ହାରିଗଲା ଜୀବନ, ଜିତିଗଲା ମୃତ୍ୟୁ : ପିନ୍ ଗିଳି ଗୁରୁତର ହୋଇଥିବା ଛାତ୍ର ମୃତ
ଫୁଲବାଣୀ : ପିନ୍ ଗିଳି ଛାତ୍ର ମୃତ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନାରେ ଏପରି ଅଘଟଣ ଘଟିଛି । ସୂଚନା ଅନୁସରେ, ଧୋବାତୋଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ତୁଷାର ମିଶ୍ର ଗତ ୧୫ ତାରିଖରେ ବିଦ୍ୟାଳୟ ନୋଟିସ୍ ବୋର୍ଡରେ ଲାଗିଥିବା ଏକ ପିନ୍କୁ ଗିଳି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଏବଂ ସେଠାରୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗତ ୨୬ ତାରିଖରେ ତୁଷାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣା ଉପରେ ଧ୍ୟାନ ଦେଇଥିଲେ ତୁଷାରର ଜୀବନ ବଞ୍ଚିଯାଇଥାନ୍ତା ବୋଲି ତୁଷାରଙ୍କ ବାପା କାଳୀପ୍ରସାଦ କହିଥିବା ବେଳେ ଏଯାବତ୍ ପକ୍ଷରୁ ଥାନାରେ ଅଭିଯୋଗ ଦିଆଯାଇନାହିଁ ।
ତୁଷାର ୧୫ ତାରିଖରେ ପିନ୍ ଗିଳି ଦେଇଥିଲା ବେଳେ ତୁଷାର ଓ ତାଙ୍କ ସାଙ୍ଗମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ କିଛି ଜଣାଇନଥିଲେ । ବିଦ୍ୟାଳୟ ଛୁଟି ପରେ ତୁଷାର ଘରକୁ ଫେରି ପିନ୍ ଗିଳିଦେଇଥିବା ଅଜା ରାମପ୍ରସାଦ ମିଶ୍ରଙ୍କୁ କହିଥିଲେ । ପରେ ଦୁଇ ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କୁ କଟକ ଶିଶୁଭବନକୁ ନିଆଯାଇଥିଲା । ତୁଷାରଙ୍କ ଫୁସ୍ଫୁସ୍ରୁ ଡାକ୍ତରମାନେ ପିନ୍ ବାହାର କରିଥିଲେ । ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ତୁଷାର ପକ୍ଷାଘାତରେ ଆକ୍ରାନ୍ତ ହେବା ସହ କୋମାକୁ ଚାଲିଯାଇଥିଲେ ଏବଂ ଗତ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ ।