ମହାପ୍ରଭୁଙ୍କୁ ଦର୍ଶନ କଲେ ଲୋକସଭା ବାଚସ୍ପତି
ପୁରୀ : ଲୋକସଭା ବାଚସ୍ପତି ଓମ୍ପ୍ରକାଶ ବିର୍ଲା ସପତ୍ନୀକ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ବାଚସ୍ପତି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚôବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ, ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍.ପି ପ୍ରତୀକ ସିଂ ତାଙ୍କୁ ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଅରୁଣସ୍ତମ୍ଭଠାରେ ପ୍ରଣାମ କରିବା ପରେ ପରିବାର ସଦସ୍ୟଙ୍କ ସହ ଶ୍ରୀମନ୍ଦିରକୁ ଯାଇ ବାଚସ୍ପତି କାଶୀବିଶ୍ୱନାଥ, ମଙ୍ଗଳା, ବିମଳା, ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ଗର୍ଭଗୃହକୁ ଯାଇ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଥିଲେ । ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର, ରାଜ୍ୟସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ ଓ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ବାଚସ୍ପତି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ମହାପ୍ରଭୁଙ୍କୁ ଦର୍ଶନ କରି ମୁଁ ବେଶ୍ ଖୁସି ଓ ଆନନ୍ଦିତ । ଈଶ୍ୱର ସମସ୍ତଙ୍କର କଲ୍ୟାଣ କରିବା ସହିତ ଭାରତ ବର୍ଷର ସମୃଦ୍ଧି ଓ ବିକାଶ ଏବଂ ବିକଶିତ ଭାରତର ସ୍ୱପ୍ନ ସାକାର କରିବା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି ।