ବିଲୁପ୍ତି ପଥେ ଲୋକନୃତ୍ୟ
ଗତ ଦୁଇ ଦଶନ୍ଧି ହେଲା ସାମାଜିକ ଗଣମାଧ୍ୟମ ଗୁଡ଼ିକର ପ୍ରାବଲ୍ୟ ହେତୁ ଏବଂ ଟିଭି ଚ୍ୟାନେଲ୍ ଗୁଡ଼ିକର ସଂଖ୍ୟା ବୃଦ୍ଧି ହେତୁ ମନୋରଞ୍ଜନ ଜଗତରେ ଆଧୁନିକତାର ପ୍ରବେଶ ଘଟିଛି ଏବଂ ଏହି ଆଧୁନିକ ମନୋରଞ୍ଜନ ଗୁଡ଼ିକ ପାରମ୍ପରିକ ଲୋକକଳାକୁ ବିପଦଗ୍ରସ୍ତ କରିଛନ୍ତି । ପାରମ୍ପରିକ ଲୋକକଳାରେ ଯେଉଁଭଳି ଭାବରେ ଶାଳୀନତା ରହିଥିଲା, ସେ ପ୍ରକାରର ଶାଳୀନତା ବର୍ତ୍ତମାନ ଆଧୁନିକ ମନୋରଞ୍ଜନ ଜଗତରେ ଆଉ ଦେଖିବାକୁ ମିଳୁନାହିଁ । କାଷ୍ଟିଂ କାଉଚ୍ ଭଳି ନିହାତି ଅବା‚ôତ ଘଟଣାରୁ ଆରମ୍ଭ କରି ଅଶ୍ଳୀଳତାର ପ୍ରଚାର କରୁଥିବାର ଅଭିଯୋଗ ଆଧୁନିକ ମନୋରଞ୍ଜନ ଜଗତକୁ କଳଙ୍କିତ କରିଛି । ଅନ୍ୟପକ୍ଷରେ ପାରମ୍ପରିକ ଲୋକକଳା କଣ୍ଡେଇ ନାଚ, ଦଣ୍ଡ ନାଚ, ଘୋଡ଼ାନାଚ, ଦାସକାଠିଆ, ପାଲା ଆଦି ଲୋକକଳା ଗୁଡ଼ିକ କ୍ରମେ କ୍ରମେ ଗଣମାଧ୍ୟମରୁ ଦୂରେଇ ଯାଉଛନ୍ତି । ଏ ଗୁଡ଼ିକର ଆଉ ପ୍ରଚାର କିମ୍ବା ପ୍ରସାର ଆଶାନୁରୂପ ଭାବରେ ହେଉ ନାହିଁ । ଏସହିବୁ ପାରମ୍ପରିକ ଲୋକକଳାର କଳାକାରମାନଙ୍କ ପ୍ରତୁ୍ୟତ୍ପନ୍ନମତିତା, ଆଶୁକବିତ୍ୱ, ଭାଷାଗତ ଲାଳିତ୍ୟ ଆଦି ଅନେକ ପ୍ରକାରର ଗୁଣ ରହିଥିଲା । ଏବେ ବି ରହିଛି । ହେଲେ ସେସବୁ ବର୍ତ୍ତମାନ ବିଲୁପ୍ତିର ପଥରେ ।
କୌଣସି ଏକ ଭାଷାର ସମୃଦ୍ଧି କ୍ଷେତ୍ରରେ ଲୋକକଳା ଏବଂ ପାରମ୍ପରିକ ମନୋରଞ୍ଜନ ଗୁଡ଼ିକର ଯଥେଷ୍ଟ ଅବଦାନ ରହିଛି । ଏସବୁ ଅବଦାନକୁ ଅବକ୍ଷୟମୁଖୀ କରି ଆଧୁନିକ ମନୋରଞ୍ଜନ ଜଗତ ନିଜକୁ ଶିଳ୍ପ ଭାବରେ ଘୋଷଣା କରି କଳାକୁ ଅବକ୍ଷୟମୁଖୀ କରି ଦେଇଛି । ଏବେକାର ପରିସ୍ଥିତି ଏପରି ହୋଇଛି ଯେ ଲୋକକଳାର ସୁରକ୍ଷା ଦିଗରେ ସରକାର ଯେତିକି ପ୍ରୋତ୍ସାହନ ଦେଉଛନ୍ତି ତା ଠାରୁ ଅଧିକ ପ୍ରୋତ୍ସାହନ ଦେବାର ଆବଶ୍ୟକତା ପଡ଼ିଲାଣି । ସରକାରଙ୍କ ବିଭିନ୍ନ ଯୋଜନାର ଜନଚେତନା କାର୍ଯ୍ୟକ୍ରମ ଏବଂ ପ୍ରଚାର କ୍ଷେତ୍ରରେ ଲୋକକଳା ଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଲୋକକଳା ଗୁଡ଼ିକ ମାଧ୍ୟମରେ ସକାରାତ୍ମକ ଭାବେ ଗାଁ ଗହଳରେ ଲୋକଙ୍କ ଘରେ ପହଞ୍ଚାଇବା ନିମିତ୍ତ ପାରମ୍ପରିକ ଗଣମାଧ୍ୟମ ଗୁଡ଼ିକ ଆଗରୁ ନିୟୋଜିତ ହେଉଥିଲେ । ଏହା ଫଳରେ କଳାକାରମାନେ ଉପକୃତ ହେବା ସହ ଲୋକକଳା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ପାରୁଥିଲା । ଏବେ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ପାରମ୍ପରିକ ଲୋକକଳାକୁ ଆଉ ପୂର୍ବ ଭଳି ବ୍ୟବହାର କରୁନାହାନ୍ତି ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ଆଧୁନିକ ମନୋରଞ୍ଜନ ଜଗତ ସିଧାସଳଖ ଗାଁମାନଙ୍କରେ ପହଞ୍ଚି ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ପ୍ରାୟତଃ ବ୍ୟର୍ଥ । କାରଣ ଏହି ଆଧୁନିକ ମନୋରଞ୍ଜନ ଜଗତ କେବଳ ସାମାଜିକ ଗଣମାଧ୍ୟମ କିମ୍ବା ଟିଭି ପରଦାକୁ ଛାଡ଼ି ଦେଲେ ଏ ଗୁଡ଼ିକର ସ୍ଥିତି ବିପନ୍ନ ହୋଇପଡ଼ିବ । ଗୋଟିଏ ଜାତିର ଐତିହ୍ୟ, ପରମ୍ପରା, ଭାଷାର ସମୃଦ୍ଧି, ଲୋକମାନଙ୍କର ଭାବଗତ ଐତିହ୍ୟ ଆଦି ଅନେକ କ୍ଷେତ୍ରରେ ଲୋକକଳା ସବୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାତ୍ର ଟିଭି ଚ୍ୟାନେଲ୍ ଗୁଡ଼ିକ ବଢ଼ିବା ପରେ ଏବଂ ମୋବାଇଲ୍ର ପ୍ରାବଲ୍ୟ ପରେ ଏସବୁର ଆଦର ଏବଂ ବ୍ୟାପକତା ସୀମିତ ହୋଇଯାଇଛି । ବର୍ତ୍ତମାନର ମନୋରଞ୍ଜନ ଜଗତ ସକାରାତ୍ମକ ପ୍ରଭାବ ବଦଳରେ ନକାରାତ୍ମକ ପ୍ରଭାବ ପକାଇବାରେ ଅଧିକ ଦକ୍ଷ । ବନ୍ଧୁକ, ଛୁରୀ, ମହିଳାମାନଙ୍କ ଉପରେ ଅପରାଧ, ନିଶାଦ୍ରବ୍ୟର ସେବନ, ପୁଲିସ୍ ପ୍ରଶାସନ ପ୍ରତି ଅବଜ୍ଞା ଇତ୍ୟାଦିରେ ବର୍ତ୍ତମାନର ମନୋରଞ୍ଜନ ଇଣ୍ଡଷ୍ଟ୍ରି ଭରପୂର । ଏସବୁ ଗୁଡିକ ସମାଜରେ ସକାରାତ୍ମକ ପ୍ରଭାବ ବଦଳରେ ନକାରାତ୍ମକ ପ୍ରଭାବ ପକାଉଛି । ତେଣୁ ପାରମ୍ପରିକ ଲୋକକଳାକୁ ପ୍ରାଧାନ୍ୟ ଦିଆନଗଲେ ସମାଜରେ ଅପରାଧ ରୋକିବା କ୍ଷେତ୍ରରେ ବର୍ତ୍ତମାନର ଆଧୁନିକ ମନୋରଞ୍ଜନ ସମ୍ପୂର୍ଣ୍ଣ ରୂପେ ବ୍ୟର୍ଥ ହେବ । କିଛି କିଛି ବଡ଼ ଅପରାଧରେ ଧରା ପଡ଼ିଥିବା ଅପରାଧୀମାନେ ଅପରାଧ ଶୈଳୀ ଆଧୁନିକ ମନୋରଞ୍ଜନରୁ ଶିଖିଥିବା କହିଛନ୍ତି । ପାରମ୍ପରିକ ଲୋକକଳା ସେଭଳି ଅପବାଦରୁ ସମ୍ପୂର୍ଣ୍ଣ ମୁକ୍ତ ।
ବର୍ତ୍ତମାନ ଓଡ଼ିଶାରେ ମୋଟ୍ ୧୮୨ ଲୋକକଳା ରହିଥିବା ବେଳେ ସରକାର ମାତ୍ର ୭୧ଟି ଲୋକକଳାକୁ ପ୍ରେତ୍ସାହିତ କରିବାର ଲକ୍ଷ୍ୟ ରଖିଛନ୍ତି । ସମସ୍ତ ଲୋକକଳାକୁ ପ୍ରୋତ୍ସାହନ ଦିଆନଗଲେ ଗୋଟିଏ ଜାତିର ସମୃଦ୍ଧ ଲୋକକଳାର ଐତିହ୍ୟ ଲୋପ ପାଇଯିବ ନିଶ୍ଚୟ ।