗାଁରେ ନିର୍ବାଚନୀ ଛୁଙ୍କର ବାସ୍ନା ମହକିବ ବୋଲି ଆକଳନ କରାଯାଉଛି । ଏସବୁ ଭିତରେ ନୂଆପଡ଼ା ଏନଏସି, ଖରିଆର ରୋଡ଼ ଏନଏସି ଓ ନୂଆପଡ଼ା ବ୍ଳକରେ ବିଜେପି ଅନ୍ୟ ଦୁଇ ଦଳ ଅପେକ୍ଷା ଶକ୍ତିଶାଳୀ ଥିବାବେଳେ କୋମନାରେ କିନ୍ତୁ ବିଜେପି ଝୁଣ୍ଟିଯାଇଛି । ସେପଟେ କଂଗ୍ରେସ ଉଭୟ ବ୍ଳକରେ ଭଲ ଟକ୍କର ଦେଉଥିବା ଲକ୍ଷ୍ୟ କରାଯାଉଛି ।

ନୂଆପଡ଼ାରେ ବୁଲିବା ବେଳେ ଆମେ ସ୍ଥାନୀୟ ଲୋକଙ୍କ ଠାରୁ ନିର୍ବାଚନର ହାଲଚାଲ ବିଷୟରେ ବୁଝିଥିଲୁ  । ସାଧାରଣତଃ ସହରାଞ୍ଚଳ ଭୋଟରମାନେ ବିଜେପିକୁ ପସନ୍ଦ କରିଥା’ନ୍ତି । ଖରିଆର ରୋଡ଼ରେ ବିଜେପି ମଜବୁତ ସ୍ଥିତିରେ ରହିଥିବା ପରିଲକ୍ଷିତ ହୋଇଥିଲା । ନୂଆପଡ଼ା ଏନଏସିରେ ବି ବିଜେପି ସ୍ଥିତି ଭଲ ରହିଛି । ସେହିପରି ନୂଆପଡ଼ା ବ୍ଳକରେ ଅଭିନନ୍ଦନ ପଣ୍ଡା ଭଲ ଭୋଟ ପାଇଥିଲେ । ସେପଟେ ରାଜେନ୍ଦ୍ର ଢୋଲକିଆଙ୍କର ବି ଭଲ ସମର୍ଥନ ରହିଥିଲା । ରାଜେନ୍ଦ୍ରଙ୍କ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ ଏବେ ବିଜେଡ଼ି ଛାଡ଼ି ବିଜେପି ପାଇଁ କାମ କରିବା ଆରମ୍ଭ କରିଦେଇଛନ୍ତି । ବିଶେଷକରି ଜୟଙ୍କ ମା’ କଳ୍ପନା ଢୋଲକିଆ ପ୍ରଚାର ମଇଦାନକୁ ଓହ୍ଲାଇ ସିମ୍ପାଥି ଭୋଟ୍‌ ସାଉଁଟିବାକୁ ଯୋଜନା କରିଛନ୍ତି । ଏହା କେତେକାଂଶରେ ଫଳପ୍ରଦ ହେଉଥିବା ମନେହେଉଛି । ଏହିସବୁ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ବି ଜନ ସମର୍ଥନ କମ୍‌ ନାହିଁ । ତେବେ ବିଜେଡ଼ି ସେହିସବୁ ସ୍ଥାନରେ ପଛରେ ରହିଥିଲେବି ସ୍ଥିତି ସୁଧାରିବାରେ ଲାଗିଛି । ଗତ କିଛିଦିନ ଧରି ବିଜେଡ଼ିର ସ୍ଥିତି ପୂର୍ବାପେକ୍ଷା ବଢୁଥିବାବେଳେ କଂଗ୍ରେସ କମୁଥିବା ମନେହେଉଛି ।

ଅପରପକ୍ଷରେ କୋମନାରେ କିନ୍ତୁ ବିଜେଡ଼ି ଅନ୍ୟ ଦୁଇ ଦଳ ଅପେକ୍ଷା ଆଗରେ ରହିଛି । ଯେଉଁଥିପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ କୋମନାରୁ ହିଁ ନିଜର ପ୍ରଚାର ଆରମ୍ଭ କରିବେ । ଅପରପକ୍ଷରେ ବିଜେପି ମଧ୍ୟ ଏବେ କୋମନା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି  । ଗାଏମୋଟ୍‌ କହିଲେ ନୂଆପଡ଼ାରେ ଶକ୍ତି ସାଉଁଟିବା ପରେ ବିଜେପି ଏବେ କୋମନାରେ ସବୁ ଶକ୍ତି ଲଗାଇଦେବ । ନିର୍ବାଚନ ଆହୁରି ଅନେକ ଦିନ ବାକି ରହିଛି । କୋମନାରେ ବିଜେଡ଼ି ପରେ କଂଗ୍ରେସର ସ୍ଥିତି ଭଲ ରହିଛି । ସେଠାରେ ବିଜେପି ୩ ନମ୍ବରକୁ ଠେଲି ହୋଇଯାଇଥିଲେବି ଶାସକ ଦଳ ଏବେ ଗୋଟି ଚଳାଇବା ଆରମ୍ଭ କରିଦେଇଛି  ।
ଏବେ ଟିକେ ନଜର ପକାଇବା ତିନି ଦଳର କ’ଣ ରହିଛି ଶକ୍ତି, କ’ଣ ରହିଛି ଦୁର୍ବଳତା । ଜୟ ଢୋଲକିଆଙ୍କର ବଳ ହେଉଛି ବିଜେପି । ଶାସକ ଦଳରୁ ଲଢ଼ିବା ତାଙ୍କର ସବୁଠାରୁ ବଡ଼ ଶକ୍ତି । ତେବେ ସିମ୍ପାଥି ଫ୍ୟାକ୍ଟର ଯେତିକି ରହିବା କଥା କିନ୍ତୁ ସେତିକି ରହିବ ନାହିଁ। ତେବେ ଦିବଂଗତ ବିଧାୟକଙ୍କ ପତ୍ନୀ ମଇଦାନକୁ ଓହ୍ଲାଇଥିବାରୁ ସିମ୍ପାଥି ଫ୍ୟାକ୍ଟର ଅଳ୍ପ କିଛି କାମ କରିପାରେ ବୋଲି ମନେ କରାଯାଇଛି । ରାଜେନ୍ଦ୍ର ଢୋଲକିଆଙ୍କର କଟ୍ଟର ସମର୍ଥକମାନେ ଜୟଙ୍କ ସହ ଅଛନ୍ତି । ନୂଆପଡ଼ା ବ୍ଳକ, ନୂଆପଡ଼ା ଏନଏସି, ଖରିଆର ରୋଡ଼ ଏନଏସିରେ ରାଜେନ୍ଦ୍ରଙ୍କ ଅନେକ ସମର୍ଥକ ଜୟଙ୍କୁ ସହଯୋଗ କରୁଛନ୍ତି । ବିଜେପି ମଧ୍ୟ ଫତୁଆ ଜାରି କରିଦେଇଛି । ପ୍ରଥମେ ଜୟଙ୍କୁ ନେଇ ଯେଉଁ ଅସନ୍ତୋଷ ରହିଥିଲା ବା ଭୋଟ୍‌ ବିଭାଜନ ନେଇ ମନେ କରାଯାଉଥିଲା ଆଜିକା ଦିନରେ ସେମିତି ସ୍ଥିତି ନାହିଁ । ବସନ୍ତ ପଣ୍ଡା, ଅଭିନନ୍ଦନ ପଣ୍ଡା, ପ୍ରସନ୍ନ ପାଢ଼ୀ ଓ ଯଦୁମଣି ପାଣିଗ୍ରାହୀ ଏବେ ପ୍ରଚାର ମଇଦାନରେ । ମନ୍ତ୍ରୀମାନେ ଏବେ ଜୋନ୍‌ ଦାୟିତ୍ୱ ସମ୍ଭାଳିବା ସହ ମାରାଥନ୍‌ ପ୍ରଚାର କରୁଛନ୍ତି  । 

