ଶ୍ରେଷ୍ଠତ୍ୱ ପାଇଁ ଯୋଗ୍ୟ ବିବେଚିତ ଓଡ଼ିଶା ପାଭିଲିୟନ
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଅନ୍ତିମ ତିଥିରେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ଓଡିଶା ପାଭିଲିୟନ । ଏ' ସମ୍ପର୍କରେ ବାଣିଜ୍ୟ ମେଳାର ଆୟୋଜକ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ ଦ୍ୱାରା ସୂଚନା ପ୍ରଦାନ ପରେ ଓଡିଶା ପାଭିଲିୟନ୍ ରେ ଆନନ୍ଦର ଲହରି ଖେଳି ଯାଇଛି ଏବଂ ଅଂଶଗ୍ରହଣକାରୀ ଅନ୍ୟ ରାଜ୍ୟର କର୍ମକର୍ତ୍ତାମାନେ ଓଡିଶା ପାଭିଲିୟନ୍କୁ ଆସି ଅଭିନନ୍ଦନ ଜଣାଉଛନ୍ତି ।
ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫ର ବିଷୟବସ୍ତୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ' ଆଧାରରେ ଓଡ଼ିଶା ମଣ୍ଡପ ପ୍ରସ୍ତୁତ କରାଯାଇଛି । ମଣ୍ଡପ ଡିଜାଇନରେ କେବଳ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ଭାସ୍କର୍ଯ୍ୟ କଳା ପ୍ରତିଫଳିତ ହୋଇନାହିଁ, ବରଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରସ୍ତୁତ ଭିଜନ୍ ଡକ୍ୟୁମେଣ୍ଟ ଆଧାରରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ' ପାଇଁ ଓଡିଶାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଛି । ବିଭିନ୍ନ କୃଷି ଉତ୍ପାଦ ସମେତ ଉତ୍କୃଷ୍ଟ ହସ୍ତତନ୍ତ, ହସ୍ତଶିଳ୍ପ କଳା ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବହୁ ସାମଗ୍ରୀ ମଧ୍ୟ ଏଥିରେ ପ୍ରଦର୍ଶିତ ହୋଇଛି । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଲଗାତାର ଭାବେ ଗତ ୩ ବର୍ଷ ଧରି ଓଡିଶା ପାଭିଲିୟନ୍ ପୁରସ୍କୃତ ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଚତୁର୍ଥ ଥର ପାଇଁ ପୁରସ୍କାର ଗ୍ରହଣ କରିବ । ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ୍ର ଆୟୋଜନ ଦାୟିତ୍ୱ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ରହିଛି ।