ଧର୍ମଶାଳା ମହୋତ୍ସବ ପ୍ରସ୍ତୁତି ବୈଠକ
ଧର୍ମଶାଳା: ଚଳିତମାସ ୧୬ ତାରିଖରେ ହେବାକୁଥିବା ଗଜଲକ୍ଷ୍ମୀ ପୂଜା ଓ ଧର୍ମଶାଳା ମହୋତ୍ସବ ପ୍ରସ୍ତୁତି ବୈଠକ ସଭାପତି ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖହର ସାହୁ ଯୋଗଦେଇ ଚଳିତ ଥର ପୂଜା ଓ ମହୋତ୍ସବ କିଭଳି ଜାକଜମକରେ ଅନୁଷ୍ଠିତ ହେବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଆସନ୍ତା ୧୬ତାରିଖରୁ ଗଜ ଲକ୍ଷ୍ମୀ ପୂଜା ଆରମ୍ଭ ହେବାକୁଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମାରେ ମାଟି ଉଠାଣ ଉପରେ ଆଲୋଚନା କରାଯାଇଥିଲା । ଗଜଲକ୍ଷ୍ମୀ ପୂଜା ଅବସରରେ ଆସନ୍ତା ୨୫ତାରିଖରେ ଧର୍ମଶାଳା ମହୋତ୍ସବ ଉଦଘାଟନ ହେବ ଏବଂ ୫ ତାରିଖରେ ଉଦଯାପିତ ହୋଇ ୬ତାରିଖରେ ଭଷାଣ ଉତ୍ସବ ଅନୁଷ୍ଠିତ ହେବ । ଚଳିତ ଥର ମହୋତ୍ସବରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହିତ ମହୋତ୍ସବ ପଡିଆର ସଂପ୍ରସାରଣ ଉପରେ ଧ୍ୟାନ ଦେବାକୁ ବିଧାୟକ ଶ୍ରୀସାହୁ ପରାମର୍ଶ ଦେଇଥିଲେ । ବୈଠକରେ କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ଦାଶ, ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ସାହୁ, ସହ ସମ୍ପାଦକ ଜିତେନ୍ଦ୍ର ରାଉତ, କୋଷାଧ୍ୟକ୍ଷ ଶରତ କୁମାର ଓଝା, ସଂଯୋଜକ ଦେବରାଜ ମିଶ୍ର, ସବ୍ୟସାଚୀ ସୁନ୍ଦରରାୟ, ବିଚିତ୍ର ସ୍ୱାଇଁ ରାଜେଶ ପାଳ, ଲୋକନାଥ ମହାନ୍ତିଙ୍କ ସମେତ ରାଜକୁମାର ଶତପଥୀ, ଅଜୟ ମହାପାତ୍ର, ରାମଚନ୍ଦ୍ର ମଲିକ, କିଶୋର ନାୟକ ପ୍ରମୁଖ ବରିଷ୍ଠ ସଭ୍ୟ ଉପସ୍ଥିତ ରହି ମତ ରଖିଥିଲେ ।