ବିଦେଶରେ ଶିକ୍ଷା ଲାଭ ପାଇଁ ଅର୍ଥ ବାଧକ ହେବନି: ସୂରଜ
ଭୁବନେଶ୍ୱର : ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଦେଶ ଶିକ୍ଷାବୃତ୍ତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ଲାଗୁ କରାଯିବ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନେ ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ । ଯେଉଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରର ବାର୍ଷିକ ଆୟ ୧୨ଲକ୍ଷ କିମ୍ବା ୧୨ଲକ୍ଷ ଟଙ୍କାରୁ କମ୍ ହୋଇଥିବା ସେହିମାନେ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ । ଛାତ୍ରବୃତ୍ତି ପାଇବା ନିମନ୍ତେ ଛାତ୍ର ବା ଛାତ୍ରୀଜଣକ ବିଶ୍ୱର ଶ୍ରେଷ୍ଠ ୨୦୦ କ୍ୟୁଏସ ରାଙ୍କିଙ୍ଗ ଶିକ୍ଷାନୁଷ୍ଠାନରେ ପିଜି ଓ ପିଏଚଡ଼ି ପାଠ୍ୟକ୍ରମ ପାଇଁ ନାମଲେଖା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ଆବଶ୍ୟକ ।
ଛାତ୍ରଛାତ୍ରୀମାନେ ଏହି ବୃତ୍ତି ନିମନ୍ତେ ପ୍ରତିବର୍ଷ ୨ ଥର (ଜୁଲାଇ- ଅଗଷ୍ଟ ମାସ ଅବଧି ଏବଂ ଡିସେମ୍ବର-ଜାନୁଆରି ମାସ ଅବଧି) ଆବେଦନ କରିପାରିବେ । ପ୍ରତିବର୍ଷ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ଜଣ ଛାତ୍ରଛାତ୍ରୀମାନଙ୍କୁ ଏହି ଶିକ୍ଷାବୃତ୍ତି ପ୍ରଦାନ କରାଯିବ । ବିଦେଶ ଶିକ୍ଷା ବୃତ୍ତି ଯୋଜନାର ଶୁଭାରମ୍ଭ ସହିତ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜରେ ୩୪ଜଣଙ୍କୁ ଗ୍ରୁପ ସି ଓ ଗ୍ରୁପ ଡ଼ି ବର୍ଗରେ ଅନୁକମ୍ପାମୂଳକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସମସ୍ତ ନବ ନିଯୁକ୍ତମାନେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଠାରୁ ନିଜର ନିଯୁକ୍ତି ପତ୍ର ଗ୍ରହଣ କରିବା ସହ ଅନୁକମ୍ପାମୂଳକ ନିଯୁକ୍ତିପାଇଁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏଥିସହ ରାଜ୍ୟରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଏକାଡେମିକ ପରଫରମାନ୍ସ ଅଡ଼ିଟ ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚ଼ଶିକ୍ଷା ପରିଷଦକୁ କପି ରାଇଟ୍ ମଧ୍ୟ ପ୍ରଦାନ କରାଯାଇଛି । ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ନବନିଯୁକ୍ତମାନଙ୍କୁ ନିଷ୍ଠାପରତାର ସହ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିଥିଲେ । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।