୨୪ ଭିନ୍ନକ୍ଷମଙ୍କ ସହ କୁକର୍ମ

୨୪ ଭିନ୍ନକ୍ଷମଙ୍କ ସହ କୁକର୍ମ
  • ୧୬ ବର୍ଷ ପରେ ଖୋଲିଲା ଗୁମର
  • କୁକର୍ମକାରୀ ଗିରଫ

ମୁମ୍ବାଇ : ମୁମ୍ବାଇରେ ଏକ ୧୬ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ ହୋଇଛି । ଜଣେ ବଧିର ଓ ମୂକ ଯୁବତୀଙ୍କୁ କୁକର୍ମ ମାମଲାରେ ଅଭିଯୁକ୍ତ ମହେଶ ପାୱାରକୁ ଗିରଫ କରାଯାଇଛି । ସବୁଠୁ ଚକିତ କରିବା ଭଳି ଘଟରା ହେଉଛି, ଉକ୍ତ ଅଭିଯୁକ୍ତ ଏମିତି ଭାବେ ୨୪ ଭିନ୍ନକ୍ଷମଙ୍କୁ କୁକର୍ମ କରିଛି । ପୁଲିସର ସୂଚନା ଅନୁଯାୟୀ,  ୨୦୦୯ରେ ଘଟଣାଟି ଘଟିଥିଲା । ସେତେବେଳେ ପୀଡିତା ନାବାଳିକା ଥିଲେ । ସେ ବର୍ତ୍ତମାନ ବିବାହିତ ଏବଂ ମୁମ୍ବାଇରେ ରୁହନ୍ତି । ତଦନ୍ତ ସମୟରେ ଜଣାପଡିଥିଲାଯେ, ତାଙ୍କ ବ୍ୟତୀତ ଅନେକ ନାବାଳିକା ଅଭିଯୁକ୍ତର ନିର୍ଯାତନାର ଶିକାର ହୋଇଥିଲେ । ଅଭିଯୁକ୍ତ ଜଣେ ସିରିଏଲ ରେପିଷ୍ଟ । ତାର ଟାର୍ଗେଟରେ ବଧିର ଏବଂ ମୂକ ନାବାଳିକା ଥିଲେ ।


   ପୋଲିସ ଅନୁଯାୟୀ, ପ୍ରାରମ୍ଭିକ ତଦନ୍ତରେ ୭ ଜଣ ମହିଳାଙ୍କ ଶୋଷଣର ପ୍ରମାଣ ମିଳିଛି । କିନ୍ତୁ ପୀଡିତାଙ୍କ ସଂଖ୍ୟା ୨୪ରୁ ଅଧିକ ହୋଇପାରେ । ଅଭିଯୁକ୍ତ ମହିଳାଙ୍କ ନଗ୍ନ ଭିଡିଓ କଲ୍‌ କରିବାକୁ ବାଧ୍ୟ କରିବା ସହ ବ୍ଲାକମେଲ୍‌ କରୁଥିଲା । ନିକଟରେ ପୀଡିତାଙ୍କ ଜଣେ ମୂକ ଏବଂ ବଧିର ବନ୍ଧୁ ଅଭିଯୁକ୍ତ ପାୱାର ଦ୍ୱାରା ହଇରାଣ ହେବା ପରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ପାୱାର ତାଙ୍କୁ ଦୀର୍ଘ ସମୟ ଧରି କୁକର୍ମ କରିଆସୁଥିଲା । ପୀଡ଼ିତା ମାନସିକସ୍ତରରେ ଭାଙ୍ଗିପଡ଼ିବା ପରେ, ଶେଷରେ ସମସ୍ତଙ୍କୁ ଜଣାଇବାକୁ ସ୍ଥିର କରିଥିଲେ ।


   ପୋଲିସର ସୂଚନା ଅନୁଯାୟୀ, ସେ ଏକ ହ୍ୱାଟସଆପ୍‌ ଗ୍ରୁପରେ ତାଙ୍କ ବନ୍ଧୁ ଏବଂ ସହକର୍ମୀଙ୍କୁ ଭିଡିଓ କଲ କରିଥିଲେ । ଭିଡିଓ କଲ୍‌ ସମୟରେ ସେ ସାଙ୍କେତିକ ଭାଷା ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ବୁଝାଇଥିଲେ ଯେ, ସେ ଗତ ୧୬ ବର୍ଷ ଧରି ମାନସିକ ଆଘାତ ସହିତ ବଞ୍ଚୁଛନ୍ତି । ତଦନ୍ତରୁ ଜଣାପଡିଛିଯେ, ଅଭିଯୁକ୍ତ ଶୁଣି ପାରୁନଥିବା ଅନେକ ମହିଳାଙ୍କୁ ନିଶା ଔଷଧ ଦେଇ କୁକର୍ମ କରିଥିଲା । ଅଭିଯୁକ୍ତ ସେମାନଙ୍କ ଭିଡିଓ ଦେଖାଇ ବ୍ଳାକମେଲିଂ କରିବା ସହ ଟଙ୍କା, ସୁନା ଏବଂ ମୋବାଇଲ୍‌ ଫୋନ୍‌ ନେଉଥିଲା । ସେ ସେମାନଙ୍କୁ ନଗ୍ନ ଭିଡିଓ କଲ୍‌ କରିବାକୁ ବାଧ୍ୟ କରୁଥିଲା ଏବଂ ବ୍ଲାକମେଲ୍‌ କରିବା ପାଇଁ ସେଗୁଡ଼ିକୁ ନିଜ ଫୋନରେ ରଖୁଥିଲା । ପୀଡିତା ଏନେଇ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଘଟଣା ବିଷୟରେ ଜଣାଇଥିଲେ । ଏହାପରେ ସେ ଥାନେ ବଧିର ସଂଘର ସଭାପତି ବୈଭବ ଘୈସିସ୍‌, ସାଙ୍କେତିକ ଭାଷା ଅନୁବାଦକ ମଧୁ କେନି ଏବଂ ଅନ୍ୟାନ୍ୟ ସାମାଜିକ କର୍ମୀଙ୍କ ସହିତ ପୋଲିସରେ ଅଭିଯୋଗ କରିଥିଲେ । ଏବେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପୋଲିସ ମାମଲାରେ ଅଧିକ ତଦନ୍ତ କରୁଛି । ଗତ ୧୩ରେ ପୁଲିସ୍‌ ଗିରଫ କରିଥିବାବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛି ।