ନେହରୁ କରିଥିଲେ ‘ଭୋଟ୍ ଚୋରି’ : ଅମିତ ଶାହ-ରାହୁଲ କଥା କଟାକଟି
ନୂଆଦିଲ୍ଲୀ : କଂଗ୍ରେସ ଐତିହାସିକ ‘ଭୋଟ୍ ଚୋରି’ର ମୂଳଦୁଆ ଉପରେ ଠିଆ ହୋଇଛି । ନେହରୁ ପ୍ରଧାନମନ୍ତ୍ରୀ ହେବା ପ୍ରଥମ ଭୋଟ୍ ଚୋରି । ବୁଧବାର ଲୋକସଭାରେ ନିର୍ବାଚନୀ ସଂସ୍କାର ଉପରେ ଆଲୋଚନା ସମୟରେ ଏମିତି ଟିପ୍ପଣୀ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । ଯାହାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ତାଙ୍କର କଥା କଟାକଟି ଦେଖିବାକୁ ମିଳିଥିଲା ।
ଅମିତ ଶାହ କହିଛନ୍ତି ଯେ, ଯେଉଁମାନେ ଗଣତନ୍ତ୍ରକୁ ଚ୍ୟାଲେଞ୍ଜ ଦେଉଛନ୍ତି ସେମାନେ ପ୍ରକୃତରେ ଐତିହାସିକ ‘ଭୋଟ୍ ଚୋରି'ର ମୂଳଦୁଆ ଉପରେ ଠିଆ ହୋଇଛନ୍ତି । ବିରୋଧୀ ପ୍ରାୟତଃ ଦାବି କରୁଛନ୍ତି ଯେ, ଶାସନ ବିରୋଧୀ ଲହର ବିଜେପି ଉପରେ ପ୍ରଭାବ ପକାଏ ନାହିଁ । କିନ୍ତୁ ସତ୍ୟ ହେଉଛିଯେ, କେବଳ ଜନହିତ ପାଇଁ କାମ କରୁଥିବା ସରକାରଗୁଡ଼ିକ ପୁନଃନିର୍ବାଚିତ ହୁଅନ୍ତି । ବିଜେପି ୨୦୧୪ ପରଠାରୁ ଅନେକ ରାଜ୍ୟରେ ନିର୍ବାଚନ ହାରିଛି । କିନ୍ତୁ ଦଳ କେବେ ଇଭିଏମ କିମ୍ବା ନିର୍ବାଚନ କମିସନକୁ ଦୋଷ ଦେଇନାହିଁ । ଯେତେବେଳେ କଂଗ୍ରେସ ଜିତିଥାଏ, ସବୁକିଛି ଠିକ୍ ଥାଏ । କିନ୍ତୁ ହାରିବା ମାତ୍ରେ ସେମାନେ ଭୋଟର ତାଲିକାରେ ତ୍ରୁଟି ଖୋଜିବା ଆରମ୍ଭ କରନ୍ତି ।
ଅମିତ ଶାହ ଗୃହରେ ସ୍ପଷ୍ଟ କରିଛନ୍ତି, ଅନୁପ୍ରବେଶକାରୀମାନେ ଦେଶର ପ୍ରଧାନମନ୍ତ୍ରୀ କିମ୍ବା କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ନିଷ୍ପତ୍ତି ନେଇପାରିବେ ନାହିଁ । ଏସଆଇଆରକୁ ନିର୍ବାଚନ କମିସନଙ୍କର ଏକ ସାମ୍ବିଧାନିକ କାର୍ଯ୍ୟ ଭାବରେ ବର୍ଣ୍ଣନା କରିଛନ୍ତି । ସ୍ୱାଧୀନତା ପରେ, ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେଉଥିଲା ସେତେବେଳେ ସର୍ଦ୍ଦାର ପଟେଲଙ୍କୁ ୨୮ ଭୋଟ ମିଳିଥିଲା । ସେତେବେଳେ ଜବାହରଲାଲ ନେହେରୁଙ୍କୁ ମାତ୍ର ଦୁଇଟି ଭୋଟ ମିଳିଥିଲା । ଏହା ସତ୍ତେ୍ୱ ନେହେରୁ ଆଶ୍ଚର୍ଯ୍ୟଜନକ ଭାବରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସ୍ୱାଧୀନତା ପରେ ଏହା ଥିଲା ପ୍ରଥମ "ଭୋଟ ଚୋରି’ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କରେ କହିଛନ୍ତିଯେ, ଆହ୍ଲାବାଦ ହାଇକୋର୍ଟ ତାଙ୍କ ନିର୍ବାଚନକୁ ରଦ୍ଦ କରିଥିଲେ । ଏହାପରେ ସଂସଦରେ ଆଇନ ପରିବର୍ତ୍ତନ ଦ୍ୱାରା ସେ ରକ୍ଷା ପାଇଥିଲେ । ଶାହ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ, ଏକ ସମୟ ଥିଲା ଯେତେବେଳେ ନାଗରିକତା ପାଇବା ପୂର୍ବରୁ ତାଙ୍କ ନାମ ଭୋଟର ତାଲିକାରେ ଯୋଡା ଯାଇଥିଲା, ଯାହା ସମ୍ପୂର୍ଣ୍ଣ ନିୟମ ବିରୋଧରେ ଥିଲା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କ ଆସନରୁ ଠିଆ ହୋଇ କିଛି କହିବାକୁ ଚେଷ୍ଟା କରିବାରୁ ଶାହ ସ୍ପଷ୍ଟ ଭାବରେ କହିଥିଲେଯେ, ବିରୋଧୀଙ୍କ "ଏକଛତ୍ରବାଦ’ ଗୃହରେ ସହ୍ୟ କରାଯିବ ନାହିଁ । ସେ ନିର୍ଦ୍ଧାରିତ କ୍ରମରେ ଏବଂ ନିଜ ଇଚ୍ଛା ଅନୁଯାୟୀ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବେ ।
ସେ ବିରୋଧୀଙ୍କୁ ସେମାନଙ୍କ ପରାଜୟ ପାଇଁ ଇଭିଏମ କିମ୍ବା ନିର୍ବାଚନ କମିସନଙ୍କୁ ଦୋଷ ଦେବା ପରିବର୍ତ୍ତେ ସେମାନଙ୍କ ନେତୃତ୍ୱ ଏବଂ କାର୍ଯ୍ୟ ପଦ୍ଧତି ଉପରେ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଶାହ ଏହା ମଧ୍ୟ ମନେ ପକାଇ ଦେଇଥିଲେ ଯେ, ରାଜୀବ ଗାନ୍ଧୀଙ୍କ ସମୟରେ ଇଭିଏମ ପ୍ରଚଳନ କରାଯାଇଥିଲା । ତେଣୁ ଆଜି ସେମାନଙ୍କୁ ପ୍ରଶ୍ନ କରିବା ସେମାନଙ୍କ ନିଜ ନେତାଙ୍କୁ ପ୍ରଶ୍ନ କରିବା ପରି ବୋଲି ଶାହ କହିଛନ୍ତି ।