ବିଧାନସଭାରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ : ଯୁବବର୍ଗ ହେଉଛନ୍ତି ସଶକ୍ତ ସମାଜ ନିର୍ମାଣର ଆଧାର
ଭୁବନେଶ୍ୱର : ବିଧାନସଭା ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପ୍ରଥମ ଦିନରେ ବାଚସ୍ପତି ସୁରମା ପାଢ଼ୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ କି, ଆଜିର ଯୁବବର୍ଗ ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ ସମ୍ପଦ ଏବଂ ଆସନ୍ତାକାଲିର ଭବିଷ୍ୟତ । ଯୁବବର୍ଗ ହେଉଛି ଏକ ସଶକ୍ତ ସମାଜ ନିର୍ମାଣର ଆଧାର । ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ପୂରଣ କରିବାରେ ଯୁବବର୍ଗଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଧାନସଭା ପରିସରରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଯୁବ ନେତୃତ୍ୱର ବିକାଶରେ ସହାୟକ ହେବ । ତୃଣମୂଳସ୍ତରରୁ ଜାତୀୟସ୍ତର ପର୍ଯ୍ୟନ୍ତ ଯୁବଶକ୍ତିର ବିକାଶରେ ହିଁ ଦେଶର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଆଗାମୀ ଦିନରେ ଜାତୀୟସ୍ତରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଆଜିର କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।