ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢୁଛି: ମୋଦି
ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍ ବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ । ସେ କହିଥିଲେ, ଏହି କାର୍ଯ୍ୟକ୍ରମ ୨୦୧୬ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା । ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ୮୫ରୁ ଅଧିକ ଦେଶର ଅଂଶଗ୍ରହଣଦ୍ଭ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ମୋଦି ଆଲୋକପାତ କରି କହିଥିଲେ । ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ । ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି । ଏହି ସମ୍ମିଳନୀ ସମୟରେ ଜାହାଜ ଚଳାଚଳ କ୍ଷେତ୍ର ସହ ଜଡିତ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିବା ଉଲ୍ଲେଖ କରି ମୋଦି କହିଥିଲେ, ଜାହାଜ ଚଳାଚଳ କ୍ଷେତ୍ରରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି । ଏହା ଭାରତର ସାମୁଦ୍ରିକ କ୍ଷମତା ପ୍ରତି ବିଶ୍ୱସ୍ତରୀୟ ବିଶ୍ୱାସକୁ ପ୍ରତିଫଳିତ କରେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ଉପସ୍ଥିତି ସେମାନଙ୍କର ସାଧାରଣ ପ୍ରତିବଦ୍ଧତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏକବିଂଶ ଶତାବ୍ଦୀରେ ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତି ଏବଂ ଶକ୍ତି ସହିତ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ସେ କହିଥିଲେ, ୨୦୨୫ ବର୍ଷ ଏହି କ୍ଷେତ୍ର ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରମୁଖ ସଫଳତା ହାସଲ କରିଛି । ଭାରତର ପ୍ରଥମ ଗଭୀର ଜଳ ଅନ୍ତର୍ଜାତୀୟ ଟ୍ରାନ୍ସ-ସିପମେଣ୍ଟ ହବ୍, ଭିଜିଞ୍ଜାମ ବନ୍ଦର ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ ସମ୍ପ୍ରତି ବନ୍ଦରରେ ପହଞ୍ଚିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ୨୦୨୪-୨୫ରେ ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ସର୍ବାଧିକ ମାଲ ପରିବହନ କରିଛନ୍ତି, ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ଥର ପାଇଁ ଏକ ଭାରତୀୟ ବନ୍ଦର ଏକ ମେଗାୱାଟ-ସ୍କେଲ ସ୍ୱଦେଶୀ ସବୁଜ ହାଇଡ୍ରୋଜେନ ସୁବିଧା ଆରମ୍ଭ କରିଛି । ଏହା ହେଉଛି କାଣ୍ଡଲା ବନ୍ଦର ବୋଲି ସେ କହିଥିଲେ । ଜେଏନପିଟିରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରାଯାଇଛି, ଯେଉଁଠାରେ ଭାରତ ମୁମ୍ବାଇ କଣ୍ଟେନର ଟର୍ମିନାଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହା ଟର୍ମିନାଲର ପରିଚାଳନା କ୍ଷମତାକୁ ଦ୍ୱିଗୁଣିତ କରିଛି, ଏହାକୁ ଭାରତର ସର୍ବବୃହତ କଣ୍ଟେନର ବନ୍ଦର କରିଛି । ଭାରତର ବନ୍ଦର ଭିତ୍ତିଭୂମିରେ ସର୍ବାଧିକ ବିଦେଶୀ ପୁଞ୍ଜି ନିବେଶ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ଏବଂ ସିଙ୍ଗାପୁରର ଭାଗୀଦାରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ବିଶେଷ କୃତଜ୍ଞତା ଜଣାଇଥିଲେ । ଚଳିତ ବର୍ଷ ଭାରତ ସାମୁଦ୍ରିକ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ପାଇଁ ପ୍ରମୁଖ ପଦକ୍ଷେପ ନେଇଛି । ଏକ ଶତାବ୍ଦୀରୁ ଅଧିକ ପୁରୁଣା ଔପନିବେଶିକ ଜାହାଜ ଚଳାଚଳ ଆଇନଗୁଡ଼ିକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଆଧୁନିକ ଏବଂ ଭବିଷ୍ୟତବାଦୀ ଆଇନ ଦ୍ୱାରା ବଦଳାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୧୫୦ରୁ ଅଧିକ ନୂତନ ପଦକ୍ଷେପ ଆରମ୍ଭ କରାଯାଇଛି, ଯାହାର ଫଳସ୍ୱରୂପ ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ପ୍ରାୟ ଦ୍ୱିଗୁଣିତ ହୋଇଛି । କାରବାର ସମୟରେ ଯଥେଷ୍ଟ ହ୍ରାସ ହୋଇପାରିଛି ଏବଂ କ୍ରୁଜ୍ ପର୍ଯ୍ୟଟନରେ ଏକ ନୂତନ ଗତି ଆସିଛି । ଆଭ୍ୟନ୍ତରୀଣ ଜଳପଥରେ ମାଲ ପରିବହନ ୭୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, କାର୍ଯ୍ୟକ୍ଷମ ଜଳପଥ ସଂଖ୍ୟା ତିନିରୁ ବତିଶକୁ ବୃଦ୍ଧି ପାଇଛି । ଗତ ଦଶନ୍ଧିରେ ଭାରତୀୟ ନାବିକଙ୍କ ସଂଖ୍ୟା ୧.୨୫ ଲକ୍ଷରୁ ବୃଦ୍ଧି ପାଇ ୩ ଲକ୍ଷରୁ ଅଧିକ ହୋଇଛି । ଆଜି, ନାବିକ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱ ସ୍ତରରେ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ସ୍ଥାନ ପାଇଛି ବୋଲି ମୋଦି କହିଥିଲେ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଶାନ୍ତନୁ ଠାକୁର ଓ କୀର୍ତ୍ତି ବର୍ଦ୍ଧନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।