ବିଜୁ ଜୟନ୍ତୀରୁ ନୂଆ ମୋଡ଼ ନେବ ବିଜେଡ଼ି
-
ମାମଲତକାରଙ୍କ ଉପରେ ଖପ୍ପା ନବୀନ
-
କାହା ଉପରେ ବିଶ୍ୱାସ ନାହିଁ, ନିଜେ ଧରିଲେ ମଙ୍ଗ
ଭୁବନେଶ୍ୱର : ବିଜେଡ଼ିର ସବୁ ଆଗଚଲା, ମାମଲତକାରଙ୍କ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକ ଖପ୍ପା ହୋଇଯାଇଛନ୍ତି । କାହା ଉପରେ ତାଙ୍କର ଭରସା ନାହିଁ । ସେଥିପାଇଁ ସେ ଏବେ ନିଜେ ହିଁ ମଙ୍ଗ ଧରିଛନ୍ତି । ନା ପ୍ରଣବ ପ୍ରକାଶ ଦାସ ନା ଭିକେ ପାଣ୍ଡିଆନ୍, ନା ପିଏସି ନା ଅନ୍ୟ କାହାର ପରାମର୍ଶ ବି ନବୀନ ନେଉନାହାନ୍ତି । ବିଜେଡ଼ିର ନିର୍ବାଚନୀ ରଣନୀତି ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିଁ ଚାଲିଛି । ନବୀନ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଏବେବି ସେ ଦଳ ଚଳାଇବା ପାଇଁ ସକ୍ଷମ । ଦେହ ଅସୁସ୍ଥ ଥିଲେବି ନବୀନ ପ୍ରତି ଦିନ ତିନି ଚାରି ଘଣ୍ଟା ସମୟ ଦଳୀୟ ସଂଗଠନ ପାଇଁ ଦେଉଛନ୍ତି । ସେଥିପାଇଁ ନିଜର ଏକ ଟିମ୍ ଗଢ଼ିଛନ୍ତି । ପ୍ରଥମ ଦଫାରେ ବିଧାୟକମାନଙ୍କ ସହ ନବୀନ ଆଲୋଚନା କରୁଛନ୍ତି । ଇତିମଧ୍ୟରେ ଦୁଇ ଦଫାରେ ୧୯ ବିଧାୟକଙ୍କ ସହ ସେ ଆଲୋଚନା କରିସାରିଲେଣି । ଆଉ ତିନି ଦଫାରେ ୪୦ ବିଧାୟକଙ୍କ ସହ ଆଲୋଚନା କରିବେ । ସପ୍ତାହକ ଭିତରେ ବିଧାୟକଙ୍କ ସହ ଆଲୋଚନା ସରିଯିବ ବୋଲି ଜାଣିବାକୁ ମିଳିଛି । ବିଧାୟକମାନଙ୍କୁ ସେ ପଞ୍ଚାୟତ ନିର୍ବାଚନ ପାଇଁ ଟାର୍ଗେଟ୍ ଦେଇଥିବାବେଳେ ସବୁଦିନ ଫିଲ୍ଡକୁ ଯାଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାପରେ ଗତ ନିର୍ବାଚନରେ ହାରିଥିବା କିଛି ବଛାବଛା ନେତାଙ୍କୁ ନବୀନ ଡାକିବେ । ନବୀନ କେଉଁ ଆଧାରରେ ବିଧାୟକମାନଙ୍କୁ ଡାକି କଥା ହେଉଛନ୍ତି ତାହା ଖବର ବି କାହା ପାଖରେ ନାହିଁ । ବିଭିନ୍ନ ଜିଲ୍ଲାରୁ ମିକ୍ସଚର କରି ସେ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି । ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କ ସହ ଆଲୋଚନା କରିବା ପରେ ଯୁବ ଓ ଛାତ୍ର ଟିମ୍ ସକ୍ରିୟ ହେବେ । ଯୁବ ଓ ଛାତ୍ର ପକ୍ଷରୁ ରାଜ୍ୟର ଚାରି ପାଞ୍ଚ ସ୍ଥାନରେ ବଡ଼ ସମାବେଶ କରାଯିବ । ପଞ୍ଚାୟତ ନିର୍ବାଚନ ସମୟ ପାଖେଇ ଆସିଲେ ୪୦ରୁ ୫୦ ହଜାର ଲୋକଙ୍କୁ ଗଦେଇ ଦଳ ବିଭିନ୍ନ ଜୋନରେ ଶକ୍ତି ପ୍ରଦର୍ଶନ କରିବ । ମୋହନ ସରକାରଙ୍କୁ ଘେରିବା ପାଇଁ ନବୀନ ରଣନୀତି କରିଛନ୍ତି । ସୋସିଆଲ ମିଡ଼ିଆ ଟିମ୍ରେ ଖୁବଶୀଘ୍ର ଆଉ କିଛି ଲୋକଙ୍କୁ ସାମିଲ୍ କରାଯିବ। ଗୋଟିଏ ଟିମ୍ କେବଳ ଦଳର ଆଭିମୁଖ୍ୟର ପ୍ରଚାର କରିବ । ନବୀନ ବନାମ ମୋହନ ସରକାର ଭିତରେ ତୁଳନା କରି ପୋଷ୍ଟ କରାଯିବ । ଆଉ ଗୋଟିଏ ଟିମ୍ କେବଳ ସରକାରଙ୍କୁ ସମାଲୋଚନା ମୂଳକ ପୋଷ୍ଟର ପ୍ରସାରିତ କରିବ। ପ୍ରତି ବ୍ଳକରେ ଶହେ ଜଣଙ୍କୁ ସୋସିଆଲ ମିଡ଼ିଆ ଟିମ୍ରେ ସାମିଲ୍ କରାଯିବ । ଯୁବ, ଛାତ୍ର, ମହିଳାଙ୍କର ସ୍ୱତନ୍ତ୍ର ସାଇବର ଟିମ୍ ରହିବେ । ଯେଉଁ ନେତାମାନେ ଦଳ ବିରୋଧରେ ବାରବାର କହି କ୍ଷତି ପହଁଚାଉଛନ୍ତି ସେମାନଙ୍କୁ ଆଉ ନବୀନ ନିବାସ ମାଡ଼ିବାର ସୁଯୋଗ ଦିଆଯିବ ନାହିଁ । ଅପ୍ରେଲରୁ ଦଳ ପ୍ରତି ନିର୍ବାଚନମଣ୍ଡଳୀରେ ବିକଳ୍ପ ନେତା ବି ଖୋଜିବା ଆରମ୍ଭ କରିବ । ଜଣେ ନେତାଙ୍କୁ ଦାୟିତ୍ୱ ଦେବାକୁ ଦଳ ଚାହୁଁନାହିଁ । କିଛି ନେତା ବିଜେପି ସହ ଯୋଗସୂତ୍ରରେ ଥିବାରୁ ଦଳ ସେହି ଅନୁଯାୟୀ ରଣନୀତି କରିବାକୁ ଚାହୁଁଛି । ଗାଏମୋଟ୍ କହିଲେ, ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ବିଜେଡ଼ି ରାଜନୀତି ନୂଆ ମୋଡ଼ ନେବ । ଦଳ ଆକ୍ରମଣାତ୍ମକ ଭଙ୍ଗୀରେ ରଣନୀତି କରିବାକୁ ଯାଉଛି । ଯାହାକୁ ନେଇ ବିଜେଡ଼ି ଅଳିନ୍ଦ ବି ସରଗରମ ହୋଇଯାଇଛି । ଯିଏ କାମ କରିବ, ତାକୁ ହିଁ ପଦବୀ ଓ ଟିକେଟ୍ ମିଳିବ । ଦକ୍ଷତା ହିଁ ମାପକାଠି ହେବବୋଲି ନବୀନ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି ।
Samir Kumar Rout