ଖୋଲୁନି ଉପାନ୍ତ ଅଞ୍ଚଳ ସ୍କୁଲ ଆସିଲେନି ଶିକ୍ଷକ, ଫେରିଗଲେ ବିଦ୍ୟାର୍ଥୀ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଆମପାଣି କ୍ଲଷ୍ଟର ଟିର୍ଲିଆମ ପ୍ରାଥମିକ ସ୍କୁଲ ସୋମବାର ବନ୍ଦ ଥିବା ନେଇ ଛାତ୍ରଛାତ୍ରୀ ସ୍କୁଲ ଆସି ଦିନ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ହେଁ କୌଣସି ଶିକ୍ଷକ ଆସି ନ ଥିବାରୁ ଘରକୁ ଫେରି ଯାଇଥିବା ଅଭିଯୋଗ ହୋଇଛି ।
ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ବ୍ୟକ୍ତ କରି ଏଭଳି ଦାୟିତ୍ୱହୀନ ଶିକ୍ଷକଙ୍କ ପ୍ରତି ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ଏପଟେ କୋକସରା ବ୍ଲକରେ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ଥିଲେ ମଧ୍ୟ ଏଭଳି ଶିକ୍ଷକମାନେ ପ୍ରଶାସନକୁ ଖାତିର କରୁ ନ ଥିବା ଭଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ଘଟଣା ନୂଆ ନୁହେଁ ଏଭଳି ଘଟଣା ଅନେକଥର ଏହି ବିଦ୍ୟାଳୟରେ ଘଟିଥିବା ଅଭିଯୋଗ ହେଲେ ମଧ୍ୟ ବିଭାଗ କୌଣସି ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନନେବା ସାଧାରଣରେ ସନେ୍ଦହ ଜାତ ହେଉଛି । କେବଳ ଯେ ଟିର୍ଲିଆମ ନୁହଁ କୋକସରା ବ୍ଲକ୍ର ପ୍ରାୟ ଉପାନ୍ତ ଅଞ୍ଚଳରେ ସପ୍ତାହରେ ଦିନେ ଅଧେ ବିଦ୍ୟାଳୟ ବନ୍ଦ ରହିବା ଭଲି ଅଭିଯୋଗ ଅନେକ ଥର ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅଭିଭାବକ କ୍ଷୋଭ ପ୍ରକାଶ କରୁଥିବା ନଜିର ରହିଛି । ଏପଟେ ଟିର୍ଲିଆମ ବିଦ୍ୟାଳୟ ବନ୍ଦ ରହିବା ଖବର ଦିନ ୧୨ ପର୍ଯ୍ୟନ୍ତ ସିଆରସିସି କେଦାର ନାଏକଙ୍କ ପାଖରେ ମଧ୍ୟ ଖବର ନ ଥିବା ଆହୁରି ଆଶ୍ଚର୍ଯ୍ୟ ମନେ ହେଉଛି । ତେବେ ବିଦ୍ୟାଳୟରେ ନିୟୋଜିତ ଦୁଇ ଶିକ୍ଷକ ଅନୁପସ୍ଥିତ ରହି ଶିକ୍ଷା ବିଭାଗକୁ ବେଖାତିର କରୁଥିବା ଦାୟିତ୍ୱହୀନ ଶିକ୍ଷକଙ୍କ ପ୍ରତି ଶିକ୍ଷାବିଭାଗ ଓ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା । ଏନେଇ ବ୍ଲକ ଶିକ୍ଷାଧିକାରୀ ମହେଶ ଭାଟିଙ୍କୁ ପଚାରିବାରୁ ସିଆରସିସିଙ୍କୁ ତଦନ୍ତ ପାଇଁ ପଠେଇଛୁ ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଙ୍କୁ ଏ ବିଷୟରେ ଅବଗତ କରିବାରୁ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।