ବୁଲା କୁକୁର ମାମଲାରେ ସୁପ୍ରିମ୍କୋର୍ଟ କ୍ଷୁବ୍ଧ
ବ୍ୟକ୍ତିଗତ ଭାବେ ହାଜର ହେବେ ମୁଖ୍ୟସଚିବ
ନୂଆଦିଲ୍ଲୀ : ବୁଲା କୁକୁର ଆତଙ୍କ ମାମଲାରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ୍କୋର୍ଟ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେମାନଙ୍କୁ ବ୍ୟକ୍ତିଗତ ହାଜିରାରୁ ବାଦ୍ ଦେବା ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଅନୁରୋଧକୁ ସୁପ୍ରିମ୍କୋର୍ଟ ଶୁକ୍ରବାର ନାହିଁ କରି ଦେଇଛନ୍ତି । ବିଚାରପତି ବିକ୍ରମ ନାଥ ଓ ବିଚାରପତି ସନ୍ଦୀପ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତିଯେ, କୋର୍ଟର ନିର୍ଦ୍ଦେଶ ପ୍ରତି ସେମାନଙ୍କର କୌଣସି ସମ୍ମାନ ନାହିଁ । ନଭେମ୍ବର ୩ରେ କୋର୍ଟରେ ବ୍ୟକ୍ତିଗତ ଭାବେ ମୁଖ୍ୟସଚିବମାନଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ସଚିବମାନଙ୍କୁ ଭିଡିଓ କନଫରେନ୍ସିଂ ମୋଡ୍ ମାଧ୍ୟମରେ ହାଜର ହେବାକୁ ଅନୁମତି ଦେବା ପାଇଁ ସଲିସିଟର ଜେନେରାଲଙ୍କ ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କ୍ଷମା କରିବେ, ସେମାନଙ୍କୁ ଶାରୀରିକ ଭାବରେ କୋର୍ଟକୁ ଆସିବାକୁ ପଡିବ ବୋଲି କୋର୍ଟ କହିଛନ୍ତି ।
ଅଦାଲତ ମଧ୍ୟ ଅସନ୍ତୋଷ ପ୍ରକାଶ କରି କହିଛନ୍ତିଯେ, ବର୍ଷ ବର୍ଷ ଧରି ପୌର ନିଗମ ଓ ରାଜ୍ୟ ସରକାର ଯେଉଁ ପ୍ରସଙ୍ଗଗୁଡ଼ିକର ସମାଧାନ କରିବା ଉଚିତ, ସେଥିରେ ସମୟ ନଷ୍ଟ କରିବା ଦୁର୍ଭାଗ୍ୟଜନକ । ଏହା ଉଲ୍ଲେଖ କରିଛନ୍ତିଯେ, ସଂସଦ ନିୟମ ଗଠନ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପୂର୍ବରୁ ଅକ୍ଟୋବର ୨୭ରେ ସୁପ୍ରିମକୋର୍ଟ ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ନଭେମ୍ବର ୩ରେ ହାଜର ହୋଇ ବୁଲା କୁକୁର ମାମଲାରେ କାହିଁକି କୌଣସି ଅନୁପାଳନ ଶପଥପତ୍ର ଦାଖଲ କରାଯାଇ ନାହିଁ ତାହା ବୁଝାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ବ୍ୟତୀତ ସମସ୍ତ ମୁଖ୍ୟ ସଚିବଙ୍କୁ ନଭେମ୍ବର ୩ରେ ତାଙ୍କ ସମ୍ମୁଖରେ ଉପସ୍ଥିତ ରହିବାକୁ କୁହାଯାଇଛି ।