ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ୱାର୍ଟରଫାଇନାଲରେ ସିନ୍ଧୁ

 ନୂଆଦିଲ୍ଲୀ : ପ୍ୟାରିସର ଆଡିଡାସ୍ ଆରେନାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି ଭାରତର ଡବଲ ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ।  ଗୁରୁବାର ମହିଳା ସିଙ୍ଗଲ୍ସ ରାଉଣ୍ଡ ଅଫ୍ ୧୬ ମ୍ୟାଚ୍ରେ ସେ ଚୀନର ୱାଙ୍ଗ ଜିଙ୍କୁ ସିଧାସଳଖ ଗେମରେ ପରାସ୍ତ କରିଛନ୍ତି । ମିଶ୍ରିତ ଡବଲ୍ସ ଇଭେଣ୍ଟରେ ମଧ୍ୟ ଭାରତୀୟ ଯୋଡ଼ି ସଫଳତା ପାଇଛନ୍ତି । ସିନ୍ଧୁ ବିଶ୍ୱ ନମ୍ବର ୨ ୱାଙ୍ଗ ଜିଙ୍କ ବିପକ୍ଷରେ ତାଙ୍କର ପ୍ରାଧାନ୍ୟ ବଜାୟ ରଖିଛନ୍ତି । ୫ମ ହେଡ୍ ଟୁ ହେଡ୍ ମ୍ୟାଚ୍ରେ ସିନ୍ଧୁ ତୃତୀୟ ଥର ପାଇଁ ୱାଙ୍ଗଙ୍କୁ ପରାସ୍ତ କରିଛନ୍ତି । ବିଶ୍ୱ ନମ୍ବର ୧୫ ସିନ୍ଧୁ ପ୍ରଥମ ଗେମ୍କୁ କଠିନ ସଂଘର୍ଷ ପରେ ୨୧-୧୯ ବ୍ୟବଧାନରେ ଜିତିଛନ୍ତି । ପ୍ରଥମ ଗେମ୍ ଜିତିବା ପରେ, ସିନ୍ଧୁ ଦ୍ୱିତୀୟ ଗେମ୍ରେ ମଧ୍ୟ ୧୨-୬ର ଅଗ୍ରଣୀ ନେଇଥିଲେ । ସେ ଏହି ଅଗ୍ରଣୀକୁ ବଜାୟ ରଖିଥିଲେ ଏବଂ ଦ୍ୱିତୀୟ ଗେମ୍କୁ ୨୧-୧୫ ବ୍ୟବଧାନରେ ଜିତି ମ୍ୟାଚ୍ ଜିତିଥିଲେ । ସିନ୍ଧୁ କ୍ୱାର୍ଟର ଫାଇନାଲ୍ରେ ବିଶ୍ୱ ନମ୍ବର-୧ ଦକ୍ଷିଣ କୋରିଆର ଆନ୍ ସେ ୟଙ୍ଗ୍ଙ୍କୁ ଭେଟିପାରନ୍ତି । ସୂଚନାଯୋଗ୍ୟ ଯେ, ପିଭି ସିନ୍ଧୁ ତୃତୀୟ ଥର ପାଇଁ ବିଶ୍ୱର ନମ୍ବର-୨ ୱାଙ୍ଗ ଜିଙ୍କୁ ପରାସ୍ତ କରିଛନ୍ତି ।