ବିପର୍ଯ୍ୟସ୍ତ ମାନପୁର ୱାନ-ୱେ ଓଭରବ୍ରିଜ : ଅର୍ଥାଭାବରୁ ଅଧା ହୋଇପଡିଛି ଦ୍ୱିତୀୟ ସେତୁ

ଦାନଗଦୀ:  ସଡ଼କପଥର ବିକାଶକୁ ଆମ ସରକାର ଗୁରୁତ୍ୱ ଦେଉଛନ୍ତି । ଏକଥା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବାରମ୍ବାର କହୁଛନ୍ତି । କିନ୍ତୁ ରାଜ୍ୟ ଏବଂ କେନ୍ଦ୍ର ରାଜକୋଷକୁ ସମୃଦ୍ଧ କରୁଥିବା ଶିଳ୍ପହବ କଳିଙ୍ଗନଗର ଶିଳ୍ପାଞ୍ଚଳର ସଡ଼କ ପଥ ବିପର୍ଯ୍ୟସ୍ତ ହୋଇପଡ଼ିଛି । ମାଳମାଳ ଶିଳ୍ପର ସବୁ ଦହଗଞ୍ଜକୁ ସହୁଥିବା କଳିଙ୍ଗନଗରବାସୀ ବିପର୍ଯ୍ୟସ୍ତ ସଡ଼କ ପଥ ପାଇଁ ବିପଦ ସଂକୁଳ ଯାତ୍ରା କରୁଛନ୍ତି । କେବଳ ଶିଳ୍ପାଞ୍ଚଳ ଅଧିବାସୀ ନୁହଁନ୍ତି ଶିଳ୍ପରେ କାର୍ଯ୍ୟରତ ଶ୍ରମିକ/କର୍ମଚାରୀ ମଧ୍ୟ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି । ବ୍ୟାସନଗର ପୈାରାଞ୍ଚଳରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପଡିଥିବା ରାସ୍ତା ହେଉଛି ତାହାର ବଡ଼ ପ୍ରମାଣ । ସଂପୃକ୍ତ ରାସ୍ତାଟି ସବୁଠାରୁ ବ୍ୟସ୍ତ ବହୁଳ ହୋଇଥିଲେ ବି ପୂର୍ତ ବିଭାଗର ଖାମଖିଆଲ ମନୋଭାବ ଏବଂ ସରକାରଙ୍କ ବେଫିକରତାରୁ ଏହି ରାସ୍ତାର ମାନପୁର ଠାରେ ପଡ଼ୁଥିବା ଓଭରବ୍ରିଜଟି ବିପର୍ଯ୍ୟସ୍ତ ହୋଇପଡ଼ିିଛି । ଦୈନିକ ହଜାର ହଜାର ଲୋକ ଓ ଗାଡି ମଟର ଏହି ସେତୁରେ ଯିବା ଆସିବା କରିଥାଏ । ଏକ ପାଖିଆ ଏହି ସେତୁଟିରେ ବଡ଼ବଡ଼ ଗାଡ଼ ସୃଷ୍ଟି ହୋଇଛି । ଯାହା ବର୍ଷା କାରଣରୁ ଆକାର ବଡ଼ ହେବାରେ ଲାଗିଛି । ବର୍ଷା ସମୟରେ ତରବରିଆ ଭାବେ ଯାତାୟାତ କରୁଥିବା ହଜାର ହଜାର ବାଇକ ଓ ଗାଡି ଗୁଡିକ ପ୍ରତି ମୁହୂର୍ତରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବର୍ଷ ତମାମ ସେତୁର ଅବସ୍ଥା ସାଂଘାତକ ରହୁଥିଲେ ବି ପୂିର୍ତ ବିଭାଗର କିନ୍ତୁ ଶୁଭ ଦୃଷ୍ଟି ପଡୁନି । ସଂପୃକ୍ତ ରାସ୍ତାଟି କଳିଙ୍ଗନଗର ଶିଳ୍ପାଞ୍ଚଳର ଜୀବନ ରେଖା ବୋଲି କୁହାଯାଉଥିଲେ ହେଁ ତାହା ଏବେ ଜୀବନ ନେବା ରାସ୍ତାପାଲଟି ଯାଇଛି । ମାନପୁର ଓଭର ବ୍ରିଜଟି ୱାନ-ୱେ ହୋଇଥିବାରୁ ଉଭୟ ପାଶ୍ୱର୍ରୁ ଗାଡ଼ି ମଟର ଯିବା ଆସିବା ବେଳେ ଟ୍ରାଫିକ ସମସ୍ୟା ଉପୁଜିଥାଏ ।
