ବିନା ଅତିରିକ୍ତ ତହସିଲଦାରରେ ଚାଲିଛି ବରୀ ତହସିଲ କାର୍ଯ୍ୟାଳୟ : ତୀବ୍ର ଜନ ଅସନ୍ତୋଷ
ଯାଜପୁର : ବନ୍ୟା ପ୍ରପିଡ଼ିତ ଅଞ୍ଚଳ ଭାବେ ଜଣା ବରୀ ତହସିଲରେ ଏକାଧିକ ପଦବୀ ଫାଙ୍କା ପଡ଼ିଛି । ବିଶେଷ କରି ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟ ବହୁ ଗୁରୁତ୍ୱ ବହନ କରୁଥିଲେ ହେଁ ଏଠାରେ ଦୁଇଟିଯାକ ପଦ ଦିର୍ଘମାସ ହେବ ଖାଲି ପଡ଼ିଛି । ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡ଼ିବା ପରେ ଗତ ଜୁନ ମାସ ୧୦ତାରିଖରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଆଦେଶ ସଂଖ୍ୟା ୨୦୯୪୪ ବଳରେ ଯାଜପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ବିଜୟ କୁମାର ମାରାଣ୍ଡିଙ୍କୁ ଅତିରିକ୍ତ ତହସିଲଦାର ବରୀ ତହସିଲକୁ ବଦଳି ଆଦେଶ ପ୍ରକାଶ ପାଇଥିଲେ ମଧ୍ୟ ସେ ନିଜ ବଦଳି ସ୍ଥାନରେ ଯାଇ ଯୋଗ ଦେଇ ନଥିଲେ । ଏହାପରେ ସେ ପୂର୍ବତନ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କୁ କୌଣସି ମତେ ପ୍ରଭାବିତ କରି ଗତ ଜୁଲାଇ ୧୯ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଦେଶ ସଂଖ୍ୟା ୧୦୩୧୧ ଅନୁସାରେ ନିଜକୁ ପୁନଶ୍ଚ ସେହି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ପାଇଁ ଏକ ଡେପୁଟେସନ ଆଦେଶ ବାହାର କରି ଏବେ ବି ସେଠାରେ କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ବରୀ ତହସିଲରେ ଦୁଇଟି ଯାକ ଅତିରିକ୍ତ ତହସିଲଦାର ପଦବୀ ଦୀର୍ଘ ଦିନ ଧରି ଖାଲି ରହିଥିବା ଯୋଗୁଁ ଅଞ୍ଚଳବାସୀ ଆବଶ୍ୟକ ସେବା ପାଇବାରେ ଅହେତୁକ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସେଇଭଳି ବରୀ ତହସିଲ ଅଞ୍ଚଳରେ ଇତିମଧ୍ୟରେ ଦୁଇଦୁଇ ଥର ବନ୍ୟା ଆସିଥିଲା ବେଳେ ତହସିଲଦାର ବାରମ୍ବାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରୁଥିବା ସମୟରେ ତହସିଲରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାକୁ ଆଉ କୌଣସି ଅଧିକାରୀ ମିଳୁନାହାଁନ୍ତି । ଫଳରେ ଦୂରଦୁରାନ୍ତରୁ ଲୋକେ କୌଣସି କାମରେ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ତେଣୁ ଶ୍ରୀ ମାରାଣ୍ଡିଙ୍କ ଡେପୁଟେସନ ଆଦେଶକୁ ରଦ୍ଦ କରି ତୁରନ୍ତ ନିଜ ବଦଳି ସ୍ଥାନ ବରୀ ତହସିଲରେ ଅତିରିକ୍ତ ତହସିଲଦାର ଭାବେ ଯୋଗଦେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳଙ୍କ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି ।