ବ୍ୟକ୍ତିଗତ ଗୋପନୀୟତା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜୀବନର ବ୍ୟକ୍ତିଗତ ଗୋପନୀୟତା ବାବଦରେ କିଛି ଅନୁଭବସିଦ୍ଧ କଥାର ଆଲୋଚନା କରିବା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ପ୍ରତ୍ୟେକ ବ୍ୟକ୍ତିର ଜୀବନକାଳ ମଧ୍ୟରେ ଅନେକ କିଛି ଘଟଣା ଘଟି ଯାଇଥାଏ । ସମସ୍ତଙ୍କ ଜୀବନର ଘଟଣାବଳୀ ସମାନ ନୁହେଁ । ଏମିତି କିଛି ଘଟଣା ସମସ୍ତଙ୍କ ଜୀବନରେ ଘଟେ ଯାହାକୁ କି କେହି କାହା ଆଗରେ କେବେ ପ୍ରକାଶ କରିପାରନ୍ତି ନାହିଁ । ଜୀବନର ଅନେକ ଘଟଣା ନିଜ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ନିଜର ପରିଚୟକୁ ଖୋଲା ରଖି ଜୀବନର ଗୋପନୀୟ ଘଟଣା ଗୁଡ଼ିକୁ ପ୍ରକାଶ କରାଗଲେ ସେସବୁ ବ୍ୟକ୍ତିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରେ । ସାମାଜିକ ଭାବରେ ଅନେକ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହୁଏ । କୌଣସି ଲୋକର ବ୍ୟକ୍ତିଗତ ଜୀବନର ଅକୁହା କଥାକୁ ଜାଣିବାକୁ ମଧ୍ୟ ଚେଷ୍ଟା କରିବା ଉଚିତ ନୁହେଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏମିତି ଅନେକ ଅକୁହା ଘଟଣା ଲୁଚି ରହିଥାଏ । ଏହି ଘଟଣା ଗୁଡ଼ିକ ଅନ୍ୟ କିଛି ଭଲ କାମ କରିବା ପାଇଁ ପ୍ରେରଣା ଦେଇ ପାରେ କିମ୍ବା ପ୍ରତିଶୋଧ ପରାୟଣ ହେବା ପାଇଁ ମଧ୍ୟ ପ୍ରେରିତ କରିପାରେ । ସମାଜରେ ଘଟୁଥିବା ଅନେକ ଅପରାଧ ଅପରାଧୀମାନଙ୍କ ପ୍ରତିଶୋଧ ପରାୟଣତା ପାଇଁ ହିଁ ତ ଘଟେ । ତେବେ କେଉଁ ଅପରାଧର ପ୍ରତିଶୋଧ କିଏ ନେଉଛି ତାହା କେବଳ ସେହି ବ୍ୟକ୍ତି ଠାରେ ହିଁ ସୀମିତ । ବ୍ୟକ୍ତି ଏସବୁ କେବେ ବାହାରେ ପ୍ରକାଶ କରେ ନାହିଁ । ଅପରାଧ କାହିଁକି ଘଟାଇଛି ସେକଥା ବ୍ୟକ୍ତି ପ୍ରକାଶ କରେ ନାହିଁ । ଅପରାଧକୁ ହୁଏତ ସ୍ୱୀକର କରିପାରେ; କିନ୍ତୁ ମନ ଭିତରେ ରହିଥିବା ପ୍ରତିହିଂସା, ପ୍ରତିଶୋଧ ଏବଂ ପ୍ରଚ୍ଛଦପଟରେ ରହିଥିବା ଘଟଣା ଗୁଡ଼ିକ ସାଧାରଣତଃ ଅପରାଧ ଘଟାଇଥିବା ବ୍ୟକ୍ତିମାନେ ପ୍ରକାଶ କରନ୍ତି ନାହିଁ । ଗୋପନୀୟ ଘଟଣା ଗୁଡ଼ିକ ସବୁବେଳେ ଅପରାଧ ନୁହେଁ ।
ଜୀବନରେ ପ୍ରେରଣାଦାୟୀ ଘଟଣା ମଧ୍ୟ ଅନେକ ବ୍ୟକ୍ତି ନିଜ ଭିତରେ ହିଁ ସୀମିତ ରଖନ୍ତି । କୌଣସି ଭଲ କାମ ପାଇଁ ପ୍ରେରଣା କାହା ଠାରୁ ପାଇଲେ କିମ୍ବା କେଉଁ ଘଟଣାରୁ ପ୍ରେରଣା ମିଳିଲା ସେସବୁକୁ ଅନେକେ ବ୍ୟକ୍ତି ଗୋପନ ରଖନ୍ତି । ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ପ୍ରତ୍ୟେକ ବ୍ୟକ୍ତି ଭିନ୍ନ । କେହି କାହା ପରି ହୋଇନଥିବାରୁ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଘଟିଥିବା ଘଟଣା ମଧ୍ୟ ଭିନ୍ନ । ତେବେ ଏଭଳି ଘଟଣା ଗୁଡ଼ିକ ଗୋପନୀୟ ହୋଇ ରହିବା ଉଚିତ୍ । ବ୍ୟକ୍ତିଗତ ଗୋପନୀୟତା ହେଉଛି ବ୍ୟକ୍ତିର ଏକ ବଡ଼ ଚରିତ୍ର । ବ୍ୟକ୍ତିଗତ ଗୋପନୀୟତାକୁ ପ୍ରକାଶ କରିଦେଲେ ବ୍ୟକ୍ତିତ୍ୱ ଉପରେ ଏହାର ପ୍ରଭାବ ମଧ୍ୟ ପଡ଼େ । ସସସ୍ତେ ଏହାଦ୍ୱାରା ଊଣାଅଧିକେ ପ୍ରଭାବିତ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।