ପୁଲିସ ବିରୁଦ୍ଧରେ ଦୁବର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା ପ୍ରତିନିଧି

 କାଳିଆପାଣି:  କାଳିଆପାଣି ପୁଲିସ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆସିଛି । ବିଜେଡି ଦଳର ସୋସିଆଲ ମିଡିଆରେ ଲେଖୁଥିବା ସିଦ୍ଧାନ୍ତ କୁମାର ବେହେରାଙ୍କୁ  ପୁଲିସ ରାଁସୋଳ ପଞ୍ଚାୟତ କଲରଙ୍ଗିସ୍ଥିତ ତାଙ୍କ ଘରୁ ଉଠାଇ ଆଣିବାର କାରଣ ଜାଣିବା ପାଇଁ ସ୍ଥାନୀୟ ୩୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି ଓ ସରପଞ୍ଚ କନକଲତା ସର୍ଦ୍ଦାର ଓ ସିଦ୍ଧାନ୍ତଙ୍କ ବିଧବା ମାଆ ଥାନାରେ ପହଞ୍ଚିଥିଲେ । ସୁକିନ୍ଦା ଅଞ୍ଚଳର ଚିରଞ୍ଜୀବି ବେହୁରାଙ୍କ ଲିଖିତ ଅଭିଯୋଗ ଆଧାରରେ କାଳିଆପାଣି ପୁଲିସ ସିଦ୍ଧାନ୍ତଙ୍କୁ ଥାନାକୁ ଆଣି ପଚାରା ଉଚୁରା କରିଥିଲେ । ହେଲେ ସେମାନଙ୍କୁ ଦେଖି ପୁଲିସ ଥାନା ଫାଟକରେ ତାଲା ଦେଇଥିବାର ଅଭିଯୋଗ କରିଛନ୍ତି । ବାରମ୍ବାର ଡାକିବା ସତ୍ତ୍ୱେ ପୁଲିସ ଫାଟକ ଖୋଲିନଥିଲା ବୋଲି ସଂପୃକ୍ତ ୨ ଆଦିବାସୀ ବର୍ଗର ମହିଳା ଜନ ପ୍ରତିନିଧି ଅଭିଯୋଗ କରିଥିଲେ । ଏହାକୁ ନେଇ ଶ୍ରୀମତୀ ଚାଖି କଳିଙ୍ଗନଗର ଏଏସ୍ପି ସୁପ୍ରସନ୍ନ ମଲ୍ଲିକ ଓ ଏସ୍ପି ଯଶପ୍ରତାପ ଶ୍ରୀମଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଘଣ୍ଟାଏ ୧୦ ମିନିଟ୍ ପରେ ଅପରାହ୍ଣ ୩ଟା ୧୦ରେ ଥାନା ଫାଟକ ଖୋଲା ଯାଇଥିଲା ବୋଲି ଶ୍ରୀମତୀ ଚାଖି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ଦଳିତ ବର୍ଗର ଜଣେ ଯୁବକଙ୍କୁ ବିନା ସୂଚନାରେ ଉଠାଇ ଆଣିବା ଓ ବିନା ସୂଚନାରେ ଥାନାରେ ପୁଲିସ ପ୍ରବେଶକୁ ବାରଣ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସରପଞ୍ଚ ଓଲଟା ପ୍ରଶ୍ନ କରିଥିଲେ । ତେବେ ଏହାପରେ ସିଦ୍ଧାନ୍ତ ବେହେରାଙ୍କୁ ଗତକାଲି ରାତିରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ମଇନା ପାଇଁ ନେଇଥିବା ବେଳେ ସେଠାରେ ବିଜେଡି ଦଳର କର୍ମୀ ହାଲ୍ଲା ଗୋଲ୍ଲା କରିଥିବାର ଦେଖିବାକୁ ମିଳିଥିଲା । ପରେ ସୁକିନ୍ଦା ହସ୍ପିଟାଲରେ ତାଙ୍କୁ ଡାକ୍ତର ମଇନା କରି କଟକ ମେଡିକାଲକୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଇଥିଲେ । ହେଲେ ଆଜି କାଳିଆପାଣି ପୁଲିସ ଗଣମାଧ୍ୟମକୁ ଦଇଥିବା ସୂଚନା ମତେ କଟକରେ ସିଦ୍ଧାନ୍ତଙ୍କ ସିଟିସ୍କାନ ଏବଂ ଅଲବଡ଼ି ସ୍କାନିଙ୍ଗ କରାଇଥିଲେ । ଯେଉଁଥିରେ କିଛି ବାହାରିନଥିଲା । ଏବେ ସେ ସମ୍ପୂର୍ଣ ସୁସ୍ଥ ବୋଲି ପୁଲିିସ କହିଛି । ପୁଲିସ ପକ୍ଷରୁ ସଫେଇ ଦିଆଯାଇ କୁହାଯାଇଛି କୌଣସି ବେନିୟମ କାର୍ଯ୍ୟ କରାଯାଇନି । ସିଦ୍ଧାନ୍ତଙ୍କ ବିରୁଦ୍ଧରେ ଏତଲା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।