ବିପୁଳ ପରିମାଣର ବେଆଇନ କଫ ସିରପ୍‌ ଜବତ

ବିପୁଳ ପରିମାଣର ବେଆଇନ କଫ ସିରପ୍‌ ଜବତ

୭୩ ହଜାର ବୋତଲ ଜବତ, ୧୮୧ ଜଣ ଗିରଫ

କଟକ : ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୁଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି । ବିଗତ କିଛି ଦିନ ମଧ୍ୟରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍‌ ସିରପ ଜବତ  ସହିତ ଚୋରା ଚାଲାଣରେ ସମ୍ପୃକ୍ତ  ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମୋଟ ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୧୮୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏସଟିଏଫ ଭୁବନେଶ୍ୱରରେ  ସର୍ବାଧିକ ୨୬,୬୫୮ ବୋତଲ କଫ ସିରପ୍‌ ଜବତ କରି ଏହି ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସେହିପରି ସମ୍ବଲପୁର ଜିଲ୍ଲା ପୁଲିସ ୧୩ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୯,୯୦୮ ବୋତଲ କଫ ସିରପ ଜବତ କରାଯାଇଛି । ବରଗଡ଼ ଜିଲ୍ଲା ପୁଲିସ ୧୭ଟି ମାମଲା ଓ ୧୨,୮୫୬ ବୋତଲ, ବଲାଙ୍ଗୀର ୧୨ଟି ମାମଲା ଓ ୫,୪୬୮ ବୋତଲ, ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ମାମଲା ଓ ୪୫୧ ବୋତଲ, ବୌଦ୍ଧ ଜିଲ୍ଲାରେ ୪ ଟି ମାମଲା ସହିତ ୧୮୮୬ ବୋତଲ  ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ମାମଲା ସହିତ ୫୯୫ ବୋତଲ କଫ ସିରପ ଜବତ କରାଯାଇଛି । ସମ୍ବଲପୁର ଜିଲ୍ଲା ପୁଲିସ ୬୬ ଜଣଙ୍କୁ ଗିରଫ କରିଥିବା ବେଳେ,ବରଗଡ଼ ପୋଲିସ ୬୪, ବଲାଙ୍ଗୀର ପୁଲିସ ୨୩ , ସୁବର୍ଣ୍ଣପୁର ପୁଲିସ  ୭ ଜଣ, ସୁନ୍ଦରଗଡ  ୬ ଜଣ ଏବଂ କେଉଁଝର ଜିଲ୍ଲାରେ ୬ ଜଣଙ୍କୁ ଗିରଫ କରାଯାଇଛି, ଯାହା ନିଶା କାରବାର ନେଟୱର୍କକୁ ଭାଙ୍ଗିବାରେ ପୁଲିସର  ତତ୍ପରତାକୁ ଦର୍ଶାଉଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏବଂ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଏହି ସଫଳତାକୁ ପ୍ରଶଂସା କରିଛନ୍ତି ।  ଆଗାମୀ ଦିନରେ  ଏହିପରି ଅଭିଯାନ ଜାରି ରହିବା ସହ ନିଶା ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।