ଭୁଲ୍ ସ୍ୱୀକାର
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ଭୁଲ୍ ସ୍ୱୀକାରକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଭୁଲ୍ ସ୍ୱୀକାର କରିବା ହେଉଛି ମଣିଷର ଏକ ଉତ୍ତମ ଗୁଣ । ହେଲେ ସମସ୍ତଙ୍କ କ୍ଷେତ୍ରରେ ଏହା ଦେଖା ଯାଇନଥାଏ । ମଣିଷ ମାତ୍ରକେ ଭୁଲ୍ ଅଛି, ସବୁ ମଣିଷଙ୍କର ଭୁଲ୍ ଅଛି । ଏପରିକି ଭଗବାନ ଆସି ମଧ୍ୟ ଯଦି କିଛି କରି ବସିବେ ତାଙ୍କର ମଧ୍ୟ ଭୁଲ୍ ରହିଯିବ । ଆଉ କିଛି ଲୋକ କେବଳ ଦୋଷଦର୍ଶୀ । ଦୋଷଦର୍ଶୀ ସର୍ବଦା ଖୁଣଖୋଜା ସ୍ୱଭାବର । ସେମାନଙ୍କ ଆଖିରେ ଯାହା ପଡୁ, ସେମାନେ ସେଇଥିର ଖୁଣ ଦରାଣ୍ଡିବେ, ଦୋଷ ଅଣ୍ଡାଳିବେ । ଦୋଷଦର୍ଶୀଙ୍କ ଆଖିରେ ଦୋଷ ଛଡା ଆଉ କିଛି ସହଜେ ଯାଏନି କି ପଶେନି । ଦୋଷଦର୍ଶୀ ହେବା ତ ଖୁବ୍ ସହଜ, କିନ୍ତୁ ନିଜର ଦୋଷକୁ ସ୍ୱୀକାର କରିବା ବଡ କଷ୍ଟ ବୋଲି ଜାଣନ୍ତି । ଏଭଳି ବି ଲୋକ ଅଛନ୍ତି ଯେଉଁମାନେ କି ଈଶ୍ୱରଙ୍କର ବି ଖୁଣ ଖୋଜି ଖୋଜୁଥିବେ କିନ୍ତୁ ନିଜ ଭୁୁଲ ବାଛିପାରିବେ ନାହିଁ ।
ନିଜର ଦୋଷକୁ ସ୍ୱୀକାର କରିବାକୁ ହେଲେ ନିଜ ଭିତରେ ଏକ ସହନଶୀଳତାକୁ ପ୍ରକାଶ କରିବାକୁ ପଡ । ସହନଶୀଳତା ନଥିଲେ ଅନ୍ୟର ସମାଲୋଚନାକୁ ଜଣେ ଗ୍ରହଣ କରିପାରିବ ନାହିଁ । ଅନ୍ୟର ସମାଲୋଚନାକୁ ଗ୍ରହଣ କରିପାରୁଥିବା ବ୍ୟକ୍ତି ହିଁ କେବଳ ନିଜର ଭୁଲ୍କୁ ସ୍ୱୀକାର କରି ନିଜ ଭିତରେ ଏକ ପରିବର୍ତ୍ତନ କରିପାରେ । ଭୁଲ୍ ସ୍ୱୀକାର କରିବା ସାଧାରଣ ଲୋକ ପକ୍ଷରେ ଏତେଟା ସହଜ ନୁହେଁ । ଏକ ବିଚାର ବ୍ୟବସ୍ଥା ଭିତରେ ଜଣେ ବ୍ୟକ୍ତିକୁ ଭୁଲ୍ ସ୍ୱୀକାର କରିବା ପାଇଁ ବାଧ୍ୟ କରାଯାଇପାରେ । କିନ୍ତୁ ସାମାଜିକ ଜୀବନରେ ବ୍ୟକ୍ତି ନିଜର ଭୁଲ୍କୁ ସ୍ୱୀକାର କରିବା ପାଇଁ ଏତେ ସହଜରେ ପ୍ରସ୍ତୁତ ନଥାଏ । ନିଜର ଭୁଲ୍କୁ ନିଜେ ସ୍ୱୀକାର କରିଲେ ବ୍ୟକ୍ତିତ୍ୱର ହାନି ହେବା, ଆତ୍ମସମ୍ମାନ କ୍ଷୁର୍ଣ୍ଣ ହେବା ଭଳି ଅନେକ କଥା ପ୍ରାୟ ଲୋକ ଚିନ୍ତା କରିଥାନ୍ତି । ତେଣୁୁ ପଦପଦବୀ କିମ୍ବା ସାମାଜିକ ପ୍ରତିଷ୍ଠା ନିର୍ବିଶେଷରେ କେହି ଜଣେ ଭୁଲ୍ କରି ଦେଇଛି ଏବଂ ତାକୁ ସ୍ୱୀକାର କରିଯାଉଛି-ଏଭଳି ଘଟଣା ବହୁତ କମ୍ ଦେଖିବାକୁ ମିଳେ ।
ତେବେ ଉଦାରମନା, ସରଳ, ନିଷ୍କପଟ ବ୍ୟକ୍ତି ଭୁଲ୍ ହୋଇଗଲା ବୋଲି ଅନୁଭବ କରିବା ମାତ୍ରକେ କାହାରି ଠାରୁ ଚାପ ପଡିବା ପର୍ଯ୍ୟନ୍ତ ଅପେକ୍ଷା ନକରି ନିଜ ଭୁଲ୍କୁ ନିଜେ ସ୍ୱୀକାର କରିଯାଆନ୍ତି । ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତି । ଏଭଳି ବ୍ୟକ୍ତି ସମାଜରେ ସମ୍ମାନଜନକ ଆସନର ଅଧିକାରୀ ହୋଇଛନ୍ତି । ଭୁଲ୍ ସ୍ୱୀକାର କୌଣସି ଏକ ଅପରାଧ ନୁହେଁ । ବ୍ୟକ୍ତିତ୍ୱର ଏକ ବଳିଷ୍ଠ ଦିଗ ବୋଲି ଏହାକୁ ବିଚାର କରାଯାଇପାରେ ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।