ଧର୍ମେନ୍ଦ୍ର ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି : ବିଜେଡି

ଭୁବନେଶ୍ୱର : ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ରାଜ୍ୟ ବିଜେପିର ଅଭ୍ୟାସ ହୋଇଗଲାଣି । ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି । ଏନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, ଗତ ୨୪ ତାରିଖରେ ଆଠମଲ୍ଲିକ ଏନଏସିର ୫ ନମ୍ବର ୱାର୍ଡରେ ସମ୍ବଲପୁର ଲୋକସଭା ଆସନ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିଛନ୍ତି । ପୂର୍ବରୁ ସେ ଏନସିସି ଅଫିସ ଓ ସରକାରୀ ଅଫିସକୁ ପ୍ରଚାର ପାଇଁ ବ୍ୟବହାର କରିଥିଲେ ।
ସେହିପରି ବିଜେପି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରଚାର ବେଳେ ଛୋଟ ପିଲାମାନଙ୍କୁ ବ୍ୟବହାର କରୁଛନ୍ତି । ଅପରାଜିତା ଷଡ଼ଙ୍ଗୀ ସୋସିଆଲ ମିଡିଆରେ ଛୋଟପିଲାଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିଥିଲେ । ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ରାଲିରେ ଛୋଟ ପିଲାମାନେ ନାଚୁଥିବା ନଜିର ମଧ୍ୟ ରହିଛି । ଏଣୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେପି ପ୍ରାର୍ଥୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଦାବିପତ୍ର ଦେଇଛି ବିଜେଡି ।