ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ବିକଶିତ କରିବା ଲକ୍ଷ୍ୟ

ଭୁବନେଶ୍ୱର : ଭାରତକୁ ଏକବିଂଶ ଶତାବ୍ଦୀର ବିଶ୍ୱ ଜ୍ଞାନ ଶକ୍ତିରେ ପରିଣତ କରିବାକୁ ହେଲେ ଆମକୁ ସମାନ ଶିକ୍ଷା ଓ ସମାନ ସୁଯୋଗକୁ ସୁନିଶ୍ଚିତ କରିବାକୁ ହେବ  । ୨୦୩୬ ସୁଦ୍ଧା ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଗୁଣାତ୍ମକ ଶିକ୍ଷା ସହ ଦକ୍ଷତା ଆଧାରିତ ଶିକ୍ଷାକୁ ପ୍ରାଥମିକତା ଦେବାକୁ ହେବ ବୋଲି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା-ଶ୍ରୀମୂଳା ସ୍ଥିତ ପିଏମ ଶ୍ରୀ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭିଡିଓ ମେସେଜ ମାଧ୍ୟମରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ପ୍ରାଚୀନ ଯୁଗରୁ ଆମର ଢେଙ୍କାନାଳ ବୀରଭୂମି ନାମରେ ଖ୍ୟାତ  । 
ଢେଙ୍କାନାଳ ଜିଲ୍ଲା ଶହୀଦ ବୀର ବାଜି ରାଉତ, ପବିତ୍ର ମୋହନ ପ୍ରଧାନ, ସଂଗ୍ରାମୀ ମହେଶ ଚନ୍ଦ୍ର ସୁବାହୁ ସିଂହ, ସାରଙ୍ଗଧର ଦାସ, ତୀର୍ଥବାସୀ ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ  ବେଣୁଧର ପଣ୍ଡାଙ୍କ ସଂଗ୍ରାମୀ ଭୂମି  । ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନ ଭାରତର ସ୍ୱାଧୀନତା ସଂଗ୍ରାମର ଅଂଶବିଶେଷ  । ଶିକ୍ଷାର ବିକାଶ ଓ ପ୍ରସାର ପାଇଁ ଏହି ବୀର ଭୂମିର ଅନେକ ଅବଦାନ ଅଛି  । ଏହି ଅଞ୍ଚଳରେ ସ୍ଥାପିତ ହୋଇଥିବା ପଞ୍ଚସଖା ସରକାରୀ ଉଚ୍ଚ଼ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳରେ ଏକ ସମ୍ମାନସ୍ପଦ ଅନୁଷ୍ଠାନରେ ଖ୍ୟାତି ଲାଭ କରିଛି  । ପଞ୍ଚସଖା ସରକାରୀ ହାଇସ୍କୁଲ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ପିଏମ ଶ୍ରୀସ୍କୁଲରେ ବିକଶିତ ହେବାକୁ ଯାଉଛି  । ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ନିଷ୍ଠା ଓ ପରିଶ୍ରମ ଏହି ସ୍କୁଲକୁ ଢେଙ୍କାନାଳ ଜିଲ୍ଲାରେ ତଥା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ପ୍ରଧାନ କହିଛନ୍ତି  । ପ୍ରଧାନ ଭିଡ଼ିଓ ବାର୍ତ୍ତାରେ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକ ଏବଂ ଇସ୍‌ରୋର ପୂର୍ବତନ ଅଧ୍ୟକ୍ଷ ତଥା ଜାତୀୟ ଶିକ୍ଷା ନୀତିର ଶିଳ୍ପକାର ପଦ୍ମବିଭୂଷଣ ଡକ୍ଟର କେ କସ୍ତୁରୀରଙ୍ଗନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  ।