ଓଭରବ୍ରିଜ ଦେଇ କଳିଙ୍ଗନଗର ଶିଳ୍ପଞ୍ଚଳର ୧୪ଟିରୁ ଉର୍ଦ୍ଧ କାରଖାନାକୁ ଦୈନିକ ହଜାର ହଜାର ଗାଡି ମଟର ଯାତାୟାତ କରେ । ରାସ୍ତା ମଝିରେ ଗୋଟେ ଭାରୀ ଯାନ ପଶି ଗଲେ କଥା ସରିଲା । ଯେଉଁ କାରଣରୁ ବିଭିନ୍ନ ସମୟରେ ଜରୁରୀ କାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ ଓ ଦମକଳ ଗାଡି ଫସି ରହେ । ହେଲେ ଦୁର୍ଭାଗ୍ୟ ଉକ୍ତ ଓଭରବ୍ରିଜ୍କୁ ଲାଗି ୮୫୦ମିଟର ଲମ୍ବର ଦ୍ୱିତୀୟ ଓଭର ବ୍ରିଜର କାମ ୫ ବର୍ଷ ହେଲା ଆରମ୍ଭ ହୋଇଥିଲେ ବି ଶେଷ ହୋଇପାରୁନି । ସଂପୃକ୍ତ ଦ୍ୱିତୀୟ ବି୍ରଜପାଇଁ ଡ଼ିଏମଏଫ ପାଣ୍ଠିରୁ ବିଜେଡ଼ି ସରକାର ସମୟରେ ଅନୁଦାନ ମଞ୍ଜୁର କରାଯାଇଥିଲା । ହେଲେ ସରକାର ବଦଳିବା ପରେ ଡ଼ିଏମଏଫ ଅନୁଦାନକୁ ପ୍ରତ୍ୟାହାର କରି ନିଆଗଲା । ଯାହାଫଳରେ ବି୍ରଜ କାର୍ଯ୍ୟକଚ୍ଛପ ଗତିରେ ଚାଲିଛି । ବ୍ରିଜ ନିର୍ମାଣ ହେବା ନେଇ ସନେ୍ଦହ ଉଜିଛି । ଯାହା ଫଳରେ ମାନପୁରର ୱାନ-ୱେ ବି୍ରିଜ୍ ହଜାର ହଜାର ଗାଡ଼ି ମଟରର ଚାପ ସହୁଛି । ବ୍ୟାପକ ମାତ୍ରାରେ ଭାରୀଯାନ ଚଳାଚଳ ବି୍ରଜକୁ ଦୁର୍ବଳ କରୁଥିଲେ ବି ପୂର୍ତ୍ତ ବିଭାଗର କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାଭଙ୍ଗ ହେଉନି । ଭାର ସମ୍ଭାଳୁଥିବା ବ୍ରିଜଟି ଅନେକ ସ୍ଥାନରେ ଭାଙ୍ଗି ମଝିରେ ମଝିରେ ଗାଡ ହୋଇଗଲାଣି । ସନ୍ଧ୍ୟାରେ ଆଲୋକର ବ୍ୟବସ୍ଥା ନାହିଁ । ବ୍ୟସ୍ତ ବହୁଳ ଓଭର ବ୍ରିଜ ଉପରେ ହୋଇଥିବା ଗାଡ଼ ଗୁଡିକୁ ମରାମତି କରାଯାଉନାହିଁ । ପୁରୁଣା ଓଭର ବ୍ରିଜଟି ନିମ୍ନ ମାନର ହୋଇଥିବାରୁ ସ୍ପାନ ମଝିରେ ମଝିରେ ଭାଙ୍ଗି ରୁଜି ଗାଡ଼ ହୋଇ ରଡ଼ ଓ ଏଙ୍ଗେଲ ଦେଖାଗଲାଣି । ବ୍ରିଜର ଦୁଇ ସାଇଡରେ ଥିବା ବ୍ୟାରିକେଡ଼ ଭାଙ୍ଗିରୁଜି ଗଲାଣି । ଭାରୀଯାନ ଗୁଡିକ ଏହି ସେତୁ ଉପରେ ଯିବା ସମୟରେ ସେତୁଟି ଦୋହଲି ଯାଉଛି । ଯାତ୍ରୀ ମାନେ ଭୟ ଆଶଙ୍କାରେ ବିପଦପୁର୍ଣ ରାସ୍ତାରେ ଅସୁରକ୍ଷିତ ଭାବେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତ । ଦେଖିବାର ଅଛି କେବେ ପୂର୍ତ୍ତ ବିଭାଗର ନିଦଭାଙ୍ଗୁଛି ଆଉ ରାଜ୍ୟ ସରକାର ଦ୍ୱିତୀୟ ବ୍ରିଜ ନିର୍ମାଣ ପାଇଁ ଅର୍ଥ ବରାଦ କରୁଛନ୍ତି ।