ବିଶ୍ୱସ୍ତରୀୟ ବିମାନ ମରାମତି କେନ୍ଦ୍ର ହେବ ଭୁବନେଶ୍ୱରରେ

ଭୁବନେଶ୍ୱର : ପୂର୍ବ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାକୁ ଦୃଷ୍ଟିରେ ରଖି ବୁଧବାର ରାଜ୍ୟ କ୍ୟାବିନେଟ୍ ଏକ ସ୍ବତନ୍ତ୍ର ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ବିମାନ ସେବା ପାଇଁ ଓଡ଼ିଶାକୁ ଏକ ଆଞ୍ଚଳିକ କେନ୍ଦ୍ରରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପସ୍ବରୂପ ରାଜ୍ୟ କ୍ୟାବିନେଟ୍ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ମେଣ୍ଟେନାନ୍ସ, ରିପେୟାର ଆଣ୍ଡ ଓଭରହଲ(ଏମ୍ଆରଓ) କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହା ପୂର୍ବ ଭାରତର ପ୍ରଥମ ବଡ଼ ଏମ୍ଆରଓ କେନ୍ଦ୍ର ହେବ। ଏହି ପ୍ରକଳ୍ପ ସରକାରଙ୍କ ବି-ମାନ(ବିଲ୍ଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଆଭିଏଶନ ଆସେଟ୍ସ ଆଣ୍ଡ ନେଟ୍ୱର୍କ) ଯୋଜନାର ଅଂଶ। ଘରୋଇ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଶିଳ୍ପ ନୀତି ସଂକଳ୍ପ (ଆଇପିଆର) ୨୦୨୨ ଅନୁସାରେ ଏକ ସ୍ବତନ୍ତ୍ର ପ୍ୟାକେଜ୍ ଅଫର କରାଯାଇଛି। ଏହି ପ୍ରକଳ୍ପରେ ଭାରତର ସବୁଠାରୁ ପୁରୁଣା ଓ ବଡ଼ ତୃତୀୟପକ୍ଷ ଏମ୍ଆରଓ ପ୍ରଦାନକାରୀ ମେସର୍ସ ଏୟାର ୱାର୍କସ ଇଣ୍ଡିଆ(ଇଞ୍ଜିନିୟରିଂ) ପ୍ରାଇଭେଟ ଲିମିଟେଡ୍କୁ ମୁଖ୍ୟ ନିବେଶକ ଭାବେ ଚୟନ କରାଯାଇଛି। ବିଶ୍ୱ ଏମ୍ଆରଓ ଶିଳ୍ପ ୨୦୩୧ ସୁଦ୍ଧା ୮.୯ ପ୍ରତିଶତ ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାରରେ ୪.୦ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ଏହାର ତଦାରଖ କରିବ, ଯେତେବେଳେ ବିମାନ ଚଳାଚଳ ଉପରେ ଉଚ୍ଚସ୍ତରୀୟ କମିଟି ପ୍ରକଳ୍ପ ପ୍ରଚଳନ ଓ ତଦାରଖକୁ ସହଜ କରିବ ବୋଲି ମୁଖ୍ୟ ସଚିବ କହିଥିଲେ।