ବିଡ଼ିଏର କଳେବର ବଢ଼ିବ
ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୦ତମ କର୍ତ୍ତୃପକ୍ଷ ବୈଠକ ଗୁରୁବାର ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧,୫୩୬ କୋଟିର ବଜେଟ୍ ଅନୁମୋଦନ କରାଯାଇଛି । ସହରର ସମ୍ପ୍ରସାରଣ ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।
ବିଡିଏରେ ୧୪୩ ନୂତନ ରାଜସ୍ୱ ଗ୍ରାମକୁ ସାମିଲ କରିବା ନେଇ ଅନୁମୋଦନ ମିଳିଛି । ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ମହାନ୍ତି, ପ୍ରମୁଖ ଶାସନ ସଚିବ ି ଉଷା ପାଢୀ, ବିଡିଏ ଉପାଧ୍ୟକ୍ଷ ଡା.ଏନ୍ ତିରୁମାଲା ନାୟକ, ବିଡ଼ିଏ ସଚିବ ମାନସ ରଞ୍ଜନ ପାଢୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ୧୯୮୩ରେ ମାତ୍ର ୧୧୬ଟି ରାଜସ୍ୱ ଗ୍ରାମକୁ ନେଇ ବିଡିଏର ସହର ବିକାଶ ଚିନ୍ତାଧାରା ଆରମ୍ଭ ହୋଇଥିଲା । ୨୦୦୨, ୨୦୦୩ ଏବଂ ୨୦୧୧ରେ ଏହାର କଳେବରକୁ ସମ୍ପ୍ରସାରଣ କରାଯାଇଛି । ନୂତନ ଗ୍ରାମଗୁଡିକ ମିଶିବା ପରେ ବିଡିଏ ଦ୍ଭ ୭ ପୃଷ୍ଠାରେ... ଅଧିକାର କ୍ଷେତ୍ରରେ ଥିବା ମୋଟ ଗ୍ରାମ ସଂଖ୍ୟା ୫୬୯ରୁ ବୃଦ୍ଧି ପାଇ ୭୧୨କୁ ପହଞ୍ଚିବ । ବିଡିଏର ଗୃହ ନିର୍ମାଣ ଓ ବାଣିଜ୍ୟିକ ବିକାଶ ଯୋଜନାରେ ଚନ୍ଦ୍ରଶେଖରପୁର, ଖୋର୍ଦ୍ଧାର ଜଗସାରା ଓ ସାନପଲ୍ଲାରେ ଗୃହ ନିର୍ମାଣ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହିତ, ପଟିଆରେ ବାଣିଜ୍ୟିକ ସ୍ଥାନର ବିକାଶ କରାଯିବ । ସେହିପରି ମାଷ୍ଟର କ୍ୟାଣ୍ଟିନ୍ରେ ଭୁବନେଶ୍ୱର ଟାଉନ୍ ସେଣ୍ଟର (ବିଟିସି) ଏବଂ ବିଡିଏ ସିଟି ସେଣ୍ଟରର ବିକାଶକୁ ମଧ୍ୟ ଅନୁମୋଦନ କରାଯାଇଛି । ଏତଦବ୍ୟତୀତ ଜୟଦେବ ବିହାରରୁ ଭାୟା ରଘୁନାଥପୁର ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା, ନୂଆ ଭୁବନେଶ୍ୱର ରେଳ ଷ୍ଟେସନକୁ ଯିବା ଆପ୍ରୋଚ ରୋଡ଼, ଟିପି ସ୍କିମ-୮ ଦେଇ ଅତିକ୍ରମ କରୁଥିବା ନୂଆଗାଁ-କଟେନି ରୋଡ଼, ନ୍ୟୁ-ସିଟି ପାଇଁ ଚିହ୍ନଟ ହୋଇଥିବା ରାସ୍ତା ଏବଂ ଚନ୍ଦକା-ଖଣ୍ଡଗିରି ରାସ୍ତାରୁ ପିତାପଲ୍ଲୀ-ବାରଙ୍ଗ ରାସ୍ତାର ବିକାଶ ପାଇଁ ନିଷ୍ପତ୍ତି ନିଆଯାଇଛି ।