ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରିକା ; ' ରାତିରେ ପିଚୁ କାମ, ସକାଳୁ ରାସ୍ତା ଫାଟି ଆଁ '

ପୂର୍ବ ସରକାରଙ୍କ ସମୟରେ ମହାକାଳପଡା ବତୀଘର, ଖରିନାସୀ, ରାମନଗର ଅଞ୍ଚଳରେ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ-ଜମ୍ବୁ କେନାଲ ରାସ୍ତାର ଦକ୍ଷିଣ ପାର୍ଶ୍ୱ ରାସ୍ତାକୁ ପ୍ରଶସ୍ତିକରଣ କାର୍ଯା ଆରମ୍ଭ ହୋଇ ଅଦ୍ୟାବଧି କାର୍ଯ୍ୟ ଚାଲୁଅଛି । କିନ୍ତୁ ବିଡମ୍ବନାର ବିଷୟ କାର୍ଯ୍ୟ ଚାଲୁ ରହିଥିବା ବେଳେ, ନିମ୍ନମାନର କାର୍ଯ୍ୟ ପାଇଁ ମହାକାଳପଡା ପଞ୍ଚାୟତ ଗୌଡବାଡପୁର ଛକ ଠାରୁ ବାଲଣା ଛକର ମଧ୍ୟ ସ୍ଥଳର ରାସ୍ତାରେ ପିଚୁ ଫାଟି ଆଁ କଲାଣି । ନିମ୍ନମାନର କାର୍ଯ୍ୟ ପାଇଁ ରାସ୍ତା ଫାଟି ଆଁ କରିଥିବା ସ୍ଥାନରେ ଠିକା ସଂସ୍ଥା ପକ୍ଷରୁ ପିଚୁର ଲେପ ମରା ଯାଇଥିବାର ଅଭିଯୋଗ ହେଉଛି । ଏ ବିଷୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଜାଣିବା ପାଇଁ ସୂଚନା ମାଗିଲେ ଉତ୍ତର ମିଳୁଛି ରାସ୍ତା ଫାଟିଥିବା ବାବଦରେ ବିଭାଗ ଅବଗତ ଅଛି ଏବଂ ଏ ବାବଦରେ ବିଭାଗ ତରଫୁରୁ ଏହାର ନିରାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି କେନାଲ ରାସ୍ତାର ମାର୍ଶାଘାଈ ଠାରୁ ଜମ୍ବୁ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ମୋଟ ୨୪ କି.ମି ୬୦୦ ମିଟର ସମ୍ପ୍ରସାରଣ କାର୍ଯ୍ୟ କରାଯିବ ।ଏହି କାର୍ଯ୍ଯଟିକୁ ଏବିସିଆର ଇନଫ୍ରାଷ୍ଟ୍ରକ୍ଚର୍ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥାକୁ ଦିଆଯାଇଛି । କିନ୍ତୁ ଏହି ଠିକାସଂସ୍ଥା ବ୍ୟବହାର କରୁଥିବା ସମସ୍ତ ଯନ୍ତ୍ରାଂଶ ବା ମେସିନ୍ରେ ଏଆରଏସ୍ଏସ୍ ଲେଖାଥିବାରୁ ସାଧାରଣ ଲୋକମାନେ ଏହି କାର୍ଯ୍ୟକୁ ଏଆରଏସ୍ଏସ୍ ସଂସ୍ଥା କରୁଛି ବୋଲି ଭାବି ନେଇଛନ୍ତି । ସୂଚନା ଅଧିକାର କର୍ମୀଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ସମୁଦାୟ ୧୦୩ କୋଟ ୪୪ ଲକ୍ଷ ୯୪ ହଜାର ୫୩୩ ଟଙ୍କା ବ୍ୟୟ ବରାଦ ହୋଇଛି । ସେହି ଅନୁପାତରେ ହିସାବ କରାଗଲେ ତେବେ ଏକ କିଲୋମିଟର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ସେଥିପାଇଁ କେନ୍ଦ୍ରାପଡା ବିଭାଜନ-୨ ପକ୍ଷରୁ ସମ୍ପ୍ରସାରଣ କାର୍ଯ୍ୟର ତଦାରଖ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ ତୌରି ଟୁଡୁ ଏବଂ ଦେବାଶିଷ ସାମଲ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଦୁଇ ଅଧିକାରୀ ନିଯୁକ୍ତ ହୋଇଥିଲେ ମଧ୍ୟ ଦୁଇ ଅଧିକାରୀଙ୍କୁ ବେଖାତିର କରି ଠିକାସଂସ୍ଥା ବେଆଇନ ଭାବରେ କାର୍ଯ୍ୟ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ଗତ କିଛି ଦିନ ତଳେ ରାତିରେ ଝିପି ଝିପି ବର୍ଷା ଲାଗି ରହିଥିଲା ଏବଂ ସେହି ସମୟରେ ଜଅଁରାଗୋଡା ଛକରୁ ବାଲିଗୋଡା ଛକ ମଧ୍ୟ ଭାଗରେ ମେସିନ ମାଧ୍ୟମରେ ନୂତନ ପିଚୁ କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳିଥିଲା । ବର୍ଷାରେ ହେଉଥିବା ସମୟରେ ଚାଲିଥିବା ପିଚୁ କାମର ସ୍ଥାୟୀତ୍ୱ ନେଇ ମଧ୍ୟ ନାନା ସନ୍ଦେହ ପରିପ୍ରକାଶ ପାଉଛି । ତେବେ ପ୍ରଶ୍ନ ଉଠୁଛି କାର୍ଯ୍ୟ ତଦାରଖ କରିବା ପାଇଁ ବିଭାଗ ପକ୍ଷରୁ ନିଯୁକ୍ତ ୨ଅଧିକାରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ଥିଲେ କି? ଯଦି ଥିଲେ ତେବେ ବର୍ଷା ହେଉଥିବା ସମୟରେ ପିଚୁ କାମ ପାଇଁ କେମିତି ଦେଉଥିଲେ ଅନୁମତି । ଆଉ ଯଦି ବିଭାଗୀୟ ଅଧିକାରୀ ସେଠାରେ ଉପସ୍ଥିତ ନ ଥିଲେ ତେବେ ଅନୁପସ୍ଥିତିରେ ଠିକା ସଂସ୍ଥା କାର୍ଯ୍ୟ କରିବା ପାଇଁ ସାହାସ ପାଇଲା କେଉଁଠୁ? ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି କୋଟି କୋଟି ଟଙ୍କା ବ୍ୟୟରେ ହେଉଥିବା ପିଚୁ ରାସ୍ତା କାର୍ଯ୍ୟ କାହିଁକି ଫାଟି କରୁଛି ଆଁ । ତେବେ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ, ଠିକା ସଂସ୍ଥା ଏବଂ କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଭାଗ ପକ୍ଷରୁ ନିଯୁକ୍ତି ହୋଇଥିବା ଅଧିକାରୀଙ୍କ ମଧ୍ୟରେ କିପରି ଚାଲିଛି ମଧୁଚନ୍ଦ୍ରିକା । ମହାକାଳପଡାର ବିଭିନ୍ନ ଅଞ୍ଚଳରୁ ଶୁଣିବା ପାଇଁ ମିଳୁଛି କୁଆଡେ ଠିକା ସଂସ୍ଥା ଠାରୁ ନିର୍ଦ୍ଧିଷ୍ଟ ରାଜନେତା ୩୬ ଲକ୍ଷ ଚାନ୍ଦା ନେଇ ସୁରକ୍ଷା କବଚ ସାଜିଥିବା କାରଣରୁ ଠିକାସଂସ୍ଥା ନିମ୍ନମାନର ମନମୁଖି କାର୍ଯ୍ୟ ବେଧଡକ ଭାବେ କରିଚାଲିଛି । ଜନତାଙ୍କ କୋଟି କୋଟି ଟ୍ୟାକ୍ସ ଟଙ୍କାରେ ନିର୍ମାଣ ହେଉଥିବା ଏହି ରାସ୍ତାକାର୍ଯ୍ୟ କିପରି ଠିକ୍ ଭାବରେ ହେବ ଏହାକୁ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନର ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଉ ବୋଲି ମହାକାଳପଡାବାସୀ ଦାବି କରିଛନ୍ତି ।