ସେହିପରି ଏବେବି ନୂଆପଡ଼ାରେ କଂଗ୍ରେସର ଏକ ମାହୋଲ ଅଛି । କାହିଁକିନା ଘାସିରାମଙ୍କର ୨୦ରୁ ୨୫ ହଜାର ପକେଟ୍‌ ଭୋଟ୍‌ ରହିଛି । ଆଦିବାସୀମାନେ ଯାହାଙ୍କୁ ଥରେ ନେତା ଭାବନ୍ତି ସେମାନେ ପ୍ରାୟତଃ ସେମାନଙ୍କ ସହ ରହନ୍ତି । ଯାହାକି ଘାସିରାମଙ୍କ ପାଇଁ ଫାଇଦା ହେଉଛି । ନିର୍ବାଚନ ପ୍ରଚାର ବେଳେ ଶହ ଶହ ଆଦିବାସୀ ଭାଇଭଉଣୀ ତାଙ୍କ ସହ ଯୋଶ୍‌ରେ ପ୍ରଚାରରେ ସାମିଲ୍‌ ହେଉଛନ୍ତି । ନୂଆପଡ଼ାର ସେ ମାଟିର ପୁଅ ବୋଲି ନ୍ୟାରେଟିଭ୍‌ କରି ପ୍ରଚାର ଜାରି ରଖିଛନ୍ତି । ଖାଲି ସେତିକିନୁହେଁ ଘାସିରାମ୍‌ ନୂଆପଡ଼ା ପାଇଁ ସ୍ୱତନ୍ତ୍ର ଭାବେ ଇସ୍ତାହାର ବା ଭିଜନ ଡକ୍ୟୁମେଣ୍ଟ କରିବାକୁ ଯାଉଛନ୍ତି । କିନ୍ତୁ କିଛି ସମୀକରଣ ନିଶ୍ଚିତ ଭାବେ ଘାସିରାମଙ୍କ ଟେନସନ ବଢ଼ାଇ ଦେଇଛି । ଗତ ନିର୍ବାଚନରେ ବିଜେଡ଼ିର ନିଲମ୍ବିତ ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ ତାଙ୍କୁ ସହଯୋଗ କରିଥିଲେ । ଏବେ ସେ ତାଙ୍କ ସହ ନାହାନ୍ତି । ଭକ୍ତବନ୍ଧୁ ଧରୁଆ ବି ଜଣେ ଆଦିବାସୀ ନେତା । ସେ ସ୍ୱାଧୀନରୁ ଲଢ଼ି ଘାସିରାମଙ୍କ ଭୋଟ କାଟିବାକୁ ଯୋଜନା କରିଛନ୍ତି । ୨୦୨୪ରେ ବିଜେପି ପ୍ରାର୍ଥୀଙ୍କୁ ବିରୋଧ କରି କିଛି ଆଶାୟୀ ନେତା ଓ ତାଙ୍କ କର୍ମୀ ଘାସିରାମଙ୍କୁ ହିଁ ଭିତିରିଆ ସମର୍ଥନ କରିଥିଲେ । କିନ୍ତୁ ଏବେ ସେମାନେ ଘାସିରାମଙ୍କ ସହ ନଥିବାରୁ ୨୦୨୪ ଭଳି ସେ ଭୋଟ୍‌ ସାଉଁଟି ପାରିବେ କି ନାହିଁ ତାହା ସମୟ ହିଁ କହିବ । ଗାଏମୋଟ୍‌ କହିଲେ କଂଗ୍ରେସରେ ଏବେ ଭକ୍ତ ଦାସ ଓ ଘାସିରାମ ହିଁ ଲଢେ଼ଇ  କରୁଛନ୍ତି । କଂଗ୍ରେସ ଯାହା ବି ଭୋଟ୍‌ ପାଇବ କେବଳ ଭକ୍ତ ଓ ଘାସିରାମଙ୍କ ପାଇଁ ବୋଲି ଆମେ ଦେଖିବାକୁ ପାଇଥିଲୁ । ଏବେ ଆସିବା ବିଜେଡ଼ି ଆଡ଼କୁ । ପ୍ରାର୍ଥୀ ଚୟନ ବେଳଠାରୁ ବିଜେଡ଼ି ବ୍ୟାକ୍‌ ଫୁଟ୍‌ରେ ରହିଥିଲା । ତେବେ ସ୍ନେହାଙ୍ଗିନୀଙ୍କ ଶକ୍ତି ହେଉଛନ୍ତି ନବୀନ । ଏବେବି ନୂଆପଡ଼ାରେ ନବୀନଙ୍କ କ୍ରେଜ୍‌ ରହିଛି । ନବୀନଙ୍କ ପ୍ରତି ଭଲ ପାଇବା ବାରି ହେଉଥିଲା । ନବୀନ ପ୍ରଚାରକୁ ଆସିଲେ ଅତିକମ୍‌ରେ ଦଶ ପନ୍ଦର ହଜାର ଭୋଟ୍‌ ବିଜେଡ଼ିର ବଢ଼ିବ ବୋଲି ସେମାନେ ଅନୁମାନ କରୁଛନ୍ତି । ବିଜେଡ଼ିର ରଣନୀତି ସବୁବେଳେ ଅନ୍ୟମାନଙ୍କ ଠାରୁ ଆଗରେ । ବୁଥ୍‌ ୱାରୀ ଟିକିନିଖି ରଣନୀତିରେ ସେମାନେ ଓସ୍ତାଦ । ସାତ ଦିନ ତଳେ ବିଜେଡ଼ିକୁ ନେଇ ଆଶଙ୍କା ରହିଥିଲା । ସେମାନେ ଲଢେ଼ଇ କରିବେ ନା ନାହିଁ, ସେମାନେ ତିନି ନମ୍ବରର ରହିଯିବେ କି ? ଏମିତି ଅନୁମାନ କରାଯାଉଥିଲା । କିନ୍ତୁ ଆଜିକା ଦିନରେ ସ୍ଥିତି ବଦଳିଛି  । ଗତ ତିନି ଦିନ ଧରି ବିଜେଡ଼ି ବଢ଼ିବାରେ ଲାଗିଛି । ସେମାନେ ସଂଗଠିତ ହୋଇ ଲଢୁଛନ୍ତି । ଦୁର୍ବଳତା ହେଉଛି ସେମାନେ ପୂର୍ବଭଳି ଶାସକ ଦଳରେ ନାହାନ୍ତି । ବିଗତ ଦିନରେ ଯେତକ ଉପନିର୍ବାଚନ ହୋଇଛି ସେଠାରେ ସିମ୍ପାଥି ଫ୍ୟାକ୍ଟର ଥିଲା । ଧାମନଗରକୁ ଛାଡ଼ିଦେଲେ ବାକି ବିଜେପୁର, ପଦ୍ମପୁର, ଝାରସୁଗୁଡ଼ା, ବ୍ରଜରାଜନଗର, ପିପିଲିରେ ବିଜେଡ଼ି ବାଜିମାତ୍‌ କରିଥିଲେ । ଏବେ କିନ୍ତୁ ସେମାନେ ଶାସନରେ ନାହାନ୍ତି କିମ୍ବା ସିମ୍ପାଥି ଅର୍ଥାତ୍‌ ଦିବଂଗତଙ୍କ ପରିବାର ତାଙ୍କ ସହ ନାହାନ୍ତି । ପ୍ରସଙ୍ଗ ସେତେ ଗୁରୁତ୍ୱ ବହନ କରୁନି । ଏଠାରେ ଚିହ୍ନ ହିଁ ଗୁରୁତ୍ୱ ବହନ କରୁଛି । ପ୍ରାର୍ଥୀ ହିଁ ଗୁରୁତ୍ୱ ବହନ କରୁଛନ୍ତି  । ଦାଦନ ସମସ୍ୟା, ବିକାଶକୁ ନେଇ ସେଭଳି ସାଧାରଣରେ ଆଲୋଚନା ହେଉନାହିଁ । ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମୁହାଁମୁହିଁ ହେବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବି ପ୍ରଚାରକୁ ଆସିବେ । ୮ ପଞ୍ଚାୟତ ଛତିଶଗଡ଼କୁ ଲାଗିଥିବାରୁ ବିଜେପି ଏଭଳି ରଣନୀତି କରିଛି । ସେପଟେ କହ୍ନେୟା କୁମାର, ସଚିନ ପାଇଲଟ କଂଗ୍ରେସ ପାଇଁ ମଇଦାନକୁ ଓହ୍ଲାଇବେ । ଯାହାକି ରାଜନୀତିକ ପାରଦକୁ ଢେ଼ର ବଢ଼ାଇଦେବ ।