‘ବୁମରା ଜାଣିଥିଲେ ସେ କ୍ୟାପଟେନ୍ ହେବେନି’

 ଭୁବନେଶ୍ୱର : ଆଜି ବିସିସିଆଇର ଚୟନକର୍ତ୍ତା ଦଳ ଶୁବମନଙ୍କୁ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ଘୋଷଣା କରିଛନ୍ତି । ତେବେ ପୂର୍ବରୁ ଭାରତୀୟ ଦଳର ଫାଷ୍ଟ ବୋଲର୍ ଜସପ୍ରିତ୍ ବୁମରା ଟେଷ୍ଟ ଦଳର ଅଧିନାୟକ ହେବେ ବୋଲି ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ଆଜି ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଅଗରକର୍ । ଏକ ସାମ୍ବାଦିକ ସମ୍ମିଳନୀରେ ଅଗରକର ଭାରତୀୟ ୧୮ ଜଣିଆ ଟେଷ୍ଟ କ୍ରିକେଟ୍ ଦଳର ନାମ ଘୋଷଣା କରିବା ସହ କାହାର କ’ଣ ଦାୟିତ୍ୱ ମଧ୍ୟ ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ଆଜି ଏକ ରୋଚକ ତଥ୍ୟ ଦେଇ ଅଗରକର କହିଛନ୍ତି ଯେ, ବୁମରା ଜାଣିଥିଲେ ସେ କ୍ୟାପଟେନ୍ ହୋଇପାରିବେ ନାହିଁ । ନିକଟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର୍ ଗାଭାଷ୍କର ଟ୍ରଫିରେ ବୁମରା ଅଧିନାୟକତ୍ୱ କରିଥିବା ବେଳେ ସେହି ମ୍ୟାଚ୍ ପରଠାରୁ ବୁମରାଙ୍କ ଠାରୁ ଦାୟିତ୍ୱ ଅପସାରଣ କରି ନିଆଯାଇଥିଲା । କାରଣ ଅଧିନାୟକ ହେବା ପାଇଁ ମାନସିକସ୍ତରରେ ସେତିକି ଦୃଢ଼ ରହିବା ନିହାତି ଜରୁରୀ । ବୁମରା ଅଧିନାୟକ ଚାପରେ ରହି ମ୍ୟାଚ୍ ଖେଳିବା ଯୋଗୁ ସମ୍ପୂର୍ଣ୍ଣ ଫୋକ୍ କରି ପାରିନ ଥିଲେ ବୋଲି ମୁଖ୍ୟ ଚୟନକର୍ତ୍ତା ଅଗରକର ସୂଚନା ଦେଇଛନ୍ତି ।
ସେହିପରି ଏକଥା ସମସ୍ତେ ଜାଣନ୍ତି, ଅଧିନାୟକ ହେବା ଅର୍ଥାତ୍ ଚାପ ମୁଣ୍ଡାଇବା । ଯଦି ଜଣେ ଖେଳାଳି ବ୍ୟାଟର୍ ହୁଅନ୍ତୁ ଅଥବା ବୋଲର୍ ନିଜ ପ୍ରତିଭାକୁ ସଫଳତାର ସହ ପ୍ରତିପାଦନ କରିବାକୁ ଚାହେଁ, ତେବେ ସେଠାରେ ଅତିରିକ୍ତ ଚାପ ନ ରହିବା ଆବଶ୍ୟକ । ଏଣୁ ଅଧିନାୟକ ଭଳି ଗୋଟିଏ ଦାୟିତ୍ୱ ଛୋଟିଆ ଦାୟିତ୍ୱ ନୁହେଁ, ଯଦି ମ୍ୟାଚ୍ ସମୟରେ ବିପକ୍ଷ ଦଳର ସ୍କୋର୍ ଅଧିକ ହୁଏ ତେବେ ସ୍କୋର୍ ବାଲାନ୍ସ ପାଇଁ ଅବା ଦଳକୁ ବାଟକୁ ଆଣିବା ପାଇଁ ସବୁ ଚାପ କ୍ୟାପଟେନ୍ ଉପରେ ପଡ଼ିଥାଏ । ଆଉ ଏହି ସମୟରେ ସେଇ ଖେଳାଳି ଅଥବା କ୍ୟାପଟେନ୍ ନିଜ ପ୍ରତିଭା ପ୍ରତି ଏକାଗ୍ରତା ଆଣିପାରି ନ ଥାଏ । ଠିକ୍ ଏହି ଘଟଣା ବିରାଟ କୋହଲୀଙ୍କ କ୍ଷେତ୍ରରେ ମଧ୍ୟ ଘଟିଥିଲା । ଆଉ ବୁମରା ମଧ୍ୟ ଏକଥା ଭଲ ଭାବେ ଜାଣିଛନ୍ତି ଯେ, ଯଦି ସେ ଅଧିନାୟକତ୍ୱ କରନ୍ତି ତେବେ ସେ ନିଶ୍ଚିତ ଭାବେ ନିଜ ବୋଲିଂ ଉପରେ ଏକାଗ୍ରତା କରିପାରିବେ ନାହିଁ ।