ବିପଦରେ ଓଡ଼ିଶାର ଜୀବନରେଖା

ବିପଦରେ ଓଡ଼ିଶାର ଜୀବନରେଖା
  •  ହୀରାକୁଦ ଡ୍ୟାମ ସୁରକ୍ଷା ନେଇ ଚିନ୍ତା
  •  ୨୭% ଜଳ ଧାରଣା କ୍ଷମତା କମିଛି
  •  ତୁରନ୍ତ ବାଲି ଓ ପଟୁମାଟି କାଢିବାକୁ ଦାବ

ଭୁବନେଶ୍ୱର : ଓଡ଼ିଶାର ଜୀବନରେଖା ହୀରାକୁଦ ଡ୍ୟାମ । ହୀରାକୁଦ ବନ୍ଧ ହେଉଛି ଓଡ଼ିଶାର ସମ୍ବଲପୁର ନିକଟରେ ମହାନଦୀ ଉପରେ ଏକ ବହୁମୁଖୀ ପ୍ରକଳ୍ପ । ଏହା ବିଶ୍ୱର ସବୁଠାରୁ ଦୀର୍ଘ ମାଟି ବନ୍ଧ । ୧୯୫୭ ମସିହାରେ ଜବାହରଲାଲ ନେହେରୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏହା ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ଜଳବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଉଦ୍ଦେଶ୍ୟରେ କାର୍ଯ୍ୟ କରେ । ଏହାର ଜଳଭଣ୍ଡାର ଏସିଆର ସର୍ବବୃହତ କୃତ୍ରିମ ହ୍ରଦ ମଧ୍ୟରୁ ଅନ୍ୟତମ । ଆଜି ଏହା ବିପଦରେ । ଏହାର ସୁରକ୍ଷାକୁ ନେଇ ଆଜି ଗୃହରେ ଚିନ୍ତା ପ୍ରକଟ କରିଛନ୍ତି ଶାସକ ଓ ବିରୋଧୀ ସଦସ୍ୟ । ହୀରାକୁଦ ଡ୍ୟାମକୁ ୧୦୦ ବର୍ଷ ପୂରି ନଥିବା ବେଳେ ଏହାର ଜଳ ଧାରଣ କ୍ଷମତା ହ୍ରାସ ପାଉଛି । ବାଲି ଓ ପଟୁମାଟି ଯୋଗୁଁ ୨୭ ପ୍ରତିଶତ ଜଳ ଧାରଣ କ୍ଷମତା କମିଛି । ସେପଟେ ଛତିଶଗଡ ସରକାର ହୀରାକୁଦ ଡ୍ୟାମକୁ ଷଣ୍ଡୁଆସୀ ଆକ୍ରମଣ  କରୁଛି । ରାଜ୍ୟ ସରକାର ଆପୋସ ଆଲୋଚନା କରି ସାମାଧାନ କରିବା ପାଇଁ କହୁଛନ୍ତି, ହେଲେ ସମାଧାନ ହୋଇପାରୁନାହିଁ । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଜେଡି ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ବିରୋଧୀଙ୍କ ସହିତ ସ୍ୱର ମିଳାଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।


    ଶୂନ୍ୟ କାଳରେ ହୀରାକୁଦ ଡ୍ୟାମର ସୁରକ୍ଷା ପ୍ରସଙ୍ଗ ଉଠାଇ ଶ୍ରୀ ଆଚାର୍ଯ୍ୟ କହିଥିଲେ,  ହୀରାକୁଦ ଡ୍ୟାମ୍‌ ୧୯୫୭ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହାର ଜୀବନକାଳ ଶହେ ବର୍ଷ ରହିଥିବା ବେଳେ ଏବେ ଡ୍ୟାମର ଜଳ ଗ୍ରହଣ କ୍ଷମତା ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ୨୭ ପ୍ରତିଶତ ଜଳ ଧାରଣ କ୍ଷମତା କମିଛି । ବର୍ଷ ବର୍ଷ ଧରି ଡ୍ୟାମରେ ବାଲି ଓ ପଟୁମାଟି ଜମି ରହୁଛି, ସେଗୁଡିକୁ ସଫା କରାଯାଉ । ଯଦି ଏଭଳି ସମସ୍ୟା ଲାଗି ରହେ ତେବେ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା କମିଯିବ । ସରକାର ହୀରାକୁଦ ଡ୍ୟାମରୁ ପଟୁମାଟି ଓ ବାଲି ସଫା କରିବା ପାଇଁ ବ୍ୟବସ୍ଥା କରନ୍ତୁ । ହୀରାକୁଦ ଡ୍ୟାମ ପରିଚାଳନା ଲାଗି ଟେକ୍ନିକାଲ ଓ ନନ୍‌ ଟେକ୍ନିକାଲ କର୍ମଚାରୀ ନାହାଁନ୍ତି ।

    ବିଶେଷଜ୍ଞମାନେ କହୁଛନ୍ତି, ଏଭଳି ସମସ୍ୟା ଲାଗି ରହିଲେ ଦିନେ ହୀରାକୁଦ ଡ୍ୟାମ ପ୍ରତି ବିପଦ ଆସିବ । ବିଗତ ଦିନରେ ଚୀନରେ ବଡ ଡ୍ୟାମ ଭାଙ୍ଗିଛି । ଡ୍ୟାମ ଭାଙ୍ଗିବା ଯୋଗୁଁ ହଜାର ହଜାର ଲୋକ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଏଭଳି ବିପଦ ଯେମିତି ନଆସୁ ସରକାର ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ହୀରାକୁଦ ଡ୍ୟାମ କୂଳରେ ଆଦାନୀ ସହ ଅନେକ ସଂସ୍ଥାକୁ ହୋଟେଲ ନିର୍ମାଣ ପାଇଁ ସରକାର ଜାଗା ଦେଇଛନ୍ତି । ତେବେ ହୀରାକୁଦ ଡ୍ୟାମ ସୁରକ୍ଷାକୁ ସରକାର ପ୍ରାଥମିକତା ଦିଅନ୍ତୁ । ପର୍ଯ୍ୟଟନ କ୍ଷେତ୍ରରେ ସରକାର ଅର୍ଥନୈତିକ ସ୍ୱଚ୍ଛଳ ଲାଗି ପ୍ରୋତ୍ସାହନ ଦିଅନ୍ତୁ, କିନ୍ତୁ ଡ୍ୟାମ ସୁରକ୍ଷ ଲାଗି ପୁନର୍ବାର ସରକାର ଚିନ୍ତା କରନ୍ତୁ ବୋଲି ସେ କହିଥିଲେ । ଶ୍ରୀ ଆଚାର୍ଯ୍ୟଙ୍କ ସହିତ ସ୍ୱର ମିଳାଇଥିଲେ ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।  ଶ୍ରୀ ପୂଜାରୀ କହିଥିଲେ, ଏହା ଗୁରୁତ୍ୱପୂର୍ଣ୍ଣ ଓ ସ୍ପର୍ଶକତାର ବିଷୟ । ଯେତେବେଳେ ହୀରାକୁଦ ଡ୍ୟାମ ନିର୍ମାଣ ହେଲା ଏକାସଙ୍ଗେ ୧ ଲକ୍ଷ ଲୋକ ବିସ୍ତାପିତ ହୋଇଥିଲେ । ପୂର୍ବରୁ ଡ୍ୟାମ ପାଇଁ ଯେତେ ବଜେଟ୍‌ ହେଉଥିଲା, ବନ୍ୟା ଆସିଲେ ସେ ଅର୍ଥ ଖର୍ଚ୍ଚ ହେଇଯାଉଥିଲା । କେନ୍ଦ୍ର ସରକାର ଡ୍ୟାମ ସୁରକ୍ଷା ଆଇନ୍‌ ପ୍ରଣୟନ କରିଛନ୍ତି । ଡ୍ୟାମରେ ବାଲି ଓ ପଟୁମାଟି ଜମା ରହୁଛି । ତାକୁ କାଢିବା ପାଇଁ ଏକ କମ୍ପାନୀକୁ ଟେଣ୍ଡର ଦିଆଯାଇଥିଲା । ତେବେ ଏହା ଅଧା ପନ୍ତରିଆ ସଫା ହୋଇଥିଲା । ବାଲି  ଓ ପଟୁମାଟି ସଫା ହେଲେ ଜଳ କ୍ଷମତା ବଢିବ । ହୀରାକୁଦ ଡ୍ୟାମକୁ ସଫା କରିବା ପାଇଁ ସରକାର ପଦକ୍ଷେପ ନେବେ ବୋଲି ସେ କହିଥିଲେ ।